ରାସନ କେଳେଙ୍କାରୀ ନେଇ ଜନସ୍ୱାର୍ଥ ମାମଲା : ବିଡିଓଙ୍କ ସତ୍ୟପାଠକୁ ନେଇ ପ୍ରଶାସନ ହରଡ଼ଘଣାରେ

ଯାଜପୁର : କୋଠାଘର, ସରକାରୀ ଚାକିରିଆଙ୍କୁ ମିଳୁଛି ରାସନ। ତେବେ ଗରିବକୁ ହକ୍‌ ଦେବା ବେଳେ ନାନା ଫନ୍ଦିଫିକର ଆପଣାଯାଉଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ର ରାସନ ଘୋଟାଲା ଏବେ ହାଇକୋର୍ଟରେ ପହଞ୍ଚିଥିବାବେଳେ ସ୍ଥାନୀୟ ବିଡିଓ ସ୍ମିତା ରଥଙ୍କ ଦ୍ବାରା ହାଇକୋର୍ଟରେ ଦାଖଲ ସତ୍ୟପାଠ ଏବେ ଅନେକ ପ୍ରଶ୍ନ ଠିଆ କରିଛି।

ସାମାଜିକ କର୍ମୀ ସର୍ବେଶ୍ବର ବେହୁରା ଧର୍ମଶାଳା ବ୍ଲକ୍‌ ରାସନ କେଳେଙ୍କାରୀ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଧର୍ମଶାଳା ବିଡ଼ିଓ ସ୍ମିତା ରଥ ସତ୍ୟପାଠ ଜରିଆରେ ତଥ୍ୟ ଓ ମତାମତ ରଖିଛନ୍ତି। ବିଡ଼ିଓଙ୍କ ସତ୍ୟପାଠକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ସତ୍ୟପାଠରେ ଅନେକ ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଛି ବୋଲି ସଂପୃକ୍ତ ପରିବାରଗୁଡ଼ିକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ହରଡ଼ଘଣାରେ ପଡ଼ିଛି।

ପ୍ରକାଶଥାଉକି, ବିଡିଓ ତାଙ୍କ ସତ୍ୟପାଠର ଆନେକ୍ସଚର-ଏ/୬ରେ କ୍ରମିକ ନମ୍ବର ୪ରେ ପ‌ାଖର ପଞ୍ଚାୟତର ଛେଳିଆପଦା ଗ୍ରାମର ଡଲି ମଲିକ, ସ୍ବାମୀ ବେଲାଳସେନ ମଲିକ ଅଧିକ ବିଦ୍ୟୁତ ବିଲ୍ ପୈଠ କରୁଥିବାରୁ ରାସନ ସାମଗ୍ରୀରୁ ବଞ୍ଚିତ କରାଯାଇଛି ବୋଲି ଦର୍ଶାଯାଇଛି। ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ହୋଇ ନଥିବାବେଳେ ଅଧିକ ବିଦ୍ୟୁତ ବିଲ୍ ଅଧିକ ହେଲା କିପରି ବୋଲି ବେଲାଳସେନ ଓ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଠିକ୍ ସେହିପରି ମହିସରା ପଞ୍ଚାୟତ ଅନ୍ତର୍ଗତ ରମ୍ପେଇ ଗ୍ରାମର ମାୟାଧର ବିଶ୍ବାଳଙ୍କ ପତ୍ନୀ ସ୍ବର୍ଣ୍ଣଲତା ବିଶ୍ବାଳଙ୍କର ଏକ କୁଡ଼ିଆ ଘର ଥିବାବେଳେ ୬ବଖରା କୋଠାଘର ଥିବା ଦର୍ଶାଇ ରାସନ ପ୍ରଦାନରୁ ବଞ୍ଚିତ କରାଯାଇଛି। ସତ୍ୟପାଠରେ ୬ ବଖରା କୋଠାଘର ଦର୍ଶାଯାଇଛି। ବିଡିଓଙ୍କ ଏଭଳି ସତ୍ୟପାଠ ସମସ୍ତଙ୍କୁ ଚକିତ କରିଛି। ସେହିପରି କମାଗଡ଼ ପଞ୍ଚାୟତ ଅନ୍ତର୍ଗତ କମାଗଡ଼ ଗ୍ରାମର ଧ୍ରୁବଚରଣ ମହାରଣାଙ୍କ ପତ୍ନୀ ଦୀପ୍ତିମୟୀଙ୍କ ଶାଶୂ ଓ ଶ୍ବଶୁର ପେନସନ ଭୋଗୀ ବୋଲି ଦର୍ଶାଇ ରାସନରୁ ବଞ୍ଚିତ କରାଯାଇଥିଲା। ‌ଶାଶୂ ଶ୍ବଶୁର ୨୦୧୫ ମସିହାରୁ ମୃତ୍ୟୁବରଣ ‌କରିଥିବା ପରିବାର ସୂତ୍ରରୁ ପ୍ରକାଶ। ସେହିପରି, ସସ୍ମିତା ଜେନା ( ପ୍ରକୃତ ନାମ ସଙ୍ଗୀତା ଜେନା)ଙ୍କର ଶାଶୂ ଶ୍ବଶୁର ପେନସନଭୋଗୀ ଦର୍ଶାଇ ରାସନ କାର୍ଡରୁ ବାଦ ଦିଆଯାଇଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ମାତ୍ର ପେନସନଭୋଗୀ ଦ୍ବୟ ଗତ ମାର୍ଚ୍ଚରୁ ମଲେଣି। ଏବେ ଧରାପଡ଼ିଯିବା ଭୟରେ ତରବରିଆ ଭାବେ ଗତ ୩ଦିନ ତଳେ ୧୩ତାରିଖରେ ନୂତନ କାର୍ଡ ଓ ରାସନ ସାମଗ୍ରୀ ଶ୍ରୀମତୀ ଜେନାଙ୍କ ପରିବାରକୁ ପ୍ରଦାନ କରାଯାଇଛି। ସତ୍ୟପାଠରେ ଏହିଭଳି ମିଥ୍ୟା ତଥ୍ୟ ମାନ୍ୟବର କୋର୍ଟରେ ପ୍ରଦାନ କରାଯାଇଥିବା ପ୍ରଚାର ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଫଳରେ ଆଜି ଧର୍ମଶାଳା ‌ଏମ୍‌ଆଇ ଜଗମୋହନ ଦାଶ ଘର ଘର ବୁଲି ପୁଣି ତଦନ୍ତ କରୁଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର