ଯାଜପୁର(ଅନିଲ କୁମାର ପଣ୍ଡା): ମହାତ୍ମଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ଯାଜପୁର ଜିଲ୍ଲା ଓଡ଼ିଶାର ୨୭ତମ ସ୍ଥାନରୁ ୪ ନମ୍ବରକୁ ଲମ୍ପ ପ୍ରଦାନ କରିବା ପ୍ରତିବଦଳରେ କଣ ରହିଛି ବାସ୍ତବ ଚିତ୍ର, ତାହାକୁ ଏବେ ସାଧାରଣ ଲୋକ ଜାଣିବାର ଆବଶ୍ୟକତା ରହିଛି। କାରଣ ପ୍ରବାସୀଙ୍କୁ କାମ ଦିଆଯାଉଥିବା କଥା କାଗଜକଲମରେ ସୀମିତ ରହୁଥିବା ପ୍ରବାସୀ ପ୍ରଶ୍ନ ଉଠାଇଲେଣି। ଖାଲି ଯାଜପୁର ବ୍ଲକ ନୁହେଁ ଜିଲ୍ଲାର ପ୍ରତିଟି ବ୍ଲକରେ ଏବେ ବି ମନରେଗା କାମରେ ଶ୍ରମିକ ବଦଳରେ ମେସିନ କାମ କରୁଥବାରୁ ଖବର ବାରମ୍ବାର ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ରେ ପ୍ରକାଶ ପାଇ ଆସୁଛି। ଯଦି ଜିଲ୍ଲାରେ ହଜାର ହଜାର ମନରେଖା କାର୍ଯ୍ୟ କରାଯାଉଛି ପ୍ରକାଶିତ ଖବର ସେଥିରୁ ଗୋଟିଏ ଅଂଶ ମାତ୍ର। ତେବେ କିପରି ମନରେଗାରେ ଜିଲ୍ଲାକୁ ବଡ଼ ସଫଳତା ମିଳିଛି, ତାହା ସାଧାରଣରେ ଗ୍ରହଣ ଯୋଗ୍ୟ ହୋଇପାରୁନାହିଁ।
ସୂଚନା ଅନୁସାରେ ମେ ପ୍ରଥମ ସପ୍ତାହରେ ମନରେଗା ସଫଳତା ତାଲିକାରେ ଯାଜପୁର ଜିଲ୍ଲା ୨୭ ନମ୍ବର ସ୍ଥାନରେ ରହିଥିଲା। କିନ୍ତୁ ଏହି ସେହି ମାସରେ ହିଁ ଜିଲ୍ଲାକୁ ବଡ଼ ସଫଳତା ମିଳିଥିବା ଗତକାଲି ପ୍ରଶାସନ ସ୍ପଷ୍ଟ କରିଛି। ଯାହାକି ମନରେଖା ସଫଳତାରେ ଜିଲ୍ଲା ୪ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ଜିଲ୍ଲାରେ ଲକ୍ଷାଧିକ ଶ୍ରମିକ ଓ ପ୍ରବାସୀ ଘରେ ବସିଥିବା ବେଳେ ପ୍ରଶାସନ ପାଖାପାଖି ୧ଲକ୍ଷ ପରିବାରକୁ ମନରେଗାରେ ସାମିଲ କରି ୧୦୦ ଦିନର କାର୍ଯ୍ୟ ଦିବସ ସୃଷ୍ଟି ଲକ୍ଷ୍ୟ ରଖିଛି। ତେବେ ବିଭାଗୀୟ ତଥ୍ୟାନୁସାରେ ଚଳିତ ଆର୍ଥିକ ବର୍ଷରେ ୧କୋଟି କର୍ମ ଦିବସ ସୃଷ୍ଟି କରାଯାଇ ୩୨୪ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ରଖାଯାଇଛି।
ପ୍ରଶାସନିକ ତଥ୍ୟାନୁସାରେ ମେ ମାସରେ ୨ଲକ୍ଷ ୪୨ ହଜାରରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇ ୭ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ପାଖାପାଖି ୧୭ ହଜାର ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏହି ଯୋଜନାରେ ବିଭିନ୍ନ ବିଭାଗକୁ ସାମିଲ କରି ଜିଲ୍ଲାର ଟାର୍ଗେଟ ପୂରଣ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।
ଏହା ପ୍ରଶାସନିକ ଦିଗ ଓ ସଫଳତାର ସୂତ୍ର କୁହାଯାଉଥିବା ବେଳେ ବାସ୍ତବ ଚିତ୍ର ଭିନ୍ନ ରହୁଛି। କେବଳ ପ୍ରଚାର ପ୍ରସାର ଉଦେଶ୍ୟରେ ଏବଂ ଜାଲ କର୍ମ ଦିବସ କରି ମନରେଖା ଅର୍ଥ ଆତ୍ମସାତ ହେଉଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ଜିଲ୍ଲାକୁ ଏଯାବତ୍ ୫୦ ହଜାର ପ୍ରବାସୀ ଫେରିଥିବା ବେଳେ ଆଜି ବି ସେମାନେ ଘରେ ହାତ ଟେକି ବସିଛନ୍ତି। କାରଣ ମନରେଗା କାମ ହେଉଛି ,ଶ୍ରମିକ ସ୍ଥାନରେ କାମ କରୁଛି ମେସିନ୍।
ଯଦି ଉଦାହରଣ ଦେଖିବା ଯାଜପୁର ବ୍ଲକ ଏରବାଙ୍କ ପଞ୍ଚାୟତ ଇନ୍ଦାରୋଇ ଗ୍ରାମରେ ମନରେଖା ଜରିଆରେ ୫ ଲକ୍ଷ ଓ ଚତୁର୍ଦ୍ଦଶ ଅର୍ଥ କମିଶନର ୨ଲକ୍ଷ ମୋଟ ୭ ଲକ୍ଷ ଟଙ୍କା ବ୍ୟୟରେ ପୋଖରୀ ପଙ୍କ ଉଦ୍ଧାର ହେଉଛି। ଗାଧୁଆ ତୁଠ ନିର୍ମାଣ ହେବ। କିନ୍ତୁ ବିଡ଼ମ୍ବନା ପୋଖରୀ ଖନନ ହେଉଛି ଶ୍ରମିକ ଦେଖାନାହିଁ। କେବଳ ଜେସିବି ମେସିନ୍ ଜରିଆରେ ପୋଖରୀ ଖନନ ହେଉଛି। ଲାଗିଥବା ନାମ ଫଳକରେ ମଧ୍ୟ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖାଯାଇଛି। ପ୍ରକଳ୍ପ ନାଁ ଅଛି, ବ୍ୟୟ ଅଟକଳ ଅଛି କିନ୍ତୁ ଶ୍ରମିକ ମଜୁରୀ, ଶ୍ରମ ଦିବସ ଲକ୍ଷ୍ୟର କୌଣସି ସୂଚନା ଫଳକରେ ନଥିବା ବେଳେ ଉକ୍ତ ସ୍ଥାନ ଖାଲି ପଡ଼ିଛି। ଏହା ସ୍ପଷ୍ଟ ଏକ ଆଇନ ବିରୁଦ୍ଧ କାର୍ଯ୍ୟ ବୋଲି ବାରି ହୋଇ ପଡ଼ୁଛି। ଏହା ଛଡ଼ା ଖନନ କରାଯାଉଥିବା ପୋଖରୀ ପୂର୍ବରୁ ଖନନ ହୋଇଥିବା ବେଳେ ଏହାରି ଭିତରେ ଲୋକେ ଧାନ ତଳି ପକାନ୍ତି। କିନ୍ତୁ ଏବେ ସେଠାରେ ଗାଧୁଆ ତୁଠ ନିର୍ମାଣ କାର୍ଯ୍ୟ ପାଇଁ କାମ ଚାଲିଥିବା ବେଳେ ଜନବସିତି ଠାରୁ ପୋଖରୀ ଦୂରତା ୧ କିମି ରହିଛି। ଯାହାକୁ କି କେହି ବ୍ୟବହାର କରିବେ ନାହିଁ। ପାଖରେ ଯେଉଁ ଘର ଅଛି ସେମାନେ ତିନି ମହଲା ବିଶିଷ୍ଟ ଧନୀ ଶ୍ରେଣୀ, ଯିଏ କି ପୋଖରୀକୁ ବ୍ୟବହାର କରିବେ ନାହିଁ। କିନ୍ତୁ ସରକାରୀ ଟଙ୍କା ଚଳୁ କରିବା ପାଇଁ ଏପରି ଉଦ୍ୟମ କରାଯାଇ କାର୍ଯ୍ୟ କରାଯାଉଛି।
ଗତକାଲି ଜଣେ ସାମ୍ବାଦିକଙ୍କୁ ଉକ୍ତ ଅଞ୍ଚଳରେ କାର୍ଯ୍ୟକୁ ବିରୋଧ କରିଥିବା ବେଳେ ଧମକ ଚମକ ଦିଆଯାଇଥିଲା। ଏହାକୁ ନେଇ ପ୍ରବାସୀ ଫେରନ୍ତା ଓ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉକ୍ତ ଅଞ୍ଚଳର ଯୁବ ସମାଜସେବୀ ଦେବୀ ପ୍ରସାଦ ବିଶ୍ବାଳ, ବାୟା ସାହୁ, ପ୍ରବାସୀ ସୌମ୍ୟ ପ୍ରକାଶ ସାମଲ, ଚିନ୍ତା ମଲିକ, ଅନିଲ ସାହୁ ପ୍ରମୁଖ ଅଭିଯୋଗ ଉଠାଇଛନ୍ତି। ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଏହାକୁ ବିରୋଧ କରି ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ଏନେଇ ଉକ୍ତ କାମ କରୁଥିବା ବ୍ୟକ୍ତିଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନାହାନ୍ତି। ତେବେ ଏନେଇ ଜିଲ୍ଲା ମନରେଗା ସେଲ୍ ସଂଯୋଜକ ଚିନ୍ମୟ ସିଂହ କହିଛନ୍ତି ଏନେଇ ତାଙ୍କ ନିକଟକୁ ଅଭିଯୋଗ ଆସିଛି। ଏନେଇ କ୍ଷେତ୍ର ପରିଦର୍ଶନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।