ଯାଜପୁରରେ ମା’ ଙ୍କର ପୂଜା ବନ୍ଦ ହେବ ନାହିଁ ; କିନ୍ତୁ ଉତ୍ସବ ଉପରେ କଟକଣା: ଜିଲ୍ଲାପାଳ

ଯାଜପୁର: କରୋନା ମହାମାରୀ ପରିପ୍ରେକ୍ଷୀରେ ଯାଜପୁରରେ ଆଗାମୀ ଦୁର୍ଗାପୂଜାକୁ ନିରାଡମ୍ୱର ଭାବେ ପାଳନ କରାଯିବ ବୋଲି ସର୍ବ ସମ୍ମତ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗାପୂଜା ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର କରୋନା ପାଇଁ ମା’ ଙ୍କର ପୂଜା ବନ୍ଦ କରାଯିବ ନାହିଁ କିନ୍ତୁ କୈାଣସି ଉତ୍ସବ, ଗହଳି, ବାଜା, ରୋଷଣୀ, ମେଲୋଡି ବା ସଂଗୀତ କାର୍ଯ୍ୟକ୍ରମକୁ ବାରଣ କରାଯିବ।

ବର୍ତ୍ତମାନ ସୁଦ୍ଧା ସରକାରଙ୍କର ମାର୍ଗ ଦର୍ଶିକା ଅନୁସାରେ କୈାଣସି ବି ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ ପୁଂଟରୁ ଅଧିକ ହେବନାହିଁ । ମଣ୍ଡପର ୩ ପାଶ୍ୱର୍ ବନ୍ଦ ରହିବ । ମଣ୍ଡପରେ ସର୍ବାଧିକ ୭ ଜଣ ବ୍ୟକ୍ତିଙ୍କ ଉପସ୍ଥିତକୁ ଅନୁମତି ମିଳିବ ଓ ଲୋକ ଗହଳି ହେବ ନାହିଁ ବୋଲି ସେ କହିଥିଲେ । ମଣ୍ଡପରେ କୈାଣସି ଡାକବାଜି ଯନ୍ତ୍ରର ବ୍ୟବହାର କରାଯିବ ନାହିଁ ଓ ପ୍ରତ୍ୟେକ କୋଭିଡର ଯେଉଁ ମାର୍ଗଦର୍ଶିକା ରହିଛି, ଯେପରି ସାମାଜିକ ଦୂରତା ରକ୍ଷା, ସାନିଟାଇଜ୍ କରିବା, ମାସ୍କ ବ୍ୟବହାର କରିବା ଇତ୍ୟାଦିକୁ କଡ଼ାକଡ଼ି ଭାବେ ଅନୁପାଳନ କରିବେ । ସେହିପରି ବିସର୍ଜନ ଅତ୍ୟନ୍ତ ନିରାଡମ୍ୱର ଭାବେ ବିନା ଶୋଭାଯାତ୍ରାରେ କରାଯିବ । ପୈାର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ଦେବୀଗଡ଼ାଠାରେ ଏକ କୃତ୍ରିମ ପୋଖରୀରେ ଏହି ମୂର୍ତ୍ତି ବିସର୍ଜନ କରାଯିବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଥିଲେ । ବିଗତ ବର୍ଷମାନଙ୍କଠାରୁ ଚଳିତ ବର୍ଷର ପରିସ୍ଥିତି ଭିନ୍ନ । କରୋନା ପାଇଁ ସମଗ୍ର ବିଶ୍ୱ ଆତଙ୍କିତ ଓ ଚିନ୍ତିତ ମଧ୍ୟ । ତେଣୁ ଯଥା ସମ୍ଭବ ନିରାପଦ ଓ ସୁରକ୍ଷିତ ଭାବେ ମା’ ଙ୍କ ବାର୍ଷିକ ପୂଜାକୁ ଆୟୋଜନ କରିବାକୁ ସେ ଅନୁରୋଧ କରିଛନ୍ତି ।

ବୈଠକରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲିକ, ଡେପୁଟି କଲେକ୍ଟର ଶୁଭଦର୍ଶନ ମିଶ୍ର, ସହକାରୀ ଜିଲାପାଳ ତିଳୋତ୍ତମା ପୃଷ୍ଟି, ଅନୁପ କୁମାର ବେହେରା, ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଓ ବିରଜା ମା’ଙ୍କର ସେବାୟତ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର