ଯାଜପୁର: ଯାଜପୁର ଜିଲ୍ଲାକୁ ବିଜେଡିର ଗଡ଼ କୁହାଯାଉଥିଲା। ୨୪ବର୍ଷ ଧରି ଏଠକାର ବିଜେଡି ନେତାମାନେ ଅଖଣ୍ଡ କ୍ଷମତା ଉପଭୋଗ କରୁଥିଲେ। ଏପରିକି ରାଜ୍ୟରେ ନିଜର ଦବ୍‌ଦବା ଜାରି ରଖିଥିଲେ। ପରିବର୍ତ୍ତନ ହାୱାରେ ଗଡ଼ ଭୁଶୁଡ଼ିଗଲା। ଫଳସ୍ବରୂପ ଏହି ନେତାଙ୍କ ଶିବିର ଏବେ ଅସୁରକ୍ଷିତ। ବିଜେପି ସରକାର କ୍ଷମତାକୁ ଆସିବାର ଦିନ କେଇଟା ମଧ୍ୟରେ ଯାଜପୁର ଜିଲ୍ଲାର ‌ବଲ୍ଲେ ବଲ୍ଲେ ଢାବା, କୁସୁମାର ବିଳାଶପୂର୍ଣ୍ଣ ବଙ୍ଗଳା, କ୍ରୋମାଇଟ୍ ଉପତ୍ୟକାରେ ଶ୍ରମିକ ଶୋଷଣ, ଗୁପ୍ତ ପ୍ରକଳ୍ପ ଓ ଲଘୁ ଖଣିଜ କେଳେଙ୍କାରୀ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେଡିକୁ ଘେରିଛନ୍ତି। ବିଜେଡି ଶାସନର ଥାନପତିମାନେ ଏବେ ନିଜ ଶିବିରାର୍ଥୀଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ସାହସ କରିପାରୁ ନାହାନ୍ତି।

Advertisment

ଯାଜପୁର ଜିଲ୍ଲାର ସମସ୍ତ ୩୯ ଜିଲ୍ଲା ପରିଷଦ, ସମସ୍ତ ୧୦ ବ୍ଲକ୍ ଅଧ୍ୟକ୍ଷ, ସାଂସଦ ସହିତ ସମସ୍ତ ବିଧାନସଭା ଆସନ ବିଜେଡି କବ୍‌ଜାରେ ରହିଥିଲା। ଗତ ନିର୍ବାଚନରେ ଲୋକସଭା ଆସନ ସହିତ ୪ଟି ଆସନ ବିଜେଡି ହାତରୁ ଖସିଗଲା। କୋରେଇ ବିଧାୟକ ଆକାଶ ଦାସନାୟକ ଦ୍ବିତୀୟ ଥର ପାଇଁ ବିଧାୟକ ହୋଇଥିବା ବେଳେ ଅନ୍ୟ ସମସ୍ତେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏହା ସତ୍ତ୍ବେ ବିଜେପି ନେତାମାନେ ଜିଲ୍ଲାରେ ନିଜର ଦବ୍‌ଦବା ଜାହିର କରୁଛନ୍ତି। ଅପରପକ୍ଷରେ ବିଜେଡି ନେତାମାନେ ଆତ୍ମସୁରକ୍ଷା ପାଇଁ ବାଟ ଖୋଜୁଥିବା ଚର୍ଚ୍ଚା ହେଉଛି।
ବର୍ଷ ବର୍ଷ ଧରି ଚାଷୀଙ୍କୁ ଅବହେଳା କରାଯାଉଥିଲା। ମାତ୍ର ସରକାର ପରିବର୍ତ୍ତନର ଦିନକେଇଟା ହୋଇଥିବା ବେଳେ ଗତକାଲି କୋରେଇର ବିଜେଡି ନେତାମାନେ ଯାଜପୁର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସଙ୍କ ନେତୃତ୍ବରେ ଜଳସେଚନ ସୁବିଧା ଦାବି କରି ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ଏଥି ପୂର୍ବରୁ ବରୀର ବିଜେଡି ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ରସୁଲପୁର ବ୍ଲକର ସମୀକ୍ଷା କଲା ବେଳେ ବିଡିଓ ଅନୁପସ୍ଥିତ ରହିବା ଚର୍ଚ୍ଚାକୁ ଆସିଥିଲା।

ଅପରପକ୍ଷରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ) ବିଜେଡି ଶାସନ ବେଳେ ହୋଇଥିବା କେଳେଙ୍କାରୀ ପେଡ଼ି ଖୋଲି ଚର୍ଚ୍ଚାକୁ ଆସିଛନ୍ତି। ସେହିପରି ବଡ଼ଚଣା ବିଧାୟକ ଅମର ନାୟକ ୫-ଟି ସ୍କୁଲ୍ ଓ ବ୍ଲକରେ ଚାଲିଥିବା ଦୁର୍ନୀତି କାରବାରକୁ ନେଇ ଶାଣିତ ରାଜନୀତି ଆରମ୍ଭ କରିଛନ୍ତି। ସୁକିନ୍ଦାରେ ଖଣିଖାଦାନ ଓ ଶିଳ୍ପାଞ୍ଚଳରେ ଶ୍ରମିକ ଶୋଷଣକୁ ଅସ୍ତ୍ର କରି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ତାଙ୍କ ସମର୍ଥକମାନେ ଶାଣିତ ରାଜନୀତି କରୁଛନ୍ତି। ମାତ୍ର କୋରେଇ ବିଧାୟକ ଆକାଶ ଦାସନାୟକ ନିଜର ଶାନ୍ତ ସରଳ ସ୍ବଭାବ ବଳରେ ଯେପରି ନିର୍ବାଚନ ଫଳକୁ ନିଜ ସପକ୍ଷରେ ନେଇଗଲେ, ଏବେ ସମସ୍ତଙ୍କୁ ଆପଣାଇ ନେବା ପାଇଁ ଗୋଟିଚାଳନା କରୁଛନ୍ତି। ଯାଜପୁର ଆସନରେ ସ୍ବଳ୍ପ ଭୋଟରେ ପରାସ୍ତ ହୋଇଥିବା ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ରାଜନୀତି କରୁଛନ୍ତି। ମୋଟାମୋଟି ଭାବେ ଜିଲ୍ଲାରେ ବିଜେପି ଶିବିର ବେଶ ଉତ୍ସାହର ସହିତ କାମ କରୁଥିବା ବେଳେ ବିଜେଡି ଶିବିର ଆତ୍ମସୁରକ୍ଷା ପାଇଁ ବାଟ ଖୋଜୁଥିବା ଚର୍ଚ୍ଚା ହେଉଛି।