ଯାଜପୁରସଦର: ଯାଜପୁର ବିଧାନସଭା ଆସନରେ ବିଜେଡି ସ୍ଥିତି ଭଲ ନଥିଲା। ଉପରକୁ ସବୁ ଠିକ୍ଠାକ୍ ମନେ ହେଉଥିବାରୁ ନେତାଏ ଏହାର ଟେର୍ ପାଇନଥିଲେ। ହେଲେ, ନିର୍ବାଚନ ଫଳ ସବୁକିଛି ସ୍ପଷ୍ଟ କରିଦେଲା। ଏବେ ପରାଜୟକୁ ପଛରେ ପକାଇ ସଂଗଠନ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେ ଏବେ ଲୋକଙ୍କ ନିକଟରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି। ଯାଜପୁର ବିଧାନସଭା କ୍ଷେତ୍ରକୁ ବିଜେଡି ଗଡ଼ ଭାବେ ଗଣାଯାଉଛି। ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏଠାରୁ ୩ ଥର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏଥର ନିର୍ବାଚନରେ ତାଙ୍କୁ ସମ୍ବଲପୁରରୁ ଲଢ଼ିବାକୁ ପଠାଯାଇ ସୁଜାତା ସାହୁଙ୍କୁ ଏଠାରେ ବିଜେଡି ପ୍ରାର୍ଥୀ କରିଥିଲା। ପରିବର୍ତ୍ତନର ହାୱା ଓ ପୁଞ୍ଜିଭୂତ ଅସନ୍ତୋଷ ହେତୁ ବିଜେଡି ସ୍ଥିତି ଦୋହଲି ଯାଇଥିଲା। ସୁଜାତା ବିଜୟୀ ହୋଇଥିଲେ ହେଁ ଭୋଟ୍ କମିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ସହର ସମେତ ବିଭିନ୍ନ ଅଞ୍ଚଳରେ ବ୍ୟାପକ ବିକାଶ ସତ୍ତ୍ବେ କାହିଁକି ଭୋଟ୍ ହାର ଖସିଲା ସେ ନେଇ କାରଣ ଖୋଜୁଛି ଦଳ।
ହସ୍ତଗତ ସୂଚନା ଅନୁସାରେ, ଏହାରି ଭିତରେ ପ୍ରଣବ ନିଜ ଅଞ୍ଚଳର ସଂଗଠନ ସଜାଡ଼ିବା ଆରମ୍ଭ କରି ଦେଇଛନ୍ତି। ବିଭିନ୍ନ ଅଞ୍ଚଳ ବୁଲି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଲୋକଙ୍କ ସହ ମିଶିବାକୁ ଉଦ୍ୟମ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକଙ୍କ କହିବାନୁସାରେ, ରାଜ୍ୟ ବିଜେଡିର ସଙ୍ଗଠନ ବୁଝୁଥିବାରୁ ପ୍ରଣବ ସ୍ଥାନୀୟ ସରପଞ୍ଚ ଓ ଗ୍ରାମାଞ୍ଚଳ ନେତା, କର୍ମୀଙ୍କ ଉପରେ ଭରସା କରୁଥିଲେ। ତେବେ, ତୃଣମୂଳସ୍ତରରେ ଥିବା ନେତା ଓ କର୍ମୀମାନେ ଲୋକଙ୍କ ସହ ସଂପର୍କରେ ଯୋଡ଼ିବାରେ ବିଫଳ ହୋଇଛନ୍ତି। ଯେଉଁଥିପାଇଁ ଭୋଟ୍ ହାର କମିଛି। ଏପରିସ୍ଥିତିରେ ପ୍ରଣବ ଆଗକୁ କି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯାଜପୁର ବିଧାନସଭା ଆସନରୁ ୨୦୦୦ ମସିହାରେ ସୂର୍ଯ୍ୟମଣି ଜେନା ଓ ୨୦୦୪ରେ ପରମେଶ୍ବର ସେଠୀ ବିଜୟୀ ହୋଇଥିଲେ। ଏହାପରେ ପ୍ରଣବ ପ୍ରକାଶ ଦାସ ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବିଜେପି ପ୍ରାର୍ଥୀ ଗୌତମ ରାୟ ପ୍ରଣବଙ୍କ ଠାରୁ ୪୦ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ହାରିଥିଲେ। ୨୦୧୯ରେ ବିଜେଡି ୬୦.୨୪ ପ୍ରତିଶତ ଓ ବିଜେପି ୩୫.୬୮ ପ୍ରତିଶତ ଭୋଟ୍ ପାଇଥିଲା। ୨୦୨୪ରେ ବିଜେଡି ଭୋଟ ହାର ୪୭.୯୨ ପ୍ରତିଶତକୁ ଖସିଥିବା ବେଳେ ବିଜେପିର ଭୋଟ ହାର ୪୬.୪୯ ପ୍ରତିଶତରେ ପହଞ୍ଚିଛି। ବିଜେପି ପ୍ରାର୍ଥୀ ଗୌତମ ରାୟ ବିଜେଡିର ସୁଜାତା ସାହୁଙ୍କ ଠାରୁ ୨୫୬୪ ଭୋଟ୍ ପଛରେ ରହିଛନ୍ତି। ଏହି ଆସନକୁ ବିଜେଡି ପୁଣି ଦଖଲ କରିଥିଲେ ମଧ୍ୟ ଫଳାଫଳ ଦଳକୁ ସନ୍ତୁଷ୍ଟ କରିପାରି ନାହିଁ।