ବଦଳିବ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନ ନାଁ !

କେନ୍ଦ୍ରକୁ ପ୍ରସ୍ତାବ ପଠାଇଲେ ରାଜ୍ୟ ସରକାର

ବ୍ୟାସନଗର/କେନ୍ଦୁଝର : ପୂର୍ବତଟ ରେଳପଥର ଯାଜପୁର‌-କେନ୍ଦୁଝରରୋଡ଼ ରେଳଷ୍ଟେସନ ନାମ ପରିବର୍ତ୍ତନ କରାଯାଇ ‌ଯାଜପୁରରୋଡ ରେଳଷ୍ଟେସନ୍‌ ରୂପେ ନାମିତ ହେବ। ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ସୁପାରିସ ପରେ ରାଜ୍ୟ ସରକାର ରେଳ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି। ଇତିହାସକୁ ବଦଳା ଯାଉଥିବାରୁ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୁଖ୍ୟତଃ କେନ୍ଦୁଝର ଜିଲ୍ଲାରେ ନାମ ବଦଳାଇବାକୁ ଅନେକ ବିରୋଧ କରିଛନ୍ତି।

୨୦୨୦ ମାର୍ଚ୍ଚ ୧୮ ତାରିଖରେ ଯାଜପୁର ଜିଲ୍ଲାପାଳ ରିପୋର୍ଟ ଦେବାର ଅଢ଼େଇ ବର୍ଷ ପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଉପସଚିବ କଳ୍ପତରୁ ସାମନ୍ତରାୟ ୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ଏନେଇ ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଛନ୍ତି। ବ୍ୟାସନଗର ସହରର ବରିଷ୍ଠ ଆଇନଜୀବୀ ତଥା ରେଳଷ୍ଟେସନ ନାମ ପରିବର୍ତ୍ତନ ପାଇଁ ଗଠିତ କମିଟିର ବରିଷ୍ଠ ସଦସ୍ୟ ଚନ୍ଦ୍ରଶେଖର ପଣ୍ଡାଙ୍କୁ ଏହି ରେଳଷ୍ଟେସନର ଇତିହାସ ସଂପର୍କରେ ପଚାରିଥିଲୁ। ଶ୍ରୀ ପଣ୍ଡା କହିଛନ୍ତି ଯେ, ୧୮୬୬ ନଅଙ୍କ ଦୁର୍ଭିକ୍ଷରେ ଏହି ଅଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ଅଞ୍ଚଳ ଅଗମ୍ୟ ହୋଇଥିବାରୁ ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କ ନିକଟରେ ସହାୟତା ପହଞ୍ଚି ପାରିଲା ନାହିଁ ବୋଲି ଇଂରେଜ ସରକାରଙ୍କ ଅଧିକାରୀମାନେ ରିପୋର୍ଟ ଦେଇଥିଲେ। ଫଳରେ ଏହି ଅଞ୍ଚଳକୁ ଯୋଗାଯୋଗ ପାଇଁ ଏଠାରେ ବେଙ୍ଗଲ-ନାଗପୁର ରେଳପଥ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୮୯୨ ମସିହାରେ ସର୍ଭେ କରାଯାଇ ଡୋଲିପୁର ଠାରେ ବେଙ୍ଗଲ-ନାଗପୁର ରେଳ ଡିଭିଜନ ପକ୍ଷରୁ ୧୯୦୧ ମସିହାରେ ରେଳଷ୍ଟେସନ ପ୍ରତିଷ୍ଠା କରାଯାଇଥିଲା। ଡୋଲିପୁର ନାମରେ ଥିବା ରେଳଷ୍ଟେସନକୁ
୧୯୫୭ ମସିହାରେ ପରିବର୍ତ୍ତନ କରାଯାଇ ଯାଜପୁର-କେନ୍ଦୁଝରରୋଡ କରାଯାଇଥିଲା। ୧୯୫୫-୫୬ ମସିହାରେ ନନ୍ଦରାମ ମାଇନ୍‌ସ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ସୁକିନ୍ଦା, ଦୈତାରୀ ଓ କେନ୍ଦୁଝରର ବିଭିନ୍ନ ଖଣିରୁ ଖଣିଜ ପଦାର୍ଥ ଏହି ରାସ୍ତାରେ ପରିବହନ କରାଯାଉଥିଲା। ତେଣୁ ଡୋଲିପୁର ନାମ ପରିବର୍ତ୍ତନ କରାଯାଇ ଏହି ଷ୍ଟେସନର ନାଁ ଯାଜପୁର-କେନ୍ଦୁଝରରୋଡ଼ ରଖାଯାଇଥିଲା।

ଅନ୍ୟପକ୍ଷରେ, ସେତେବ‌େଳେ ଯାଜପୁର ସହର କିମ୍ବା କେନ୍ଦୁଝରକୁ ରେଳ ସଂଯୋଗ ହୋଇନଥିଲା। ପରେ ଯାଜପୁର ଓ କେନ୍ଦୁଝର ସ୍ବତନ୍ତ୍ର ଜିଲ୍ଲା ହେବା ପରେ କେନ୍ଦୁଝରକୁ ରେଳ ସଂଯୋଗ କରାଯାଇଛି। ଯାଜପୁରକୁ ‌ନୂତନ ରେଳପଥ ସଂଯୋଗ ପାଇଁ ଦାବି ହେଉଛି। କେନ୍ଦୁଝର ରେଳଷ୍ଟେସନ ଓ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନ ପାଇଁ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଛି। ତେଣୁ ବ୍ୟାସନଗର ସହରର କେତେକ ବୁଦ୍ଧିଜୀବୀ ଏହି ରେଳଷ୍ଟେସନର ନାଁ ବ୍ୟାସନଗର କରିବା ପାଇଁ ରେଳବିଭାଗ ନିକଟରେ ଦାବି କରିଥିଲେ। ଗତ ଦୁଇବର୍ଷ ତଳେ ଯାଜପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ବ୍ୟାସନଗର ନାମରେ ଉତ୍ତରପ୍ରଦେଶରେ ପୂର୍ବରୁ ଏକ ରେଳଷ୍ଟେସନ ଅଛି। ‌ସଂରକ୍ଷିତ ରେଳ ଟିକେଟ୍‌ କାଟିବା ତଥା ଯାତ୍ରା ପାଇଁ ସମସ୍ୟା ଥିବା ଦର୍ଶାଇ ଏହାର ଅନ୍ୟ କୌଣସି ନାଁ ରଖିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତାବ ଦେଇଥିଲା। ଫଳରେ ଏହି ଷ୍ଟେସନର ନାଁ ଯାଜପୁରରୋଡ ରଖିବାକୁ ସ୍ଥିର ହୋଇଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଅପରପକ୍ଷରେ ଯାଜପୁର- କେନ୍ଦୁଝରରୋଡ ଷ୍ଟେସନର ନାମ ବଦଳାଇବା ପ୍ରସ୍ତାବକୁ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ବିରୋଧ କରି ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ନାମ ପରିବର୍ତ୍ତନ କରାଗଲେ କେନ୍ଦୁଝର ଐତିହ୍ୟ ପ୍ରତି କୁଠାରଘାତ ବୋଲି ଗବେଷକ ନିରଞ୍ଜନ ବାରିକ କହିଛନ୍ତି। ବିଜେପି ଓ ବିଜେଡି ମଧୁଚନ୍ଦ୍ରିକା ଯୋଗୁଁ ଏଭଳି କରାଯାଉଛି ବୋଲି ପିସିସି ସଂପାଦକ ସଂଗ୍ରାମ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର