ଯାଜପୁର: ଯାଜପୁର ନିର୍ବାଚନମଣ୍ଡଳୀରୁ ଲଗାତର ତିନି ଥର ହେଲା ଜିତି ଆସୁଥିବା ପ୍ରଣବ ପ୍ରକାଶ ଦାସ (ବବି) ପୁଣି ଏଠାରୁ ପ୍ରାର୍ଥୀ ହେବେ ନା ତାଙ୍କ ଦୁଇ ଭାଇ ଲଲ କିମ୍ବା ସତ୍ୟଙ୍କୁ ଏଠାରୁ ପ୍ରାର୍ଥୀ କରି ପଡ଼ୋଶୀ ନିର୍ବାଚନ ମଣ୍ଡଳୀକୁ ନିଜ ନିୟନ୍ତ୍ରଣକୁ ନେବାକୁ ଗୋଟି ଚାଳନା କରିବେ ସେଥିନେଇ ଚର୍ଚ୍ଚା ହେଉଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ବବିଙ୍କ ରାଜନୈତିକ ଗୋଟି ଚାଳନା ବିରୋଧୀ ଓ ପ୍ରତିଦ୍ବନ୍ଦ୍ବୀଙ୍କୁ ଗୋଲକଧନ୍ଦାରେ ପକାଇଛି। ଯାଜପୁର ସହରର ବିକାଶକୁ ନେଇ ବବିଙ୍କ ପାଇଁ ଏହି ଆସନଟି ବେଶ ସୁରକ୍ଷିତ ବୋଲି କୁହାଯାଉଛି। ତେବେ ବବି ତାଙ୍କ ବାପା ସ୍ବର୍ଗତ ଅଶୋକ ଦାସଙ୍କ ଏକଦା କର୍ମଭୂମି ପାଲଟିଥିବା ପଡ଼ୋଶୀ କୋରେଇ ଆସନକୁ ଦଖଲ କରିବାକୁ ଯୋଜନା ଆରମ୍ଭ କରି ଦେଇଛନ୍ତି। ୨୦୧୯ ନିର୍ବାଚନ ପରଠାରୁ ବବି କୋରେଇରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ବିଭିନ୍ନ ସମୟରେ ତାଙ୍କ ସମର୍ଥକମାନେ ଏ ନେଇ ବେଶ ପ୍ରଚାର କରୁଛି। ଏଭଳି ସ୍ଥିତିରେ ଯାଜପୁରରେ ବବିଙ୍କ ବଦଳରେ କିଏ ବୋଲି ପ୍ରଶ୍ନ ଉଠୁଛି।
ବବିଙ୍କ ଦାଦାପୁଅ ଭାଇ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରକାଶ ଦାସ(ଲଲ)ଙ୍କ ନାମ ଚର୍ଚ୍ଚା ହେଉଥିଲା। ଏବେ ଅନ୍ୟତମ ଦାଦାପୁଅ ସତ୍ୟ ପ୍ରକାଶ ଦାସ ବିଜେଡିରେ ପ୍ରବେଶ କରିଛନ୍ତି। ବବି ରାଜ୍ୟର ନେତୃ୍ତ୍ବ ନେବା ବେଳେ ଲଲ ଯାଜପୁର ଓ କୋରେଇର ରାଜନୈତିକ କାର୍ଯ୍ୟକୁ ନିୟନ୍ତ୍ରଣ କରୁଥିଲେ। କିଛି ଦିନ ହେଲା ଲଲଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କ ସ୍ଥାନ ସତ୍ୟଙ୍କୁ ଦେବାକୁ ବବି ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ଅନ୍ୟପଟେ ୨୦୧୯ରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ବବିଙ୍କ ବିରୋଧରେ ଲଢ଼ିଥିଲେ। ବବି ପ୍ରାୟ ୪୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ ୨୦୧୪ ତୁଳନାରେ ୨୦୧୯ ନିର୍ବାଚନରେ ପ୍ରାୟ ୯ପ୍ରତିଶତ କମ୍ ଭୋଟ ପାଇଥିଲେ। ବବି ଏଥର ମଧ୍ୟ ବିକାଶକୁ ନେଇ ରାଜନୀତି ଶାଣିତ କରିଛନ୍ତି। ମେଡିକାଲ କଲେଜ, ପର୍ଯ୍ୟଟନ ସ୍ଥଳ ଓ ସହର ସୌନ୍ଦର୍ଯ୍ୟୀକରଣରେ ଶହ ଶହ କୋଟି ଟଙ୍କା ବ୍ୟୟ କରି ମତଦାତାକୁ ପ୍ରଭାବିତ କରିଛନ୍ତି। ତଥାପି ପୁରୁଖା ରାଜନେତା ଗୌତମ ରାୟଙ୍କୁ ବବିଙ୍କ ବ୍ୟତୀତ ଅନ୍ୟ କେହି ସାମ୍ନା କରିବା ସହଜ ହେବନି। ସେହିପରି ବିଜେପିର ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି ସଂଗ୍ରାମ କେଶରୀ ପାତ୍ର ମଧ୍ୟ ଏଠାରୁ ପ୍ରାର୍ଥୀ ହେବା ପାଇଁ ଲାଗିପଡ଼ିଛନ୍ତି। ଏଥର ଗୌତମ ନା ସଂଗ୍ରାମ କିଏ ବିଜେପିର ପ୍ରାର୍ଥୀ ହେବ ବୋଲି ଦ୍ବନ୍ଦ୍ବ ଦେଖା ଦେଲାଣି। ଅପର ପକ୍ଷରେ କଂଗ୍ରେସ ନେତା ସନ୍ତୋଷ ନନ୍ଦ ଦୁଇଥର ଦଳୀୟ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ ହେଁ ଲୋକସମ୍ପର୍କ ରଖିବାରେ ପଛରେ ପଡ଼ିନାହାନ୍ତି। ଯାଜପୁର ଆସନରୁ କେଉଁ ଦଳରୁ କିଏ ପ୍ରାର୍ଥୀ ସେ ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ବିକାଶ ସହିତ ଦୁର୍ନୀତି ମଧ୍ୟ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଅଭାସ ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Jajpur-Municipality.jpg)