ଆରଟିଓଙ୍କୁ ଯୋଜନାବଦ୍ଧ ହତ୍ୟା!

ପଥର ମାଫିଆଙ୍କ ଭୂମିକାକୁ ନେଇ ତଦନ୍ତ କରିବ ପୁଲିସ୍‌

ଯାଜପୁର/କୋରେଇ : ଯାଜପୁର ଆର୍‌ଟିଓ ଦାୟିତ୍ୱରେ ଥିବା ଏମ୍‌ଭିଆଇ ମନୋଜକୁମାର ବେହେରାଙ୍କ ମୃତ୍ୟୁକୁ ଗୋଟିଏ ଗୋଷ୍ଠୀ ଦୁର୍ଘଟଣା ବୋଲି କହି ଏଡ଼ାଇ ଯାଉଥିଲେ ହେଁ, ଏହା ପଛରେ କିଛି ପଥର ମାଫିଆଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ଘଟଣା ସଂପର୍କରେ ମିଳୁଥିବା ତଥ୍ୟ ମାମଲାକୁ ଅଧିକ ରହସ୍ୟାବୃତ୍ତ କରୁଛି।

ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଆଜି ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ଶ୍ରୀ ବେହେରା ଜଣେ ମହିଳା ସହକର୍ମୀ ଏବଂ ଅନ୍ୟ ୨ଜଣ କର୍ମଚାରୀଙ୍କ ସହ ଯାଜପୁରରୋଡସ୍ଥିତ ଏକ ହୋଟେଲ୍‌ରୁ ରାତ୍ରଭୋଜନ କରି ଫେରୁଥିବାବେଳେ ବାଟରେ ଓଭରଲୋଡ୍‌ ଚିପ୍ସ ଗାଡ଼ିଗୁଡ଼ିକ ତାଙ୍କ ନଜରରେ ପଡିଥିଲା। ଶ୍ରୀ ବେହେରା ହାଇୱାଗୁଡ଼ିକୁ ଧରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ବେଆଇନ୍‌ ଓଭର୍‌ଲୋଡ୍‌ ଚିପ୍ସ୍‌ ନେଇ ଯାଉଥିବା ହାଇୱା ଗୁଡିକ ଅଟକିନଥିଲେ। ଶେଷରେ ଆରଟିଓ ଶ୍ରୀ ବେହେରା ଯାଜପୁରରୋଡ୍‌-ପାଣିକୋଇଲି ରାସ୍ତାର ଆଲିଆ ଛକ ନିକଟରେ ନିଜର ହୁଣ୍ଡାଇ କ୍ରେଟା(ଓଡ଼-୦୧ଏ- ୦୦୦୭) ନମ୍ବର କାର୍‌କୁ ଆଡ଼ ପକାଇ ଚିପ୍ସ୍‌ ବୋଝେଇ ହାଇୱା(ଓଡ଼ି- ୦୧କେ-୫୫୭୭)କୁ ଅଟକାଇଥିଲେ। ଏହି ହାଇୱାଟି ଅଟକିବା ପରେ ଆର୍‌ଟିଓ ଶ୍ରୀ ବେହେରା ହାଇୱା ଚାଳକ ନିକଟକୁ ଯାଇ କାଗଜପତ୍ର ତନଖି କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ପଛରୁ ଆସୁଥିବା ଆଉ ଏକ ଚିପ୍ସ୍‌ ବୋଝେଇ ହାଇୱା ଦ୍ରୁତ ଗତିରେ ଆସି ଅଟକିଥିବା ହାଇୱାକୁ ଧକ୍କା ଦେଇଥିଲା। ଫଳରେ ଆରଟିଓ ଶ୍ରୀ ବେହେରାଙ୍କୁ (ଓଡ଼ି-୦୧କେ-୫୫୭୭) ନମ୍ବର ପ୍ରଥମ ହାଇୱାଟି ଧକ୍କା ଦେଇଥିଲା। ସେ ତଳେ ପଡ଼ିଯିବା ପରେ ତାଙ୍କ ଉପରେ ହାଇୱାର ପଛ ଚକ ଚଢି ଯାଇଥିଲା ବୋଲି କେତେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ପଥର ମାଫିଆଙ୍କ ନିର୍ଦେଶରେ ଡ୍ରାଇଭରମାନେ ଯୋଜନାବଦ୍ଧ ଭାବେ ଆର୍‌ଟିଓ ଶ୍ରୀ ବେହେରାଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା କରିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଲାଣି। ଆର୍‌ଟିଓ ଶ୍ରୀ ବେହେରାଙ୍କ ଉପରେ ମାଡ଼ି ଯାଇଥିବା ହାଇୱା ଗାଡ଼ିରେ ୩୧.୬ ଟନ୍‌ ଚିପ୍ସ ରହିଥିବା ବେଳେ ଧକ୍କା ଦେଇଥିବା ହାଇୱା ଓଡ଼ି-୦୪ଜେ-୯୪୭୫ରେ ୩୪.୪ଟନ୍‌ ଚିପ୍ସ୍‌ ରହିଥିଲା ବୋଲି ଚାଲାଣରୁ ଜଣାପଡିଛି। ଆଜି ଘଟଣାର ତଦନ୍ତକାରୀ ଅଧିକାରୀ ତଥା କୋରେଇ ଥାନା ଏସ୍‌ଆଇ ଅଜୟ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ଧକ୍କା ଦେଇଥିବା ହାଇଓ୍ଵାର ଖଲାସି ଭୁବନ ଥାନା ଅଂଚଳର ନନ୍ଦ ବେହେରାଙ୍କ ପୁଅ ସୁରେଶ (୪୪)ଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏହି ଚିପ୍ସ୍‌ ବଡ଼ଚଣା ଥାନା ଭଡଙ୍ଗାର ଟୁକୁ ନାୟକଙ୍କ କ୍ରସର୍‌ରୁ ଭଦ୍ରକ-ଚାନ୍ଦବାଲି ରାସ୍ତା କାମ କରୁଥିବା ଠିକାଦାର ନେଉଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ମାତ୍ର ଏହା ଧର୍ମଶାଳା ନିର୍ବାଚନମଣ୍ଡଳୀର ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କର ବେଆଇନ୍‌ କ୍ରସର୍‌ରୁ ଆସିଛି ବୋଲି ଆର୍‌ଟିଓ କାର୍ଯ୍ୟାଳୟର କେତେକ କର୍ମଚାରୀ ପ୍ରକାଶ କରିଛନ୍ତି। ଏପରିକି କିଛି ଦିନ ପୂର୍ବରୁ ଏହି ଗାଡ଼ିର ମାଲିକଙ୍କ ଅନ୍ୟ ଏକ ଗାଡ଼ିରୁ ଆର୍‌ଟିଓ ଶ୍ରୀ ବେହେରା ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିବା କୁହାଯାଉଛି। ଯାହାକି ଅନୁସଂଧାନ ସାପେକ୍ଷ। ଆର୍‌ଟିଓ ଶ୍ରୀ ବେହେରାଙ୍କ ଉପରେ ମାଡ଼ିଯାଇଥିବା ହାଇୱାର ମାଲିକ ମନ୍ମଥ କୁମାର ତୋଳା ଓ ପଛରୁ ଧକ୍କା ଦେଇଥିବା ହାଇୱାର ମାଲିକ ସତ୍ୟରଂଜନ ନାୟକ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର