ଜାଗା ଦେଲାନି ପ୍ରଶାସନ, ନଦୀ କୂଳରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରୁଛି ଯାଜପୁର ଜିଲ୍ଲା କଂଗ୍ରେସ

ଯାଜପୁର : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଲାଗି ସ୍ଥାନଟିଏ ମାଗିମାଗି ନିରାଶ ହେଲା ଯାଜପୁର ଜିଲ୍ଲା କଂଗ୍ରେସ। ହେଲେ ଜମି ଖଣ୍ଡିଏ ଦେବାକୁ ପ୍ରଶାସନ ଉଚିତ୍ ମଣିଲାନି। ତେଣୁ ଉପାୟଶୂନ ହୋଇ ଇନ୍ଦିରାଙ୍କୁ ସମ୍ମାନ ଦେବା ପାଇଁ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପୂର୍ବରୁ ଅବହେଳିତ ଭାବେ ନଦୀ କୂଳରେ ପଡ଼ି ରହିଥିବା ପ୍ରତିମୂର୍ତ୍ତି ନିକଟରେ ଇନ୍ଦିରାଙ୍କୁ ସମ୍ମାନ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି।

ଦିନ ଥିଲା ଯାଜପୁର ପରି ପବିତ୍ର ଧାମକୁ ଆସି ନିଜକୁ ଭାଗ୍ୟବାନ ବୋଲି କହିଥିବା ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ହଜିଯିବାକୁ ବସିଛି। ରକ୍ଷଣାବେକ୍ଷଣ ଓ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ବାରମ୍ବାର ପ୍ରଶାସନକୁ ସହଯୋଗ ମାଗିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏହା ଉପରେ ଗୁରୁତ୍ବ ଦେଇନାହିଁ। କଂଗ୍ରେସ ପକ୍ଷରୁ ବାରୁଣୀ ପଡ଼ିଆରେ ଜମି ଖଣ୍ଡେ ପାଇଁ ପ୍ରଶାସନକୁ ଅନୁରୋଧ ପରେ ଜମି ନ ମିଳିବାରୁ ବାଧ୍ୟ ହୋଇ ଉକ୍ତ ପୁରୁଣା ପ୍ରତିମୂର୍ତ୍ତି ସ୍ଥାନରେ କଂଗ୍ରେସ ପକ୍ଷରୁ ଏକ ସ୍ତମ୍ଭ ପ୍ରସ୍ତୁତ କରାଯାଉଛି, ଯେଉଁଠାରେ ଇନ୍ଦିରାଙ୍କ ପ୍ରତିମୂର୍ତ୍ତିକୁ ସମ୍ମାନ ଦିଆଯିବ।
ଆସନ୍ତା ୨୦ ତାରିଖ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିନ ଅବସରରେ ଏହି ସ୍ଥାନ‌ରେ ଥିବା ଇନ୍ଦିରାଙ୍କ ମୂର୍ତ୍ତିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯିବାକୁ ସ୍ଥିର ହୋଇଛି। ବାରୁଣୀ ପଡ଼ିଆରେ ଇନ୍ଦିରା ଗାନ୍ଧୀ ୧୯୭୭ ମସିହାରେ ଶେଷ ଥର ପାଇଁ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇଥିଲେ,ସେଠାରେ ଯାଜପୁରର ବିକାଶ ଗଢ଼ି ଉଠୁଛି। କିନ୍ତୁ ଅବହେଳିତ ହୋଇଯାଇଛି ତାଙ୍କର ସ୍ମୃତିପୀଠ। ସେଠାରେ ପ୍ରତିମୂର୍ତ୍ତି ସହ ପାହାଚ ଏବଂ ଏହାର ସୁରକ୍ଷା ବାଡ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବୈତରଣୀର ଘେରି ବନ୍ଦ ପ୍ରଶସ୍ତିକରଣ ସମୟରେ ଏହାକୁ ପୋତି ଦିଆଯାଇଛି। ସେବେଠାରୁ ଏହାରି ଉପରେ କାହାରି ନଜର ପଡ଼ୁନଥିଲା।

ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଜିଲ୍ଲା କଂ‌ଗ୍ରେସର ନିଦ ଭାଙ୍ଗିଥିଲା। ପ୍ରଶାସନ ପକ୍ଷରୁ ନିକଟରେ ପାର୍କ, ସଂଗ୍ରହାଳୟ, ଦଶାଶ୍ବମେଧ ଘାଟ ଓ ମହାଶ୍ମଶାନର ଉନ୍ନତିକରଣ ହୋଇ ଯାଜପୁର ପର୍ଯ୍ୟଟନକୁ ମଜବୁତ କରାଯାଉଛି। କିନ୍ତୁ ପ୍ରକୃତରେ ଜିଲ୍ଲାବାସୀଙ୍କ ପାଇଁ ଏକ ଇତିହାସ ବହନ କରୁଥିବା ଏହି ଗୌରବମୟ ପ୍ରର୍ତ୍ତିମୂର୍ତ୍ତିକୁ ଅଣଦେଖା କରାଯାଇ ତାକୁ ସଂପୂର୍ଣ୍ଣ ମାଟିରେ ମିଶାଇ ଦେବାକୁ ଉଦ୍ୟମକୁ ଜିଲ୍ଲାବାସୀ ନିନ୍ଦା କରିଛନ୍ତି। ଜିଲ୍ଲା କଂଗ୍ରେସ ଏହାର ସୁରକ୍ଷା କରିବାକୁ ଦାବି କରି ତିନି ତିନି ଥର ପ୍ରଶାସନକୁ ସୁରକ୍ଷା ପାଇଁ ସ୍ଥାନ ନିରୂପଣ ସହ ଏକ ଗୁଣ୍ଠ ଜମି ଦେବାକୁ ଅନୁରୋଧ କରିଆସୁଥିଲା। କିନ୍ତୁ ପ୍ରଶାସନ ଏହାକୁ ଗୁରୁତ୍ବ ‌ନଦେଇ ଅବହେଳା କରି ଆସୁଛି। ତେଣୁ ପ୍ରଶାସନ ଉପରେ ଭରସା ନ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ଭଗ୍ନ ସ୍ମୃତି ସ୍ତୁପକୁ ନବୀକରଣ କରାଯାଉଛି।

ସମ୍ବନ୍ଧିତ ଖବର