ଯାଜପୁର ଜିଲ୍ଲାର ନାବାଳିକା ଦୁଷ୍କର୍ମ ଘଟଣା: ଧର୍ମଶାଳାର ଦୁଇ ପୁଲିସ ଅଧିକାରୀଙ୍କୁ ଗିରଫ ଦାବି କଲା ବିଜେପି

ଭୁବନେଶ୍ବର : ଯାଜପୁର ଜିଲ୍ଲାର ଧର୍ମଶାଳାର କଣ୍ଟିଗଡ଼ିଆରେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ସ୍ଥାନୀୟ ପୁଲିସ ଉପରକୁ ଆଙ୍ଗୁଠି ଉଠାଇଛି ବିଜେପି। ୧୫ ବର୍ଷର ନାବାଳିକାକୁ ରାତି ଅଧରେ କିଛି ଦୁର୍ବୃତ୍ତ ବନ୍ଧୁକ ଓ ଛୁରି ମୁନରେ ଅପହରଣ କରି ଦୁଷ୍କର୍ମ କରିଛନ୍ତି। ଏଥିରେ ଧର୍ମଶାଳା ଥାନାର ଦୁଇ ଜଣ ପୁଲିସ ଅଧିକାରୀଙ୍କ ସଂପୃକ୍ତି ରହିଛି। ତେଣୁ ଏହି ଦୁଇ ଅଧିକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପି ଦାବି କରିଛି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଲେ, କଣ୍ଟିଗଡ଼ିଆର ଏକ ବଜରଙ୍ଗୀ ଲେଡିଜ୍ କର୍ଣ୍ଣର୍‌ ପାଖରେ ଥିବା ବେଆଇନ ଘରେ ଅସାମାଜିକ କାର୍ଯ୍ୟ କରାଯାଉଛି। ପୀଡ଼ିତା ନାବାଳିକାକୁ ଧର୍ମଶାଳା, କଟକ, ସୁକିନ୍ଦା ଅଞ୍ଚଳରେ ରଖି ୬ରୁ ୭ ଦିନ ପର୍ଯ୍ୟନ୍ତ ତା’ ଆଖିରେ ଅନ୍ଧପୁଟୁଳି ବାନ୍ଧି ଲଡ଼ୁରେ ନିଶା ଔଷଧ ଖାଇବାକୁ ଦେଇ ଦୁଷ୍କର୍ମ କରାଯାଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାର ମୁଖ୍ୟ ଅପରାଧୀ ପିଣ୍ଟୁ ତା’ର ସମ୍ପର୍କୀୟ ଭଉଣୀ, ଭିଣୋଇଙ୍କ ଘରେ ନାବାଳିକାକୁ ଦୁଷ୍କର୍ମ କରିଛି। ଏହି ଭଉଣୀ, ଭିଣୋଇ ଦୁଇ ଜଣ ଧର୍ମଶାଳା ଥାନାରେ ପୁଲିସ ଅଧିକାରୀ ଭାବେ କାର୍ଯ୍ୟରତ। ପିଣ୍ଟୁ ଓ ତା’ର ସମ୍ପର୍କୀୟମାନେ ପୀଡ଼ିତା ନାବାଳିକାକୁ ମାନସିକ ଓ ଶାରୀରିକ ଭାବେ ଶୋଷଣ କରନ୍ତି।

ଅଭିଯୋଗ ପରେ ପୁଲିସ୍‌ ପିଣ୍ଟୁ, ତା’ର ଭାଇ ଓ ସହଯୋଗୀମାନଙ୍କୁ ଗିରଫ କରିଥିଲା ବେଳେ ପୁଲିସ ଅଧିକାରୀ ଥିବା ସେହି ଭଉଣୀ ଓ ଭିଣୋଇଙ୍କୁ ଗିରଫ କରିନି। ପୀଡ଼ିତା ସେମାନଙ୍କ ନାମ ନେଇଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଯଦି ପୁଲିସ ଘରେ ଏପରି ଘଟଣା ଘଟୁଛି, ତେବେ ଦୋଷୀକୁ କିଏ ଦଣ୍ଡିତ କରିବ ? ଏହା କି ପ୍ରକାର ଆଇନ ?

ବିଜେପି ପକ୍ଷରୁ ଆହୁରି ଦାବି କରାଯାଇଛି, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ। ପିଣ୍ଟୁକୁ ବିନା ଲାଇସେନ୍ସ‌େର କିଏ ବନ୍ଧୁକ ଦେଲା ତାହାର ତଦନ୍ତ କରାଯାଉ। ଯାଜପୁର ଜିଲ୍ଲା ଏସ୍‌ପିଙ୍କୁ ବହିଷ୍କାର କରାଯାଉ। ବଜରଙ୍ଗୀ ଲେଡିଜ୍ କର୍ଣ୍ଣର୍ କିଏ ଚଳାଉଛି ଓ ସେଠାକୁ କେଉଁ ପ୍ରକାର ମହିଳା ଆସୁଛନ୍ତି, ତାହାର ତଦନ୍ତ କରାଯାଉ। ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଓ ମୁଖପାତ୍ର ‌େସାନାଲି ସାହୁ ଉପସ୍ଥିତ ଥିଲେ। ଗତକାଲି ବିଜେପିର ଏକ ପ୍ରତିନିଧିଦଳ କଣ୍ଟିଗଡ଼ିଆସ୍ଥିତ ନାବାଳିକା ଘରକୁ ଯାଇ ପୀଡ଼ିତାକୁ ଭେଟିଥିଲେ। ପ୍ରତିନିଧିଦଳରେ ଲେଖାଶ୍ରୀ ସାମନ୍ତସିଂହାର, ଗୌତମ ରାୟ, ଅମର ନାୟକ ଓ ବବିତା ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର