ଯାଜପୁରରେ ଚିହ୍ନଟ ନୂଆ ୩ ଆକ୍ରାନ୍ତଙ୍କ ମଧ୍ୟରେ ୨ ମହିଳା ଓ ଜଣେ ପୁରୁଷ

ଭୁବନେଶ୍ବର/ଯାଜପୁର: ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତଙ୍କ ସଂପର୍କରେ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ। ସୂଚନା ଅନୁସାରେ ଏମାନଙ୍କ ମଧ୍ୟରୁ ଜଣେ କୋଲକାତା ଫେରନ୍ତା ହୋଇଥିବା ବେଳେ ଅନ୍ୟ ୨ ଜଣ ନିଜର କୋଲକାତା ଫେରନ୍ତା ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣର ଶିକାର ହୋଇଛନ୍ତି।

ବୁଧବାର ବିଳମ୍ବିତ ରାତିରେ ଯାଜପୁରରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ପୁରୁଷ ଜଣକ ଦଶରଥପୁର ବ୍ଲକର ଡାହାଣହତା ପଞ୍ଚାୟତ ଦେଓପଦାର ୬୫ ବର୍ଷିୟ ବ୍ୟକ୍ତି ହୋଇଥିବା ବେଳେ ସେ ନିକଟରେ କୋଲକାତାରୁ ଫେରିଥିଲେ। ତାଙ୍କୁ କ୍ବାରେଣ୍ଟାଇନରେ ରଖା ଯାଇଥିଲା ଏବଂ ସଂକ୍ରମଣର କୌଣସି ଲକ୍ଷଣ ତାଙ୍କଠାରେ ପ୍ରକାଶ ପାଇ ନ ଥିଲା।

ସେହିପରି ଉକ୍ତ ବ୍ଲକର କଟିକଟା ପଞ୍ଚାୟତରେ ଅନ୍ୟ ଦୁଇ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯେଉଁମାନେ କି ଏଠାରେ ଚିହ୍ନଟ ହୋଇଥିବା ୨ ଜଣ ପୂର୍ବ ଆକ୍ରାନ୍ତଙ୍କ ପରିବାରର ସଦସ୍ୟ। ଏହି ଦୁଇ ମହିଳାଙ୍କ ବୟସ ଯଥାକ୍ରମେ ୧୮ ଓ ୫୬ ବର୍ଷ। ଏମାନଙ୍କୁ ମିଶାଇ ଦଶରଥପୁର ବ୍ଲକରେ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି ଓ ଯାଜପୁର ଜିଲ୍ଲା ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବେ ବଜାୟ ରହିଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୮ ହୋଇଛି। ତେଣେ ରାଜ୍ୟରେ ୩୯ ଜଣ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧,୬୯୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୧୨୮ଟି ପଜିଟିଭ୍ ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର