ବାଲି ଲୁଟର ଭୂସ୍ବର୍ଗ ପାଲଟିଛି ଯାଜପୁର ଜିଲ୍ଲା, ମାଫିଆ-ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ହରିଲୁଟ ହେଉଛି ଶହ ଶହ କୋଟି

ଯାଜପୁର(ଅନିଲ କୁମାର ପଣ୍ଡା): ଯାଜପୁର ଜିଲ୍ଲାର ବିଭିନ୍ନ ନଦୀ ଘାଟ ଏବେ ବାଲି ଲୁଟ୍ ର ଭୂସ୍ବର୍ଗ ପାଲଟିଛି। ବର୍ଷକର ବାଲି ଉତ୍ତୋଳନ ଅନୁମତି ଦିନକରେ ପୂରଣ ହୋଇଯାଉଛି। ଅବଶିଷ୍ଟ ବର୍ଷ ତମାମର ବାଲି ହରିଲୁଟ ହେଉଛି। ଏହି ଲୁଟରେ ମାଫିଆ ଓ ବିଭାଗୀୟ ଅଧିକାରୀ ସାମିଲ ହେଉଥିବା ବେଳେ ସରକାର କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ସହୁଛନ୍ତି। ଅକାମୀ ଆର ଫର୍ମରେ ବାଲି ଚୋରା ଚାଲାଣ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପୂର୍ଣ୍ଣ ସମର୍ଥନ ଯୋଗୁ କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ସରକାର। ତେବେ ଜିଲ୍ଲା ପ୍ରଶାସନର ନାକ ତଳେ ଏପରି ଲୁଟର ଘଟଣା ପ୍ରଶାସନର କାର୍ଯ୍ୟଦକ୍ଷତା ଓ ହରିଲୁଟରେ ଥିବା ମଧୁଚନ୍ଦ୍ରିକାକୁ ପଦାରେ ପକାଉଛି।

ସୂଚନା ଅନୁସାରେ ଯାଜପୁର ତହସିଲ ଅଧୀନରେ ଅନେକ ଘାଟରୁ ବାଲି ଉଠାଣ ଅନୁମତି ରହିଛି। ତେବେ ସେଥି ମଧ୍ୟରୁ ବୈତରଣୀର ଶାଖା ନଦୀ ବୁଢ଼ା ନଦୀର ଅଡଙ୍ଗ ଏବଂ ବୁଢ଼ାଘାଟ ଠାରେ ବାଲି ଉତ୍ତୋଳନ ପାଇଁ ବର୍ଷିକିଆ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ଏହି ଘାଟ ଦ୍ବୟରେ ଦିନରାତି ଅହରଣ ଚୋରାରେ ବାଲି ପରିବହନ ହେଉଛି ଯାହାକି ପ୍ରଶାସନ ଜାଣି ନୀରବ ରହିଛି। କାରଣ ଅଡଙ୍ଗ ଘାଟକୁ ଏକ ବର୍ଷ ପାଇଁ ୨ହଜାର ସିଏମ୍ ବାଲି ଉତ୍ତୋଳନ ପାଇଁ ଅନୁମତି ମିଳିଛି। କିନ୍ତୁ ଏଠାରେ ଅକାମୀ ଆର ଫର୍ମରେ ବାଲି ଉତ୍ତୋଳନ ହୋଇ ବିକ୍ରି କରାଯାଉଛି। ଯାହାକି ସଂପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗ ହେଉଛି। ସରକାର ଦେଢ଼ବର୍ଷ ତଳୁ ଆର୍ ଫର୍ମରେ ବାଲି ଉତ୍ତୋଳନକୁ ବାରଣ କରିଛନ୍ତି। ଆର ଫର୍ମକୁ ନକଲ କରି ବାଲି ଚୋରା ଚାଲଣ ହେଉଥିବାରୁ ରାଜ୍ୟ ସରକାର ଆର ଫର୍ମ ବଦଳରେ ଓ୍ବାଇ ଫର୍ମରେ ବାଲି ଉତ୍ତୋଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏଠାରେ ନିର୍ଦ୍ଦେଶକୁ ସଂପୂର୍ଣ୍ଣ ଫୁ କରି ଦିଆଯାଇଛି। ଫଳରେ ଏହି ଅକାମୀ ଫର୍ମରେ ବାଲି ବିକ୍ରି ଟଙ୍କା ସରକାରୀ ତହବିଲକୁ ନଯାଇ ଅଧିକାରୀ ଓ ମାଫିଆଙ୍କ ପକେଟକୁ ଯାଉଛି।

ଏପରିକି ଏହି ଫର୍ମରେ ତାରିଖ, ବାଲି ପରିବହନର ପରିମାଣ ପଡୁନଥିବା ବେଳେ ଫର୍ମରେ ଥିବା ତହସିଲଦାରଙ୍କ ଦସ୍ତଖତରେ ତାରିଖ ମଧ୍ୟ ପଡ଼ିନଥିବା ଦେଖିବାକୁ ମିଳୁଛି। ତହିସଲ ପକ୍ଷରୁ ବାଲି ଘାଟକୁ ମିଳୁଥିବା ରେଜିଷ୍ଟରରେ ବାଲି ପରିବହନର ତଥ୍ୟ ରହୁନି। ଅକାମୀ ଆର ଫର୍ମରେ ବାଲି ପରିବହନ ହେଉଥିବାରୁ ହାଇଓ୍ବା‌ରେ ବାଲି ଯାଇଥିଲେ ତାହାକୁ ଟ୍ରାକ୍ଟର ବୋଲି ଦର୍ଶାଯାଉଥିବା ଅଭିଯୋଗ ହେଉଛି। ଅଡଙ୍ଗ ବାଲି ସୌରାତରେ ବର୍ଷକ ପାଇଁ ୨ହଜାର ସିଏମ ବାଲି ପରିବହନ ପାଇଁ ଅନୁମତି ରହିଥିବା ବେଳେ ଏଠାରୁ ଦୈନିକ ୫ହଜାର ସିଏମ୍ ରୁ ଉର୍ଦ୍ଧ ବାଲି ଚାଲାଣ ହେଉଛି। ।

ତେଣୁ ବର୍ଷକର ବାଲି ଉତ୍ତୋଳନ ଅନୁମତି ଦିନକରେ ପୂରଣ ହୋଇଯାଉଛି। ଦୈନିକ ୨୫୦ଟି ହାଇୱାରେ ଗାଡ଼ି ପିଛା ୨୦/୨୫ ସିଏମ୍ ପର୍ଯ୍ୟନ୍ତ ବା‌ଲି ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଛି। ହାଇୱା ପିଛା ୧୦ ହଜାର ସଂଗ୍ରହ କରାଯାଉଥିବା ବେଳେ ଦୈନିକ ଏହି ଘାଟରୁ ୨୫ ଲକ୍ଷ ଟଙ୍କା ରୋଜଗାର ହେଉଛି। ‌ଏହି ଘାଟରୁ ଗୋଟିଏ ସିଏମ୍ ପାଇଁ ସରକାରୀ ମୂଲ୍ୟ ୫୭୫ ଟଙ୍କା ରହିଛି। ଯାହାକି ଏକ ବର୍ଷରେ ମୋଟ ତହସିଲକୁ ୨ହଜାର ସିଏମ ପାଇଁ ୧୧ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ବର୍ଷକୁ ୧୧ ଲକ୍ଷ ୫୦ ହଜାର ଦେବାକୁ ପଡୁଥିବା ବେଳେ ଦୈନିକ ୨୫ ଲକ୍ଷରୁ ଉର୍ଦ୍ଧ ଅର୍ଥ ବାଲି ବାବଦକୁ ଆଦାୟ କରାଯାଉଛି। ଯାହାକି ଶହ ଶହ କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଏଠାରୁ ବାଲି ଭଦ୍ରକ, ବାଲେଶ୍ବର, ସୋର ,ମାର୍କୋଣାକୁ ସ୍ପଷ୍ଟ ଦିବାଲୋକରେ ଅକାମୀ ଆର ଫର୍ମରେ ଚୋରା ଚାଲଣ ହେଉଛି। ଏହି ଘାଟରେ ପାଣିରେ ବାଲି ଉତ୍ତୋଳନ ପାଇଁ ଡ୍ରେଜିଂ ମେସିନ ବି ପଡିଛି। କେବଳ ଯାଜପୁର ତହସିଲ ଲୋକ ଦେଖାଣିଆ କେଉଁ ଦିନ ୩/୪ଟି ଟ୍ରକ ଧରି ଜରିମାନା ଆଦାୟ କରି ପ୍ରଶାସନିକ କର୍ତ୍ତବ୍ୟ ପାଳନ କରୁଥିବା‌ ବେଳେ ଦିନକୁ ଶହଶହ ଚୋରା ଗାଡିକୁ ପରିବହନ ପାଇଁ ଛାଡି ମାଲାମାଲ୍ ହେଉଛନ୍ତି। ପ୍ରଶ୍ନ ଉଠୁଛି ଯଦି ସରକାର ଚୋରା ଚାଲାଣ ରୋକିବାକୁ ଆର ଫର୍ମକୁ ବନ୍ଦ କରି ୱାଇ ଫର୍ମ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେରବେ ଯାଜପୁର ତହସିଲ କାହିଁକି ସରକାରୀ ନିୟମକୁ ଗୋଡରେ ଆଡେଇ ତାରିଖ ନଥିବା ପୁରୁଣା ଅକାମୀ ‌ଆର ଫର୍ମ ବ୍ୟବହାର କରୁଛନ୍ତି ?

ଯାଜପୁର ଜିଲ୍ଲା ବିକାଶର ଅର୍ଗରେ ଥିବା ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ଦାବି କରୁଥିବା ବେଳେ କାହିଁକି ଏପରି ହରିଲୁଟର ଚିତ୍ର ସାମ୍ନାକୁ ଆସୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଏତେ ବଡ଼ ଅନିୟମିତତା ଏବଂ ସରକାରୀ ରାଜସ୍ବ ହରିଲୁଟ ସଂପର୍କରେ ତହସିଲଦାର ସୁଶାନ୍ତ କୁମାର ପତି ସ୍ପଷ୍ଟ ଉତ୍ତର ଦେଇ ପାରିନଥିବା ବେଳେ ପୁରୁଣା ଗଚ୍ଛିତ ଆର ଫର୍ମକୁ ଶେଷ କରିବା ପାଇଁ ବାଲି ଘାଟକୁ ପ୍ରଦାନ କରାଯାଇଛି। ଏହା ପରେ ସରକାରୀ ନିୟମାନୁଯାୟୀ ୱାଇ ଫର୍ମ ପ୍ରଦାନ କରାଯିବ ବୋଲି କହିଛନ୍ତି। ‌ତେବେ ପ୍ରଶାସନର ଏପରି ହାଲୁକା ଓ ଦାୟିତ୍ବହୀନ ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହି ସଂପର୍କରେ ସ୍ଥାନୀୟ ଆରଆଇ ଉତ୍କଳ ସେଠୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ଉତ୍ତର ମିଳି ନ ଥିଲା।

ସମ୍ବନ୍ଧିତ ଖବର