ଯାଜପୁର: ପାକ୍ସରେ ଧାନକିଣା ଦୁର୍ନୀତି, ଲୋକାୟୁକ୍ତଙ୍କ ଛାଟ ପରେ ବହିଷ୍କାର ନୋଟିସ୍

କବାଟବନ୍ଧ : ଯାଜପୁରର ଧର୍ମଶାଳା ବ୍ଲକ୍ ଅଞ୍ଚଳରେ ଥିବା ରେଖିଦେଈପୁର ପାକ୍ସରେ ଚାଷୀଙ୍କ ଧାନ କିଣାରେ ମହାଦୁର୍ନୀତି ଘଟଣାକୁ ଲୋକାୟୁକ୍ତ ଗୁରୁତର ସହିତ ଗ୍ରହଣ କରିଛନ୍ତି। ଏହି ଦୁର୍ନୀତି ଘଟଣାର ସମୀକ୍ଷା ପାଇଁ ଲୋକାୟୁକ୍ତ ଦିନଧାର୍ଯ୍ୟ କରିଥିବାବେଳେ ତା’ ପୂର୍ବରୁ କଟକ ସମବାୟ ଉପନିର୍ଦ୍ଦେଶକ ବହିଷ୍କାର ନୋଟିସ୍‌ ଜାରି କରିଛନ୍ତି।

ରେଖିଦେଈପୁର ସେବା ସମବାୟ ସମିତିରେ ଚାଷୀମାନଙ୍କର ୨୦୧୫-୧୬ ଖରିଫ ଧାନ କିଣାରେ ବ୍ୟାପକ ଘୋଟାଲା ହୋଇଥିଲା। ସେ ନେଇ ସଂପୃକ୍ତ ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅକ୍ଷୟ କୁମାର ବେହେରାଙ୍କ ବିରୋଧରେ ଚାଷୀମାନେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଯାଜପୁର ସମବାୟ ସହ ନିବନ୍ଧକ ଓ କଟକ ସମବାୟ ଉପନିର୍ଦ୍ଦେଶକ ଭିନ୍ନଭିନ୍ନ ଭାବେ ତଦନ୍ତ କରିଥିଲେ। ଉଭୟ ତଦନ୍ତ ରିପୋର୍ଟରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଦୁର୍ନୀତିରେ ସଂପୃକ୍ତ ଥିବା ପ୍ରମାଣ ମିଳିଥିଲା। ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟନିର୍ବାହୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମବାୟ ବିଭାଗ ପରିଚାଳନା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପରିଚାଳନା ପରିଷଦ ସଭାପତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଯାହାଫଳରେ ଅଭିଯୋଗକାରୀ ଚାଷୀମାନେ ଲୋକାୟୁକ୍ତଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି କରିଥିଲେ। ଲୋକାୟୁକ୍ତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଇନାହିଁ ବୋଲି ସମବାୟ ବିଭାଗର ଅଧିକାରୀଙ୍କୁ ପ୍ରଶ୍ନ କରିବା ସହ ବିଭାଗର ଅବହେଳା ପାଇଁ ଅଧିକାରୀଙ୍କୁ କୈଫିୟତ ତଲବ କରିଥିଲେ। ଚାଷୀଙ୍କ ଧାନ କିଣାବିକା କାରବାରରେ ବ୍ୟାପକ ଦୁର୍ନୀତି ଧରାପଡ଼ିବା ସତ୍ତ୍ବେ ସମ୍ପୃକ୍ତ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଘଟଣା ଉପରେ ଲୋକାୟୁକ୍ତ ଗତ ମାସ ୨୮ତାରିଖରେ ଶୁଣାଣି କରି ଅଧିକାରୀମାନଙ୍କୁ ଦାୟୀ କରିବା ସହିତ ତାଗିଦ କରିଥିଲେ।

ପରିଚାଳନା ପରିଷଦର ସଭାପତି କାର୍ଯ୍ୟନିର୍ବାହୀଙ୍କ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବାରୁ କାର୍ଯ୍ୟକାଳ ପୂର୍ବରୁ ପରିଚାଳନା ପରିଷଦକୁ ଭାଙ୍ଗି ଦେବା ପାଇଁ ଏବେ ପ୍ରକ୍ରିୟା ଆରମ୍ଭ କରିଛି। କଟକ ସମବାୟ ଉପନିର୍ଦ୍ଦେଶକ ଚଳିତ ମାସ ୪ତାରିଖରେ ଚିଠି ସଂଖ୍ୟା ୧୮୫୧ରେ ପରିଚାଳନା ପରିଷଦର ସଭାପତି, ଉପ ସଭାପତି ଓ ସମସ୍ତ ସଭ୍ୟସଭ୍ୟାଙ୍କ ସମେତ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ୧୫ ଦିନ ମଧ୍ୟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ମତ ରଖିବା ପାଇଁ ନୋଟିସ ଜାରି କରିଛନ୍ତି। ପରିଷଦ ଓ ସମ୍ପାଦକଙ୍କୁ କାହିଁକି ବହିଷ୍କାର କରାନଯିବ ବୋଲି କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ପୁଣି ଲୋକାୟୁକ୍ତଙ୍କ ୨୧ତାରିଖରେ ଘଟଣାର ସମୀକ୍ଷା କରିବାର ଦିନ ଧାର୍ଯ୍ୟ କରିଥିବାରୁ ଅଧିକାରୀ ଏବେ ଚଳଚଞ୍ଚଳ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର