ଡାକ୍ତରଖାନାରେ ପୁଣି ଜଣେ ଛାତ୍ରୀଙ୍କୁ ଛାଡ଼ି ଯୁବକ ଫେରାର, ୪ ଦିନରେ ୩ ଛାତ୍ରୀ ଅସାମାଜିକଙ୍କ ଶିକାର

ଭଦ୍ରକ/ଧାମନଗର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ଧାମନଗରର କିଛି ଯୁବକ ଅପହରଣ କରିନେଇ ମୁମୂର୍ଷୁ ଅବସ୍ଥାରେ ଡାକ୍ତରଖାନାରେ ଛାଡ଼ି ଫେରାର ହୋଇଯିବା ପରେ ସଂପୃକ୍ତ ଛାତ୍ରୀଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ଜନମାନସରେ ସତେଜ ଥିବାବେଳେ ଆଜି ପୁଣି ସମାନପ୍ରକାର ଘଟଣା ଘଟିଛି। ମଙ୍ଗଳବାର ଅପରାହ୍ନରେ ଜଣେ କଲେଜ ଛାତ୍ରୀଙ୍କୁ କିଛି ଯୁବକ ଧାମନଗର ଡାକ୍ତରଖାନାରେ ଛାଡ଼ି ଫେରାର ହୋଇ ଯାଇଛନ୍ତି। ଏହିପରି ଭାବେ ୪ ଦିନରେ ୩ ଜଣ ଛାତ୍ରୀ ଅସାମାଜିକଙ୍କ ଶିକାର ହୋଇଛନ୍ତି। ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ଘଟଣା ସବୁ ପୁଲିସର ଅପାରଗତା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ସୂଚୀତ କରୁଛି ବୋଲି ସାଧାରଣ ଜନତା ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଆଜି ଧାମନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଲେଜ ଛାତ୍ରୀଙ୍କ ଘର ନିକଟସ୍ଥ ଚୂଡ଼ାକୁଟି ଦହିପୁର ମଳିକ ସାହିରେ। ସେ ଭଦ୍ରକସ୍ଥିତ ଏକ ଘରୋଇ ଆବାସିକ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢୁଛନ୍ତି। ଚାକିରି ଅନ୍ବେଷଣରେ ଧାମନଗର କଲେଜ ନିକଟ ଏକ କଂପ୍ୟୁଟର ସେଣ୍ଟରକୁ ଛାତ୍ରୀଜଣକ ଆଜି ଆସିଥିବା ବେଳେ ସେଠାରୁ କିଛି ଯୁବକ ତାଙ୍କୁ ଉଠାଇ ନେଇଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଧାମନଗର ଥାନା ଦହିପୁର ଜାଗୁଳାଇ ସାହିର ଅନନ୍ତ ସାହୁ ସଂପୃକ୍ତ ଛାତ୍ରୀଙ୍କୁ ନଦୀ ଆରପାର୍ଶ୍ବ ଯାଜପୁର ଜିଲ୍ଲା କଟିକଟା ଅଞ୍ଚଳକୁ ବୁଲିଯିବାକୁ କହିବାରୁ ଛାତ୍ରୀଜଣକ ମନା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭିଯୁକ୍ତ ଅନନ୍ତ ଓ ତାର ସହଯୋଗୀମାନେ ଛାତ୍ରୀଙ୍କୁ ଧମକଚମକ ଦେବା ସହ ମାରଧର କରିବାରୁ ସେ ଅଚେତ ହୋଇ ଯାଇଥିଲେ। ପରେ ଅଭିଯୁକ୍ତମାନେ ଛାତ୍ରୀଙ୍କୁ ଏକ ବାଇକ୍‌ରେ ଆଣି ଧାମନଗର ଡାକ୍ତରଖାନାରେ ଛାଡି ପଳାଇଥିଲେ। ଛାତ୍ରୀଙ୍କ ପରିବାର ଲୋକେ ଏ ନେଇ ଧାମନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଅନନ୍ତ ସହିତ ତାର ଦୁଇ ସହଯୋଗୀ ଦେବାଶିଷ ସାହୁ ଓ ସଂଜୟ ନାୟକକୁ ଧରି ଥାନାରେ ଅଟକ ରଖିଛି। ଅଭିଯୁକ୍ତ ଅନନ୍ତର କହିବା ଅନୁଯାୟୀ ଛାତ୍ରୀଙ୍କ ସହିତ ତାର ପ୍ରେମ ସଂପର୍କ ଥିଲା। ଅନ୍ୟପକ୍ଷରେ ଡାକ୍ତରଖାନାରେ ଚିକିତ୍ସାଧୀନ ଛାତ୍ରୀଙ୍କର ଚେତା ଫେରିଥିଲେ ମଧ୍ୟ ଅତ୍ୟଧିକ ଭୟଭୀତ କାରଣରୁ ସେ ଘଟଣା ସଂପର୍କରେ କିଛି କହି ପାରୁନାହାନ୍ତି।

ସୂଚନାଯୋଗ୍ୟ, ପୂର୍ବ ଘଟଣା‌ରେ ଧାମନଗରର କିଛି ଯୁବକ ଗତ ୨ ତାରିଖରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ଗୁରୁତର ଅବସ୍ଥାରେ କୋଚିଳା ନଦୀପଠାରେ ପକାଇ ଫେରାର ହୋଇ ଯାଇଥିଲେ। ଛାତ୍ରୀଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଆଣି ଧାମନଗର ଡାକ୍ତରଖାନାରେ ଛାଡ଼ି ଆଉ ୨ ଯୁବକ ଫେରାର ହୋଇ ଯାଇଥିଲେ। ୩ ତାରିଖରେ କଟକ ବଡ଼ ଡାକ୍ତରଖାନାରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି, ଅନ୍ୟ ଜଣେ ଛାତ୍ରୀ ଝାଉଁବଣରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର