ଇସ୍ପାତ ରାଜଧାନୀ ମୁଖଶାଳାରେ ସ୍ୱାସ୍ଥ୍ୟସେବା ଏମିତି, ୭ ଶହ ରୋଗୀଙ୍କୁ ୩ ଡାକ୍ତର

ବ୍ୟାସନଗର : ଆଜ୍ଞା, ଘଣ୍ଟାଏ କି ଦି’ ଘଣ୍ଟା ନୁହେଁ। ଅଧା ଓଳି ଗଲାଣି। ତଥାପି ଡାକ୍ତରଙ୍କୁ ଦେଖାଇ ପାରିନାହୁଁ। ଏମିତି କହିଛନ୍ତି ଲମ୍ବା ଧାଡ଼ିରେ ଟିକଟ ଧରି ଠିଆ ହୋଇଥିବା କେତେକ ରୋଗୀ। ଔଷଧ ମଧ୍ୟ ଡାକ୍ତରଖାନାରୁ ମିଳୁ ନାହିଁ। ବାହାରୁ କିଣିବାକୁ ପଡ଼ୁଛି। ନର୍ସ ଥରେ ଆସିଲେ ଦ୍ବିତୀୟ ଥର ନଡାକିଲେ ଆସୁନାହାନ୍ତି ବୋଲି ବହୁ ରୋଗୀ ଓ ତାଙ୍କ ସଂପର୍କୀୟ କହିଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଶିଳ୍ପ ସମୃଦ୍ଧ ଇସ୍ପାତ ରାଜଧାନୀର ମୁଖଶାଳା ବ୍ୟାସନଗର ସହରରେ ଥିବା ଯାଜପୁରରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ଦୈନିକ ହାରାହାରି ୭ଶହ ‌ରୋଗୀଙ୍କୁ ମାତ୍ର ୩ ଜଣ ଡାକ୍ତର ସେବା ଯୋଗାଇ ଚାଲିଛନ୍ତି। ଏଭଳି ସ୍ଥିତିରେ ରୋଗୀ ସେବା କେମିତି ହେଉଥିବ ତାହା ସହଜରେ ଅନୁମେୟ।

୨୦୧୦ରେ ଯାଜପୁରରୋଡ଼ ଡାକ୍ତରଖାନା ସିଏଚସି ମାନ୍ୟତା ପାଇଲା। ଶଯ୍ୟା ସଂଖ୍ୟା ଯେତିକି ଥିଲା ସେତିକିରେ ଅଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତିନି ବର୍ଷ ହେଲାଣି ପ୍ରମୁଖ ବିଭାଗ ମେଡିସିନ ଓ ଶିଶୁ ବିଶେଷଜ୍ଞ ନାହାନ୍ତି। ଦୁଇ ମାସ ହେବ ସର୍ଜରୀ ବିଭାଗରେ ଜଣେ ଡାକ୍ତର ନିଯୁକ୍ତି ପାଇଛନ୍ତି। ତିନି ଜଣ ଡାକ୍ତରଙ୍କ ମଧ୍ୟରୁ ଆନାସ୍ଥେସିଆ ଡାକ୍ତର ଡ. ସନ୍ତୋଷ କୁମାର ପୃଷ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ସ୍ତ୍ରୀ ଓ ପ୍ରସୂତି ଡା. ସୌଭାଗ୍ୟ ରଂଜନ ସୁବୁଦ୍ଧି ଓ ସର୍ଜରି ବିଭାଗ ଡ. ଫୁଲକ ରଂଜନ ମଲିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସାହା ଭରସା ପାଲଟିଛନ୍ତି।

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଏଠାରେ ୮ ଜଣ ଡାକ୍ତର ରହିବା ଜାଗାରେ ତିନି ଜଣ ଡାକ୍ତର ଅଛନ୍ତି। ଆବଶ୍ୟକ ଅନୁଯାୟୀ ନର୍ସ ମଧ୍ୟ ନାହାନ୍ତି। ୧୦ ଜଣ ନର୍ସ ତିନିଟି ବିଭାଗରେ ତିନି ସିପ୍ଟରେ କାର୍ଯ୍ୟ କରୁଛନ୍ତି। ଜଣେ ନର୍ସ ଲେବର ରୁମରେ ରହୁଥିବା ବେଳେ ଜଣେ ‌ଜେନେରାଲ ୱାର୍ଡ କାର୍ଯ୍ୟ କରୁଛନ୍ତି। ଡ୍ରେସିଂ ହେବାକୁ ଆସୁଥିବା ରୋଗୀ ସଂଖ୍ୟା ପ୍ରତିଦିନ ଶହେ ଟପିଲାଣି। ସେହି ତୁଳନାରେ ମଧ୍ୟ କର୍ମଚାରୀ ନାହାନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବେଡ ସଂଖ୍ୟା ୩୦ ରେ ଅଟକିଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଫେଇ ପାଇଁ ସୁଇପର ନାହାନ୍ତି। ଠିକାଦାର ଅଧୀନରେ ଦୁଇ ଜଣ ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଡ୍ରେନରେ ପାଣି ନିଷ୍କାସନ ହୋଇପାରୁନାହିଁ। ବର୍ଷା ଟିକିଏ ହେଲେ ୱାର୍ଡରେ ପାଣି ପଶୁଛି। ଫାର୍ମାସିଷ୍ଟ ୪ ଜଣ ରହିବା ବଦଳରେ ଜଣେ ଫାର୍ମାସିଷ୍ଟ ସପ୍ତାହରେ ଦୁଇ ଦିନ କାମ କରୁଛନ୍ତି। ୨୪ ଘଣ୍ଟିଆ ସେବାରୁ ରୋଗୀ ବଞ୍ଚିତ ହେଉଛନ୍ତି। ରେଗୁଲାର ଟେକନିସିଆନ ନଥିବାରୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଜଣେ ଟେକନିସିଆନ ସପ୍ତାହରେ ଦୁଇ ଦିନ ଆସୁଛନ୍ତି। ଶଯ୍ୟା ସଂଖ୍ୟା ୱାର୍ଡରେ ୨୦ ଥିବାରୁ ଡାକ୍ତରଖାନାକୁ ଆସୁଥିବା ରୋଗୀ ଶଯ୍ୟା ଅଭାବରୁ ତଳେ ଶୋଉଛନ୍ତି। ସରକାର ନିରାମୟ ଯୋଜନାରେ ଔଷଧ ୨୪ ଘଣ୍ଟିଆ ଯୋଗାଇ ଦେଉଥିଲେ ମଧ୍ୟ ରୋଗୀମାନେ ସମସ୍ତ ଔଷଧ ବାହାରୁ କିଣିବାକୁ ବାଧ୍ୟ ହେଉଛନ୍ତି। ଗରିବ ରୋଗୀ ବାହାର ଔଷଧ ଦୋକାନରୁ ଔଷଧ କିଣି ଖର୍ଚ୍ଚାନ୍ତ ହେଉଛନ୍ତି।

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ଶ୍ରୀ ପୃଷ୍ଟିଙ୍କୁ ପଚାରିବାରୁ ସେ କହିଥିଲେ ଯେ ଅଭିଯୋଗର ସତ୍ୟତା ଅଛି। ଡାକ୍ତର ଅଭାବରୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇ ପାରୁ ନାହିଁ। ଔଷଧ ଅଭାବ ଲାଗି ରହିଛି। ସେମାନେ ଔଷଧ ପାଇପାରୁନାହାନ୍ତି। ଯେଉଁ ଔଷଧ ସରୁଛି ତାକୁ ଶୀଘ୍ର ପଠାଉ ନାହାନ୍ତି। ତେବେ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ପୃଷ୍ଟି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର