ବିନା ରାଜସ୍ବରେ ଚାଲିଛି ବେଆଇନ କ୍ରସର ଓ ଖଣି ଖନନ, ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି

ଯାଜପୁର(ଅନିଲ କୁମାର ପଣ୍ଡା): ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରୁ ସର୍ବାଧିକ ଟଙ୍କାର ରାଜସ୍ବ ହରାଇଛି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ। ମାଫିଆମାନେ ଲୁଟି ନେଉଛନ୍ତି ପ୍ରାକୃତିକ ସମ୍ପଦ। କିନ୍ତୁ ଏଥିରୁ ବ୍ୟକ୍ତିଗତ ସ୍ବାର୍ଥ ବ୍ୟତୀତ ସାଧାରଣ ଜନତା କି ସରକାର ଏକ ଟଙ୍କା ବି ଲାଭ ପାଉନାହାନ୍ତି। ଯାହାକୁ ନେଇ ଦିନକୁ ଦିନ ଧର୍ମଶାଳାରେ ଅସନ୍ତୋଷ ବଢ଼ୁଥିବା ବେଳେ ଅନେକ ଅଭିଯୋଗ ହାଇକୋର୍ଟରେ ବିଚାରଧୀନ ରହିଛି। ତଥାପି ପୁଲିସ, ବରିଷ୍ଠ ପ୍ରଶାସକ ଏବଂ ମାଫିଆ ସଲାସୁତରାରେ ଦୈନିକ ହରିଲୁଟ ହୋଇଯାଉଛି କୋଟିକୋଟି ଟଙ୍କାର ସମ୍ପତ୍ତି। ତେବେ ଯାଜପୁରରେ ନବ ନିଯୁକ୍ତ ଜିଲ୍ଲାପାଳ ଭାବେ ଚକ୍ରବର୍ତ୍ତୀ ସିଂହ ରାଠୋର ଯୋଗ ଦେବା ପାଇଁ ଧର୍ମଶାଳାରୁ ରାଜସ୍ବ ରକ୍ଷା କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ୟ ପଟେ ଏହାକୁ ନେଇ ଧର୍ମଶାଳା ତହସିଲ ଏବଂ କଟକ ବନ ଖଣ୍ଡ ଡିଭିଜନ ମଧ୍ୟରେ ଚିଠି ଜରିଆରେ ଦୋଷ ଲଦାଲଦି ଜାରି ରହିଛି।
ସୂଚନାଯୋଗ୍ୟ, ଜିଲ୍ଲାରେ ୭୩ଟି ଏନଓସି ପାଇଥିବା କ୍ରସର ୟୁନିଟ କାର୍ଯ୍ୟ କରୁଛି। ଏହା ବାଦ୍ ୧୨୦ରୁ ଅଧିକ କ୍ରସର ବେଆଇନ ଭାବେ କାର୍ଯ୍ୟ କରୁଛନ୍ତି। ଅନେକ କ୍ରସର ସରକାରୀ ଜମିକୁ ମାଡ଼ିବସି ୟୁନିଟ ବସାଇଥିବା ବେଳେ କୌଣସି ପ୍ରଦୂଷଣ ନିୟମକୁ ମାନୁନାହାନ୍ତି। ଯଦି ଗୋଟିଏ କ୍ରସର ୧ ଘଣ୍ଟାକୁ ୨ଶହ ଟନ୍ ମାଲ ଉତ୍ପାଦନ କରୁଛି ତେବେ ଏନଓସି ପାଇଥିବ ୭୩ଟି କ୍ରସର ୧୪୬୦୦ ଟନ ଉତ୍ପାଦନ କରିବେ। ଯଦି ୧୦ ଘଣ୍ଟା କ୍ରସର ଚାଲୁଛି ତେବେ ୧ଲକ୍ଷ ୪୬ ହଜାର ମେଟ୍ରିକ ଟନ୍ ଚିପ୍ସ ଉତ୍ପାଦନ ହୋଇ ବିକ୍ରି ହେଉଛି। ବର୍ଷକୁ କୋଟି କୋଟି ମେଟ୍ରିକ ଟନ ଚିପ୍ସ ଉତ୍ପା୍ଦିତ ହୋଇ ମାଲିକ ମାଲେମାଲ୍ ହେଉଛନ୍ତି। ଗୋଟିଏ ପଟେ ସ୍ଥାନୀୟ ଆରଆଇ ଓ ତହସିଲଦାର ମାଫିଆଙ୍କ ସହ ମିଶି ନିଜର ରାଜସ୍ବ ବଢ଼ାଉଥିବା ବେଳେ ସରକାରୀ ରାଜସ୍ବ ପାଇଁ ଆଖି ବୁଜି ଦେଉଛନ୍ତି।

ଖାଲି କ୍ରସର ନୁହଁ ଧର୍ମଶାଳା ତହସିଲର ବିଭିନ୍ନ ପାହାଡ଼ରେ ୧୪୪ ଜାରି ସତ୍ତ୍ବେ ପ୍ରତି ଦିନ ପାହାଡ଼କୁ କଳା ପଥର ଲୁଟ ହେଉଛି। ତହସିଲ ଅଧୀନ ଆରୁହା, ବିଛାଖଣ୍ଡି, ରାହାଡପୁର,ଡଙ୍କାରୀ ଆଦି ପାହାଡରୁ ଦୈନିକ ହଜାର ହଜାର ଟ୍ରିପ କଳାପଥର ଲୁଟ ହେଉଛି। ଆରୁହା ଖାଦାନ ୧୪୭ ଏକ ଥିବା ବେଳେ ୩ ଏକର ଲିଜ ଦିଆଯାଇ ଅବଶିଷ୍ଟକୁ ଲୁଟି ନେଉଛନ୍ତି। ରାହାଡପୁର ପାହାଡକୁ ରାଣୀବନ୍ଧ ଓ ପାଇକାରପୁର ପାଇଁ ରାଜସ୍ବ ବିଭାଗ ବନ୍ଦ କରିଥିବା ବେଳେ ଦୈନିକ ଲୁଟକୁ ରୋକାଯାଇ ପାରିନାହିଁ। ସେହିପରି ଡଙ୍କାରୀ ପାହାଡ଼କୁ ୱାଗନ ବ୍ଲାଷ୍ଟି କରି ହଜାର ହଜାର ଟନ କଳାପଥର ଚୋରି ହେଉଛି। କିନ୍ତୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକମାନେ ମାଫିଆଙ୍କ ସହ ହାତ ମିଶାଇ ଲୁଟରେ ସହଯୋଗ କରୁଛନ୍ତି। ସେହପିରି ବିଛାଖଣ୍ଡି ମୌଜାରେ ୮୯୦-୨୭ ଏକରରୁ ଉର୍ଦ୍ଧ ଜଙ୍ଗଲ ଜମି ରହିଥିବା ବେଳେ ଏହାକୁ ଚଞ୍ଚକତା କରି କଳାପଥର ସଇରାତ୍ ଲିଜ ଦିଆଯାଇଛି।

ଏହି ସବୁ ଲୁଟ ସଂପର୍କରେ ଜିଲ୍ଲାର ସାମାଜିକ କର୍ମୀ ସର୍ବେଶ୍ବର ବେହୁରା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ରାଜସ୍ବ ଆଦାୟର ବ୍ୟବସ୍ଥା କଲେ ଜିଲ୍ଲାକୁ ରାଜସ୍ବ ଅଭାବ ହେବ ନାହିଁ ବୋଲି ଦାବି କରିଛନ୍ତି। ଏହି ଲୁଟ ଭିତରେ ଧର୍ମଶାଳା ତହସିଲ ପକ୍ଷରୁ କଟକ ଡିଭିଜନାଲ୍ ବନ ଅଧିକାରୀଙ୍କୁ ଚିଠି ଜରିଆରେ ଆପଣଙ୍କ ଜମି ଆପଣ ଜଗନ୍ତୁ କାରଣ ଆପଣଙ୍କ ଜମିରୁ ପଥର ଚୋରି ହେବା ସହ କ୍ରସର ବସୁଛି। ଅନ୍ୟ ପଟେ ଜଙ୍ଗଲ ବିଭାଗ ମଧ୍ୟ ନିଜ ପାଖରେ ସୁରକ୍ଷା ପାଇଁ ବ୍ୟବସ୍ଥା ନଥିବାରୁ ରାଜସ୍ବ ବିଭାଗ କାହିଁକି ଖଣି ଉତ୍ତୋଳନ ଓ କ୍ରସର ଅନୁମତି ପ୍ରଦାନ କରୁଛି ତାହା ଉପରେ ପ୍ରଶ୍ନ ଉଠାଇଛି। ତେବେ ଏନେଇ ଜିଲ୍ଲାପାଳ ଅବଗତ ହେବା ପରେ ଖୁବଶୀଘ୍ର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର