ଯାଜପୁର: ଯାଜପୁରର ଇତିହାସ ସମୃଦ୍ଧ। ବାୟୁ ପୁରାଣଠାରୁ ଆରମ୍ଭ କରି ମହାଭାରତ ପର୍ଯ୍ୟନ୍ତ ସବୁଥିରେ ଏହାର ମହିମା ବର୍ଣ୍ଣିତ। ଯାଜପୁର ଜିଲ୍ଲା ଗଠନକୁ ଇତିମଧ୍ୟରେ ୩୨ବର୍ଷ ପୂରଣ ହେଲାଣି। ବିଭିନ୍ନ କ୍ଷେତ୍ରରେ ଜିଲ୍ଲାର ବିକାଶ ହୋଇଛି। ଆହୁରି ଅନେକ କାମ ବାକି ଅଛି। ଏହ‌ାକୁ ସମ୍ପୂର୍ଣ୍ଣ କରିବାପାଇଁ ଦଳମତ ନିର୍ବିଶେଷରେ ଏକ ହୋଇ କାମ କରିବାର ଆବଶ୍ୟକତା‌ ରହିଛି। ବିକଶିତ ଜିଲ୍ଲାର ଲୋକ ବୋଲି ପ୍ରତ୍ୟେକ ଯାଜପୁରିଆ ଗର୍ବ କରିବା ଉଚିତ ବୋଲି ଆଜି ଯାଜପୁରରେ ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ‘ଯାଜପୁର ସାଇନିଂ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସେହିପରି ଯାଜପୁରର ବିକାଶ ପାଇଁ ‘ସମ୍ବା‌ଦ’ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅତିଥିମାନେ ଧନ୍ୟବାଦ ଦେଇଛନ୍ତି। ଆଜି ଯାଜପୁର ସହରର ଗୌତମବୁଦ୍ଧ ସଂସ୍କୃତି ଭବନରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପୂର୍ବତନ ଅର୍ଥମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଉନ୍ନୟନ କାମ ପାଇଁ ଆଗରୁ ଟଙ୍କା ନ ଥିଲା। ଆଜି ଓଡ଼ିଶା ଆର୍ଥିକ ଅଭିବୃଦ୍ଧି ଓ ଆର୍ଥିକ ପରିଚାଳନାରେ ଅଗ୍ରଣୀ ରାଜ୍ୟ ହୋଇଛି। ରାଜ୍ୟର ବଜେଟ୍‌ ୨.୯୦ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଯାଜପୁରରେ ମେଡିକାଲ କଲେଜଠାରୁ ଆରମ୍ଭ କରି କୁସୁମାପରି ପର୍ଯ୍ୟଟନସ୍ଥଳ ନିର୍ମାଣ ହୋଇଛି। ଜିଲ୍ଲାର ମୁଣ୍ଡପିଛା ଆୟ ଯଥେଷ୍ଟ ଅଧିକ ରହିଛି। ସେହିପରି ନଗଡ଼ା ଆଜି ତୀର୍ଥକ୍ଷେତ୍ରରେ ପରିଣତ ହୋଇଛି। ଏଠାରେ ରାସ୍ତାଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ, ସ୍କୁଲ ନିର୍ମାଣ କରାଯାଇଛି। ବିଦ୍ୟୁତ୍‌ ସଂଯୋଗ ସାଙ୍ଗକୁ ପିଇବା ପାଣି ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ଘଡ଼ାଇ କହିଛନ୍ତି।

Advertisment

ବିକାଶକୁ ନେଇ ଯାଜପୁରିଆ ଗର୍ବ କରନ୍ତୁ

ସମ୍ମା‌ନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଗୌତମ ରାୟ ଯୋଗଦେଇ କହିଥିଲେ, ଜିଲ୍ଲା ବିକାଶ କ୍ଷେତ୍ରରେ ଯେତିକି ଆଗେଇବା କଥା ଆଗେଇ ପାରିନି। ଲଘୁଖଣିଜ, ପାହାଡ଼, ଜଙ୍ଗଲ, ଜଳ, ଲୁହାପଥର ଓ କ୍ରୋମାଇଟ୍‌ ଯାଜପୁରରେ ଭରପୂର ହୋଇ ରହିଛି। ମା’ ବିରଜା କୌଣସି କ୍ଷେତ୍ରରେ ଯାଜପୁରକୁ ଊଣା କରିନାହାନ୍ତି। ହେଲେ ନଗଡ଼ା ପରି ଗୋଟିଏ ଗାଁ ପାଇଁ ଯାଜପୁର ଦୁର୍ନାମ ମୁଣ୍ଡାଇଛି। ଜିଲ୍ଲାର ପ୍ରତି ବ୍ଲକ୍‌ରେ ଏବେ ବି ନଗଡ଼ା ପରି ଗାଁ ରହିଛି। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ପରସ୍ପର ମଧ୍ୟରେ ବୁଝାମଣା ରଖି ଆମକୁ ଆଗକୁ ବଢ଼ିବାକୁ ହେବ। ଅନ୍ୟତମ ଅତିଥି ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଯାଜପୁର ଜିଲ୍ଲାର ବିକାଶ ପାଇଁ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଯାଜପୁରକୁ ଯଯା‌ତିନଗର ଭାବେ ଗଢ଼ି ତୋଳିବାକୁ ପରିକଳ୍ପନା କରାଯାଇଥିବା କହିଥିଲେ। ମା’ ବିରଜାଙ୍କ ପୀଠର ଉନ୍ନତୀକରଣ ପାଇଁ ଶହେ କୋଟି ଓ ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି ୯୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଯାଜପୁରକୁ ଏକ ଐତିହ୍ୟ ସହରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଡ. ବେହେରା କହିଛନ୍ତି। ବରୀ ବିଧାୟକ ବିଶ୍ବରଂଜନ ମଲ୍ଲିକ କହିଥିଲେ, କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅନେକ ଶିଳ୍ପାନୁଷ୍ଠାନ ରହିଛି। ହେଲେ ଏଠାରେ ଯାଜପୁରର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ମିଳୁନି। ଅଣଓଡ଼ିଆମାନେ ବିଭିନ୍ନ ପଦପଦବିରେ ଅଛନ୍ତି। ଶିଳ୍ପାନୁଷ୍ଠାନରେ ନିଯୁକ୍ତି କ୍ଷେତ୍ରରେ ଯାଜପୁର ଜିଲ୍ଲାର ଯୁବଗୋଷ୍ଠୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ରଖିବାକୁ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି କହିଥିଲେ। ଯାଜପୁର ବିଧାୟିକା ସୁଜାତା ସାହୁ ବିକାଶରେ ଯାଜପୁର ଏବେ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ପାଲଟିଛି ବୋଲି କହିଥିଲେ। ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ନନ୍ଦ ଯାଜପୁର ଜିଲ୍ଲାରେ ଅନେକ କାମ ଅଧୁରା ରହିଛି। ରେଳପଥ ସଂଯୋଗ, ରାଜପଥ ନିର୍ମାଣ ସାଙ୍ଗକୁ ଜିଲ୍ଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି କହିଥିଲେ। 

କାର୍ଯ୍ୟକ୍ରମରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ଯୋଗଦେଇ ‘ସମ୍ବାଦ’ ସବୁବେଳେ କିଛି ନୂଆ କରିଆସୁଛି। ସାଧାରଣ ଲୋକଙ୍କ ସ୍ବର ହୋଇଆସିଛି। ଲକ୍ଷ୍ୟ ସ୍ଥିର କରିବା ସହ ସମସ୍ତେ ଏକାଠି ହୋଇ କାମ କଲେ ନିଶ୍ଚିତ ଚମତ୍କାର ହେବ ବୋଲି କହିଥିଲେ। ସେହିପରି ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ କହିଥିଲେ, ଯାଜପୁର ଭଳି ଏକ ଆଗୁଆ ଜିଲ୍ଲାରେ ନଗଡ଼ା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ରାଜ୍ୟ ରାଜନୀତିରେ ଯାଜପୁରର ନେତାମାନେ ଯେମିତି ଚମକୁଛନ୍ତି, ଯାଜପୁର ଜିଲ୍ଲା ମଧ୍ୟ ସେମିତି ଚମକିବା ଦରକାର ବୋଲି କହିଥିଲେ। 

ଶେଷରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ନିଜ ସଭାପତିତ୍ବ ଅଭିଭାଷଣ ରଖିଥିଲେ। ରାସ୍ତାଘାଟ, କୋଠା ନିର୍ମାଣ ଓ ଭିତ୍ତିଭୂମି ବିକାଶ ପ୍ରମୁଖ ବିକାଶ ନୁହେଁ। ସମାଜର ତଳସ୍ତରରେ ଥିବା ଲୋକଙ୍କ ଅଗ୍ରଗତି ହେଉଛି ପ୍ରକୃତ ବିକାଶ। ବିଦ୍ୟାଳୟର କୋଠା ନିର୍ମାଣ କରି ରଙ୍ଗ ମାରିଦେ‌ଲେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ ନାହିଁ। ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦିଆଯିବା ଦରକାର। ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଜିଲ୍ଲାର ସୁଯୋଗ୍ୟ ସନ୍ତାନମାନଙ୍କୁ ଫେରାଇ ଆଣି ସେମାନଙ୍କ ଅଭିଜ୍ଞତାକୁ କାମରେ ଲଗାଇବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।  ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୬ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ‘ସମ୍ବାଦ’ର ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା ଅତିଥି ପରିଚୟ ଦେଇଥିବା ବେଳେ ମୁଖ୍ୟ ଜିଲ୍ଲା ପ୍ରତିନିଧି ସଂଗ୍ରାମ ସିଂହ ଧନ୍ୟବାଦ ଦେଇଥିଲେ। ସକାଳେ ଯାଜପୁରର ବିକାଶ ପାଇଁ ଏକାଠି ହେବା ବାର୍ତ୍ତା ନେଇ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଏହା ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟରୁ ବାହାରି ସହର ପରିକ୍ରମା କରିବା ପରେ ଗୌତମବୁଦ୍ଧ ସଂସ୍କୃତି ଭବନରେ ପହଞ୍ଚିଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲ୍ଲାର ବିଭିନ୍ନ ସ୍ଥାନରୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ଲୋକପ୍ରତିନିଧିମାନେ ସାମିଲ ହୋଇଥିଲେ।