ଯାଜପୁର ଲୋକସଭା ଆସନ : ବିଜେପିରୁ ମୋହନଙ୍କ ପ୍ରାର୍ଥିତ୍ବକୁ ନେଇ ଚର୍ଚ୍ଚା

ଯାଜପୁର ରୋଡ଼ : ଫୋକସ୍‌ରେ ଯାଜପୁର ଲୋକସଭା ଆସନ। ଏହି ସଂସଦୀୟ କ୍ଷେତ୍ର ପାଇଁ ବିଭିନ୍ନ ଦଳର ପ୍ରାର୍ଥୀଙ୍କୁ ନେଇ ବେଶ ରୋଚକ ଚର୍ଚା ଆରମ୍ଭ ହୋଇଛି। ବିଜେଡି ଜଣେ ପ୍ରଶାସିକାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ମଧ୍ୟ ଗୋଟି ଚାଳନା ଆରମ୍ଭ କରିଛି। ଦୁଇ ଦୁଇ ଥର ବିଜେଡି ଟିକଟରୁ ସାଂସଦ ହୋଇଥିବା ମୋହନ ଜେନା ବିଜେଡିରୁ ଇସ୍ତଫା ଦେଇ ଆଜି ବିଜେପି ହାତ ଧରିଥିବାରୁ ତାଙ୍କ ପ୍ରାର୍ଥିତ୍ବକୁ ନେଇ ମଧ୍ୟ ଜୋରଦାର ଚର୍ଚା ଆରମ୍ଭ ହୋଇଯାଇଛି। ମୋହନଙ୍କର ତୃଣମୂଳ ସ୍ତରରେ ଭଲ ସଂପର୍କ ଓ ସଂଗଠନ ଥିବାରୁ ଯଦି ବିଜେପି ତାଙ୍କୁ ପ୍ରାର୍ଥୀ କରେ ତେବେ ତାଙ୍କ ପଲା ଭାରି ରହିବ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି।

ରାଜ୍ୟର ସଂସ୍କୃତି, ସାହିତ୍ୟ, ରାଜନୀତି, ପ୍ରଗତି ଓ ଚାଷୀ ଆନ୍ଦୋଳନ ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ ଯାଜପୁର ଜିଲ୍ଲାବାସୀଙ୍କର ସର୍ବଦା ସିଂହଭାଗ ରହିଛି। ‌ଯାଜପୁର ଜିଲ୍ଲାର ସଚେତନ ନାଗରିକମାନେ ମଧ୍ୟ ରାଜନେତାଙ୍କର ଉଚ୍ଚାରଣ ଓ ଆଚରଣ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟକୁ ମଧ୍ୟ ଆକଳନ କରିବା ଆରମ୍ଭ କରିଛନ୍ତି। ବିଗତ ଦିନରେ ବିଧାୟକଙ୍କ କାନ୍ଧରେ ସାଂସଦ ପ୍ରାର୍ଥୀମାନେ ନିର୍ବାଚନ ବୈତରଣୀ ପାର ହୋଇଯାଉଥିବା ବେଳେ ଏଥର ସେଥିରେ ଭିନ୍ନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସେ ଦୃଷ୍ଟିରୁ ସାଂସଦ ପ୍ରାର୍ଥୀ ଚୟନ ‌ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ।

ସତୁରି ଦଶକରୁ ଅଶୀ ଦଶକ ମଧ୍ୟ ଭାଗ(୧୯୭୧ ରୁ ୧୯୮୪) ପର୍ଯ୍ୟନ୍ତ ଯାଜପୁର ସଂସଦୀୟ କ୍ଷେତ୍ରକୁ କଂଗ୍ରେସ ନିଜ ଦଖଲରେ ରଖିଥିଲା। ମାତ୍ର ୧୯୮୯ ମସିହାରେ ଯାଜପୁର କଂଗ୍ରେସ ହାତରୁ ଖସିଗଲା। ଗତ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଏହା ଅଣକଂଗ୍ରେସ ଗଡ଼ରେ ପରିଣତ ହୋଇଛି। ମଝିରେ ୧୯୯୮ରେ ଥରେ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ମଲିକ ବିଜୟୀ ହୋଇଥିଲେ।

୨୦୦୪ ଓ ୨୦୦୯ ମସିହାରେ ଲଗାତାର ୨ ଥର ସାଂସଦ ଭାବେ ବିଜୟୀ ହୋଇଥିବା ମୋହନ ଜେନାଙ୍କ ଶାଣିତ ରାଜନୀତି କେତେକ ବିଧାୟକଙ୍କ ଅସହ୍ୟ ହୋଇପଡ଼ିଥିଲା। ଗତ ସାଧାରଣ ନିର୍ବାଚନରେ ମୋହନଙ୍କ ଟିକେଟ୍‌ କାଟି ଦିଆଯାଇଥିଲା। ତାଙ୍କ ସ୍ଥାନରେ ରୀତା ତରାଇଙ୍କୁ ଟିକଟ ମିଳିଥିଲା। ରୀତା ମଧ୍ୟ ରେକର୍ଡ଼ ସଂଖ୍ୟକ ଭୋଟ୍ ପାଇଁ ସଂସଦକୁ ନିର୍ବାଚିତ ହୋଇଥିଲେ। ମାତ୍ର ଚଳିତ ନିର୍ବାଚନରେ ରୀତାକୁ ବାଦ ଦେଇ ଦଳର ହାଇକମାଣ୍ଡ ଜଣେ ମହିଳା ପ୍ରଶାସିକା ଶର୍ମିଷ୍ଠା ସେଠୀଙ୍କୁ ଟିକେଟ ଦେଇଛନ୍ତି। ରାଜନୀତିରେ ଅନଭିଜ୍ଞ ଶର୍ମିଷ୍ଠା ବିଧାୟକଙ୍କ ହାତ ଧରି ପାର ହେବାକୁ ଆଶା ବାନ୍ଧି ବସିଥିବା ବେଳେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଥିବା ମୋହନ ଯଦି ଟିକଟ ପାଆନ୍ତି ତେବେ ସେ ସବୁ ଅଙ୍କକୁ ଗଡ଼ବଡ଼ କରାଇ ଦେବେ ବୋଲି ମଧ୍ୟ ଆଲୋଚନା ହେଉଛି।

ଅନ୍ୟପଟେ ନାମାଙ୍କନ ଦାଖଲ ପାଇଁ ଆଉ ମାତ୍ର ଦୁଇଦିନ ବାକି ଥିବା ବେଳେ କଂଗ୍ରେସ ଏଯାବତ କୌଣସି ପ୍ରାର୍ଥୀ ଘୋଷଣା କଲା ନାହିଁ। ଶର୍ମିଷ୍ଠା ପ୍ରଚାର ମଇଦାନକୁ ଓହ୍ଳାଇ ନଥିବା ବେଳେ ସାଂସଦ ରୀତା ତରାଇଙ୍କୁ ଭେଟି ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲିଙ୍ଗନ କରିଛନ୍ତି। ପ୍ରତ୍ୟକ୍ଷ ଶାସନ ପରିଚାଳନାରେ ସରକାରଙ୍କୁ ସହଯୋଗ କରୁଥିବା ଶର୍ମିଷ୍ଠା ଏବେ ସିଧାସଳଖ ସରକାରଙ୍କ ଅଂଶବିଶେଷ ହେବାକୁ ଆଶା ବାନ୍ଧିଛନ୍ତି। ସେ ଉଚ୍ଚ ଶିକ୍ଷିତା ଏବଂ ଅର୍ଥ ବିଭାଗରେ ଦୀର୍ଘଦିନ କାର୍ଯ୍ୟ କରି ଅଭିଜ୍ଞତା ହାସଲ କରିଥିବାରୁ ତାଙ୍କ ଉପରେ ‌େଭାଟର ଆସ୍ଥା ପ୍ରକଟ କରିବେ ବୋଲି ଆଲୋଚନା ହେଉଥିବା ବେଳେ ପୁରଖା ନେତା ଏବଂ ରାଜନୈତିକ ଗୋଟିଚାଳନାରେ ଧୁରନ୍ଧର ମୋହନଙ୍କୁ କେତେଦୂର ଟକ୍କର ଦେ‌ଇପାରିବେ ତାହାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର