ଯାଜପୁରର ଯୁବକ ପ୍ରସ୍ତୁତ କଲେ ଅଟୋମେଟିକ୍ ହ୍ୟାଣ୍ଡ ସାନିଟାଇଜର୍

ଯାଜପୁର(ଅନିଲ କୁମାର ପଣ୍ଡା): ବିନା ଟଚ୍ ରେ ହାତକୁ କରିହେବ ସାନିଟାଇଜ୍। ଏଥିପାଇଁ କୌଣସି ସାନିଟାଇଜରକୁ ହାତରେ ଆଣି ଲଗାଇବାକୁ ପଡ଼ିବନି। କେବଳ ମେସିନ୍ ସମ୍ମୁଖରେ ଛିଡ଼ା ହୋଇ ହାତ ଦେଖାଇଲେ ହାତରେ ଆସି ପଡ଼ିବ ସାନିଟାଇଜର। ଏପରି ଏକ ମେସିନ ପ୍ରସ୍ତୁତ କରି ଏବେ ଚର୍ଚ୍ଚାରେ ଯାଜପୁର ପୌରାଞ୍ଚଳର ‌ଜଣେ ଯୁବକ। ଇଲେଟ୍ରିକାଲ ଇଂଜିନିୟରିଂଗ୍ ପଢ଼ୁଥିବା ଯୁବକ ଜଣକ ଏହାକୁ ଆହୁରି କମ୍ ମୂଲ୍ୟରେ ନିର୍ମାଣ ଜାରି ରଖିଛନ୍ତି।

ସୂଚନା ଅନୁସାରେ, ଯାଜପୁର ପୌରାଞ୍ଚଳ ଅଧୀନସ୍ଥ ଶ୍ରୀରାମପୁର(ଜନବଗିଚା) ଅଞ୍ଚଳର ହରେକୃଷ୍ଣ ପାଣିଗ୍ରାହୀଙ୍କ ପୁଅ କୈବଲ୍ୟ ପାଣିଗ୍ରାହୀ(୨୦) ଏବେ ରାୟଗଡ଼ା ଜିଲ୍ଲା ଗୁଣୁପୁରସ୍ଥିତ ଜିଆଇଇଟିରେ ଇଲେଟ୍ରିକାଲ୍ ଇଂଜିନୟର ଭାବେ ପାଠପଢ଼ା ଜାରି ରଖିଛନ୍ତି। ‌ତେବେ ଲକଡାଉନ ସମୟରେ ଘରେ ବସିଥିବା ସମୟରେ ଏକ ଗ୍ରୋସରୀ ଦୋକାନକୁ ଯାଇ ସେଠାରେ ଥିବା ଏକ ସାନିଟାଇଜରକୁ ସବୁ ଲୋକ ହାତରେ ଧରି ବ୍ୟବହାର କରୁଥିବାର ଦେଖିଥିଲେ। ‌ପରେ ଏହାକୁ ଛୁଇଁଲେ ରୋଗ ବ୍ୟାପିବାର ଭୟ ଥିବାରୁ ବିନା ଛୁଆଁରେ କିପରି ହାତ ସାନିଟାଇଜ୍ କରିହେବ ସେ ନେଇ ଚିନ୍ତା କରିଥିଲେ। ପରେ ଘରେ ବସି ଦୋକାନ ଖୋଲା ନ ଥିବାରୁ ଅନଲାଇନରେ ସାମଗ୍ରୀ ମଗାଇ ଏକ ଅଟୋମେଟିକ୍ ହ୍ୟାଣ୍ଡ ସାନିଟାଇଜର ଡିସପେନସର୍ ତିଆରି କରିବାରେ ସଫଳ ହୋଇଛନ୍ତି।

ଏହା ବର୍ତ୍ତମାନ ଲିକୁଇଡ୍ ବେସରେ ନିର୍ମାଣ ହୋଇଥିବା ବେଳେ ଏଥିରେ କିପରି ଆଲକହଲ୍ କାର୍ଯ୍ୟକ୍ଷମ ହୋଇପାରିବ, ସେ ନେଇ ସେ ଉଦ୍ୟମ ଜାରି ରଖିଛନ୍ତି। ମାତ୍ର ୭ଶହ ଟଙ୍କା ବିନିମୟରେ ‌ସେ ଏପରି ମେସିନ ପ୍ରସ୍ତୁତ କରିପାରିଛନ୍ତି, ଯାହାକି ପ୍ରତ୍ୟେକ ଲୋକ ନିଜ ଘରେ, ଦୋକାନରେ ,ଗାଡ଼ିରେ, ସପିଙ୍ଗ ମଲରେ, ଅଫିସରେ ଏହାକୁ ବ୍ୟବହାର କରିପାରିବେ। ଏହାକୁ ନିର୍ମାଣ କରିବା ପରେ ସେ ନିଜର ବାପାଙ୍କୁ ଜଣାଇଥିଲେ ଏବଂ ପରେ ଏହା ପାଖପଡ଼ିଶା ଲୋକ ଦେଖି କୈବଲ୍ୟଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହାକୁ ‌କିପରି ଆହୁରି ଛୋଟ କରି ପ୍ରସ୍ତୁତ କରି ହେବ ସେ ନେଇ କୈବଲ୍ୟ କାର୍ଯ୍ୟ ଜାରି ରଖିଛନ୍ତି।
ଯାଜପୁର ପୂର୍ବତନ ପୌରପାଳ ଭବ ପ୍ରସାଦ ଦାସ କୈବଲ୍ୟଙ୍କ ପାଖକୁ ଯାଇ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ସମସ୍ତଙ୍କ ଆର୍ଶୀବାଦ ରହିଲେ କୈବଲ୍ୟ ଆହୁରି ଭଲ ଭଲ ଜିନିଷ ତିଆରି କରି ଯାଜପୁର ପାଇଁ ଗର୍ବ ଆଣିପାରିବେ ବୋଲି ପରିବାର ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର