ଯାଜପୁର ପିଡିଏସ୍ ଅନିୟମିତତା ମାମଲା : ସବୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଖାଦ୍ୟ ସାମଗ୍ରୀ ପହଞ୍ଚାଅ: ହାଇକୋର୍ଟ

କଟକ : ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଖାଦ୍ୟ ସାମଗ୍ରୀ ସବୁ ଯୋଗ୍ୟ ପରିବାର ନିକଟରେ ପହଞ୍ଚିବା ଆବଶ୍ୟକ। କୌଣସି ବ୍ୟକ୍ତି ଯେପରି କ୍ଷୁଧାରେ ନ ରୁହନ୍ତି, ତାହା ନିଶ୍ଚିତ କରିବା ଦାୟିତ୍ବ ହେଉଛି ପ୍ରଶାସନର। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ରେ ରାସନକାର୍ଡ ପ୍ରଦାନ ଓ ପିଡିଏସ୍ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ରାୟ ଦେବା ସହିତ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଧର୍ମଶାଳା ତହସିଲାଦାରଙ୍କ ଜରିଆରେ ଘଟଣାର ତଦନ୍ତ ୬ ସପ୍ତାହ ଭିତରେ ଶେଷ କରାଇବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାରେ ଉଲ୍ଲେଖ କରିଥିବା ପରିବାର/ବ୍ୟକ୍ତିବିଶେଷଙ୍କ ସଂପର୍କରେ ଅନୁଧ୍ୟାନ କରାଯାଇ ଯୋଗ୍ୟ ପରିବାର ସଦସ୍ୟଙ୍କୁ ଖାଦ୍ୟଶସ୍ୟ ଓ ପିଡିଏସ ସାମଗ୍ରୀ ପ୍ରଦାନ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ବେଶ୍ବର ବେଉରାଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ଯାଜପୁର ଜିଲ୍ଲାରେ ରାସନକାର୍ଡଧାରୀଙ୍କୁ କୋଭଡି-୧୯ ସହାୟତା ରାଶି ବଣ୍ଟନ ବେଳେ ହଜାର ହଜାର ହିତାଧିକାରୀ ନିଖୋଜ ଥିବା ଜଣାପଡ଼ିଥିଲା ବୋଲି ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଜିଲ୍ଲାର ଅନ୍ୟ ବ୍ଲକ ସହିତ ଧର୍ମଶାଳା ବ୍ଲକରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ପିଡିଏସ୍ ସାମଗ୍ରୀ ବଣ୍ଟନ ଅନିୟମିତତା ଅଭିଯୋଗର ଉପଯୁକ୍ତ ତଦନ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ମାମଲାର ଶୁଣାଣି କରି ୨୦୨୦, ମେ ୧୨ରେ ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। ଏହାପରେ ଧର୍ମଶାଳା ବିଡିଓଙ୍କ ପକ୍ଷରୁ ମାମଲାରେ ଜବାବ ଦାଖଲ କରାଯାଇଥିଲା। ଏହି ଜବାବ ଉପରେ ଆବେଦନକାରୀ ସର୍ବେଶ୍ବର ବେହୁରା ସତ୍ୟପାଠ ମାଧ୍ୟମରେ ପ୍ରତିଜବାବ ଦାଖଲ କରିଥିଲେ।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରସନ୍ନ କୁମାର ପାଢୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର