ସ୍କୁଲ ଖୋଲିଲେ ଯାଜପୁର ଜିଲ୍ଲାର ୩୧୨ ଛାତ୍ରଛାତ୍ରୀଙ୍କ ନୂଆ ଠିକଣା

ଯାଜପୁର(ଅନିଲ କୁମାର ପଣ୍ଡା): ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ରହୁଥିବା ଦର୍ଶାଇ ଜିଲ୍ଲାରେ ୩୫୦ ସ୍କୁଲ ବନ୍ଦ କରିବାକୁ ଯାଜପୁର ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ତେବେ ସେଥିରୁ ୩୧୨ ଟି ସ୍କୁଲ ସଂପୂର୍ଣ୍ଣ ବନ୍ଦ ଘୋଷଣା ପରେ ଏବେ ବଦଳି ଯାଇଛି ଉକ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ଠିକଣା। ସ୍କୁଲ ଖୋଲିବା ପାଇଁ କରୋନା ଗାଇଡଲାଇନ ବଳବତ୍ତର ଥିବାରୁ  ଖୋଲିପାରିନାହିଁ। କିନ୍ତୁ ଆଗାମୀ ନୂଆ ବର୍ଷରେ ସ୍କୁଲ ଖୋଲିଲେ ସେହି ବନ୍ଦ ସ୍କୁଲ ଛାତ୍ରଛାତ୍ରୀ ନିକଟବର୍ତ୍ତୀ ସ୍କୁଲକୁ ପାଠପଢ଼ିବାକୁ ଯିବେ। ତେବେ ଏହି ସ୍କୁଲ ବନ୍ଦର ନିଷ୍ପତ୍ତି ଭିତରେ ସ୍ବଚ୍ଛତା ରହୁନଥିବା ଅଭିଯୋଗ ଉଠିଥିବା ବେଳେ ୩୧୨ ବନ୍ଦ ସ୍କୁଲ ମଧ୍ୟରୁ ୩/୪ଟି କ୍ଷେତ୍ରରେ ଅଭିଭାବକ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ମୋଟ ୫୪୬ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା। ଯାହାକୁ କି ପ୍ରଥମେ ଜିଲ୍ଲା ଶିକ୍ଷା ବିଭାଗ ଚିହ୍ନଟ କରିଥିଲା। ତେବେ ବ୍ଲକ ୱାରୀ ପ୍ରସ୍ତୁତ ବନ୍ଦ ସ୍କୁଲ ତାଲିକାରୁ ସଂପୃକ୍ତ ବିଇଓମାନେ ବିଭିନ୍ନ ପ୍ରକାର ଲବି ଏବଂ ବିଭିନ୍ନ ଚାପ ଯୋଗୁ ୧୯୬ଟି ସ୍କୁଲକୁ ବନ୍ଦ କରାଯାଇପାରିବ ନାହିଁ ବୋଲି ରିପୋର୍ଟ ପ୍ରଦାନ କରିଥିଲେ। ଯେତେ ବେଳେ ପ୍ରଥମେ ଶିକ୍ଷା ବିଭାଗ ଯେଉଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୨୦ରୁ କମ୍, ୪୦ ରୁ କମ ରହିଥିବ ଓ ୧ କିମି ଦୂରରେ ଆଉ ଏକ ପ୍ରାଥମିକ ବିଦ୍ୟାଳୟ ରହିଥିବ ସେପରି ବିଦ୍ୟାଳୟ ବନ୍ଦ ଘୋଷଣାର ଗାଇଡ ଲାଇନ ଅନୁସାରେ ୫୪୬ ସ୍କୁଲ ତାଲିକା ପ୍ରସ୍ତୁତ ହୋଇଥିଲା। କିନ୍ତୁ ଚିହ୍ନଟ ପକ୍ରିୟା ପରେ ୧୯୬ଟି ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ପାଇଲେ। ତେଣୁ ଏହି ସ୍କୁଲକୁ ବନ୍ଦ କରାଯାଇପାରିବ ନାହିଁ ବୋଲି ରିପୋର୍ଟ ପ୍ରସ୍ତୁତ କରାଗଲା।

ଏହାବାଦ୍ ଆଉ ୩୫୦ ଟି ସ୍କୁଲ ବନ୍ଦ ହେବାକୁ ସ୍ଥିର ହୋଇଥିଲା। ଏହା ପରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୩୮ଟି ସ୍କୁଲର ପନୁଃ ତଦନ୍ତ କରାଯିବାକୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଥିଲା। ଯାହାକି ଏବେ ତଦନ୍ତ ଭିତରେ ରହିଛି। ଏହା ବ୍ୟତୀତ ଅବଶିଷ୍ଟ ୩୧୨ ସ୍କୁଲ ବନ୍ଦ ଘୋଷଣା ହୋଇ ସାରିଛି। ତଥାପି ସେଥିରୁ ୩/୪ଟି ସ୍କୁଲର ଅଭିଭାବକ ସ୍କୁଲ ଖୋଲିବାକୁ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ପ୍ରତି ଗାଁରେ ସରକାର ଶିକ୍ଷା ବିଭାଗ ପାଇଁ ସ୍କୁଲ ଖୋଲି ଏବେ ବନ୍ଦ କରିବାକୁ ବସିଥିବା ବେଳେ ଯାଜପୁର ଜିଲ୍ଲାରେ ଛତୁ ଫୁଟିଲା ପରି ଘରୋଇ ସ୍କୁଲ ମୁଣ୍ଡ ଟେକିଛି। ପୂର୍ବରୁ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କ ନାମକୁ ସରକାରୀ ସ୍କୁଲରେ ଦେଖାଇ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ଅର୍ଥ ହେରଫେର ହେଉଥିଲା। ଏବେ ୩୧୨ ସ୍କୁଲ ବନ୍ଦ ପରେ ଆତ୍ମସାତ୍ ହେଉଥିବା ସରକାରୀ ଅର୍ଥ ରକ୍ଷା ପାଇବାର ବାଟ ଫିଟିଛି। ତେବେ ଏହି ବନ୍ଦ ତାଲିକାରେ କୋରେଇ ବ୍ଲକରେ ସର୍ବାଧିକ ୫୦ଟି ସ୍କୁଲ ବନ୍ଦ ହୋଇଥିବା ବେଳେ ବ୍ୟା‌ସନଗର ପୌରାଞ୍ଚଳରେ ୨ଟି ସ୍କୁଲ ବନ୍ଦ ହୋଇଛି।

ସମ୍ବନ୍ଧିତ ଖବର