ଯାଜପୁର(ଅନିଲ କୁମାର ପଣ୍ଡା): ଜୀବନର ଯାକର ଉପାର୍ଜନ ନଦୀ ଗର୍ଭରେ ଲୀନ ହୋଇଗଲା। ମନରେ ଥିବା ଆଶା, ଅଭିଳାଷ ଓ ଭାବନା ସବୁ ପାଣି ଫୋଟକା ପରି ମିଳେଇ ଗଲା ବ୍ରାହ୍ମଣୀ ନଦୀର କରାଳ ବନ୍ୟା ଭିତରେ। ଚାଲିଗଲା ସ୍ବପ୍ନ, ଭାଙ୍ଗିଗଲା ମେରୁଦଣ୍ଡ। କିନ୍ତୁ ଯାହା କେବେ କେହି ଆଶା କରିନଥିଲେ ତାହା ବନ୍ୟା କରି ଦେଖାଇ ଦେଲା।
ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ବନ୍ଧଢ଼ିହ ପଞ୍ଚାୟତ କଣ୍ଡିଆ ସାହି ରମଣୀ ରଂଜନ ଜେନାଙ୍କ କାହାଣୀ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଦେବ। କାରଣ ଗତକାଲି ନଦୀର ଆଁରେ ରମଣୀଙ୍କ ସଂପୂର୍ଣ୍ଣ ଘର, ଆସବାପତ୍ର, ସୁନା ଗହଣା, ଟଙ୍କା, ଧାନ ଚାଉଳ ଭାସିଗଲା ପରେ ଏବେ ଗୋଟିଏ ପରିବାର ସର୍ବସ୍ବାନ୍ତ ହୋଇପଡ଼ିଛି। ଜୀବନ ବଞ୍ଚାଇବାର ଭୟରେ ନିଜର ମୁଗୁପାଳରେ ଥିବା ବଡ଼ ଭଉଣୀ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୫ ପ୍ରାଣୀ କୁଟୁମ୍ବ। ଅବସରପ୍ରାପ୍ତ ଶିକ୍ଷକ କାମିନୀ ମୋହନ ଜେନାଙ୍କ ପୁଅ ରମଣୀ ରଂଜନ ଜେନାଙ୍କ ପୁଅ ଏଲଆଇସି ଏଜେଣ୍ଟ ଭାବେ ନିଜର ବୃତ୍ତିକୁ ଆପଣାଇ ଥିବା ବେଳେ ନିଜର ଉଦ୍ୟମ ଓ କର୍ମନିଷ୍ଠା ଯୋଗୁ ଏକ ଭଲ ଏଜେଣ୍ଟ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ରୋଜଗାରରେ ପତ୍ନୀ ଓ ୫ମ ଶ୍ରେଣୀରେ ପଢ଼ୁଥିବା ପୁଅ ଓ ୮ ମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ନେଇ ଖୁବ ଖୁସିର ଜୀବନ କାଟୁଥିଲେ। କିନ୍ତୁ ଚଳିତ ବନ୍ୟା ତାଙ୍କ ପରିବାର ଠାରୁ ଖୁସି ଛଡ଼ାଇ ନେଲା। ହଠାତ୍ ବ୍ରାହ୍ମଣୀ ନଦୀରେ ଘାଇ ଯୋଗୁ ଚାହୁଁଚାହୁଁ ନଦୀ ଆଁକୁ ଚାଲିଗଲା ଘର ଏବଂ ଭିତରେ ଥିବା ସମସ୍ତ ଆସବାପତ୍ର। ଖାଲି ଜୀବନ ବଞ୍ଚାଇବା ପାଇଁ ପୁରା ପରିବାର ଘର ଛାଡି ବାହାରକୁ ପଳାଇ ଆସିଥିଲେ।
ନର୍ଭରେ ଘର ଲୀନ ହୋଇଗଲା ପରେ ଏବେ ସେ ସ୍ଥାନ ଜଳ ମୟ ହୋଇଛି। ନିଜସ୍ବ ଜମିରେ ଘର କରିଥିବା ରମଣୀଙ୍କ ସେହି ଜମି ଏବଂ ବିରାଟ ଗର୍ଭ ହୋଇ ନଦୀ ହୋଇ ଯାଇଛି। ଧୈର୍ଯ୍ୟ ହରାଇଥିବା ଏହି ପରିବାର ଏବେ ନିଜର ସଂର୍ପକୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ବନ୍ୟା ଘର ତ ନେଲା, ତା ଭିତରେ ଥିବା ରମଣୀଙ୍କ ଉପାର୍ଜନ କୁନି କୁନି ଦୁଇ ପିଲାର ଭବିଷ୍ୟତ ସବୁ ପାଣିରେ ମିଶାଇ ଦେଲା। ରମଣୀ ନିଜର ଉପାର୍ଜନ ଅର୍ଥରେ ଦୁଇ ମହଲା ଘର କରିଥିବା ବେଳେ ଟିଭି,ଫ୍ରିଜ,ପଲଙ୍କ,ଏଲଆଇସି ପ୍ରିମିୟମ୍ ଭରିବାକୁ ଥିବା ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା,ୱାସିଙ୍ଗ ମେସିନ୍, ଜମିବାଡି ପଟ୍ଟା, ବହୁ ଗୁରତ୍ବପୂର୍ଣ୍ଣ କାଗଜ, ଅନେକ ଲୋକଙ୍କ ଏଲଆଇସି କାଗଜ, ଧାନଚାଉଳ, ବାଦାମ୍ ସବୁ ନଦୀ ଗର୍ଭରେ ଲୀନ ହୋଇଥିଲା। ଘରେ ରହୁଥିବା ୨ ଜଣ ପାଠପଢ଼ୁଆ ପିଲାଙ୍କ ବହିଖାତା ସହ ଜୀବନର ଏକ ସ୍ବପ୍ନ ଅଧା ଧୋଇଗଲା।
ରମଣୀଙ୍କ ଅଭିଯୋଗ ଅନୁସାରେ ଘାଇ ପୂର୍ବ ଦିନ ରାତିରୁ ଘର ନିକଟରେ ଘଳିଆ ପଡ଼ିଥିଲା। କିନ୍ତୁ ଏନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଗୋଟିକିଆ ଘର ଥିବାରୁ ପ୍ରଶାସନ ଏହାକୁ ସଂପୂର୍ଣ୍ଣ ଅଣଦେଖା କଲା। ଫଳ ସୂରୁପ ସେଠାରେ ସୃଷ୍ଟ ଘାଇ ରମଣୀଙ୍କ ସର୍ବସ୍ବ ବୁଡାଇ ଦେଲା। ଏପରି ସ୍ଥିତିରେ ରମଣୀଙ୍କ ପରି ଏକ ଅସହାୟ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ପ୍ରଶାସନ ପକ୍ଷରୁ ମଧ୍ୟ ସ୍ଥିତି ଅନୁଧ୍ୟାନ କରାଯାଇଥିବା ବେଳେ କ୍ଷୟକ୍ଷତି ଆକଳନ କରାଯାଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି।