ମାଟିରେ ମିଶିଗଲା ଯାଜପୁରର ଲୌହ କାରଖାନା ଓ ବିରଜା ତେଲ କଳ, ବନ୍ଦ ହେବା ଅପେକ୍ଷାରେ କାଷ୍ଟ ଶିଳ୍ପ

ଯାଜପୁର: ସୁଦୂର ରାଜସ୍ଥାନରୁ ଚିନାବାଦାମ ଆସି ପେଡା ଯାଇ ତେଲ ପ୍ରସ୍ତୁତ ହେଉଥିଲା। ଶତାଧିକ ଲୋକ ନିଯୁକ୍ତି ପାଇଥିଲେ ଓ ଖାଉଟି ଶସ୍ତାରେ ଉଚ୍ଚମାନର ତେଲ ପାଉଥିଲେ। କିନ୍ତୁ ଧୀରେ ଧୀରେ କର୍ମଚାରୀ ଓ ଅଧିକାରୀଙ୍କ ବ୍ୟକ୍ତିଗତ ସ୍ବାର୍ଥ ଯୋଗୁ ସରକାରଙ୍କ ଲାଭଦାୟକ କ୍ଷୁଦ୍ର ଶିଳ୍ପର ଏବେ ଚିହ୍ନବର୍ଣ୍ଣ ହଜିଯାଉଛି। ସରକାର ମେକ୍ ଇନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ କ୍ଷୁଦ୍ର ଶିଳ୍ପକୁ ଗୁରୁତ୍ବ ଦେଇ ନିଯୁକ୍ତି ସୃଷ୍ଟିର ସ୍ବପ୍ନ ଦେଖୁଥିବା ବେଳେ ରାଜ୍ୟର ପ୍ରକୃତ କ୍ଷୁଦ୍ର ଶିଳ୍ପ ଏବେ ବିପଦରେ, ଯାହାର ଏକ ସ୍ପଷ୍ଟ ନମୁନା ଯାଜପୁର ସହରରେ ଥିବା ବିରଜା ତେଲ କଳରୁ ଦେଖିବାକୁ ମିଳେ।

ସୂଚନା ଅନୁସାରେ ଯାଜପୁର ଓଡ଼ିଶାର ବାଦାମ ଚାଷ ପାଇଁ ଏକ ଅଗ୍ରଣୀ ଜିଲ୍ଲାର ତାଲିକାରେ ରହିଥିଲା।‌ ତେବେ ଉତ୍ପାଦିତ ବାଦାମରୁ ତେଲ ପ୍ରସ୍ତୁତ କରିବା ପାଇଁ ୧୯୬୩-୬୪ ବର୍ଷରେ ରାଜ୍ୟ ସରକାର ଯାଜପୁର ସହର ଅଧୀନ ମହାବୀର ନଗର(ୟୁନିଟ-୮)ରେ ପର୍ଯ୍ୟାୟ କ୍ରମେ ୩ଟି କ୍ଷୁଦ୍ର ଶିଳ୍ପ ଆରମ୍ଭ କରିଥିଲେ, ଯାହାକି ଶିଳ୍ପ ସମବାୟ ସମିତି ଅଧୀନରେ କାର୍ଯ୍ୟ ଆରମ୍ଭ କରିଥିଲା। ପରେ ଏଠାରେ ନିଯୁକ୍ତି ସହ ଉତ୍ପାଦନ ସରକାରଙ୍କୁ ଲାଭବାନ୍ କରାଇଥିଲା। ୱାଗନୱାଗନ ବାଦାମରୁ ତେଲ ପେଡା ଯାଇ ସୁଲଭ ମୂଲ୍ୟ‌ରେ ବିଭିନ୍ନ ସେଲ କାଉଣ୍ଟର କରାଯାଇ ବିକ୍ରି ହେଉଥିଲା।

୧୧୯୦ ମସିହା ବେଳକୁ ମୁନାଫାଖୋର ଅଧିକାରୀ କଟକ ଓ ଭଦ୍ରକର ଘରୋଇ ତେଲ କଳ ସହ ବୁଝାମଣା କରି ଉତ୍ପାଦନ କମ୍ କରାଇ ସରକାରଙ୍କୁ କାରଖାନା ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାକି ୨୦୦୧ରେ ସରକାରଙ୍କ ଶିଳ୍ପ ବିଭାଗ ଏହାକୁ ରୁଗୁଣ ଘୋଷଣା କଲେ। ଠିକ ସେହିପରି ୨୦୦୫ ମସିହାରେ ଯାଜପୁର ଲୌହ ଶିଳ୍ପ ବନ୍ଦ ହୋଇଗଲା। ଶାଗମାଛ ମୂଲ୍ୟରେ ଏହାର ଯନ୍ତ୍ରାଂଶକୁ ନିଲାମ କରାଯାଇଥିବା ବେଳେ ଏବେ କେବଳ କାଷ୍ଟ ଶିଳ୍ପ ବନ୍ଦ ହେବା ଅପେକ୍ଷାରେ ପଡ଼ିଛି। ତେବେ ଏଠିକାର ମୂଲ୍ୟବାନ ୩ ଏକର ୩୪ ଡିସମିଲ ସମ୍ପତ୍ତିରୁ ଏକ ଏକର ୭୭ ଡିସିମିଲ ସମ୍ପତ୍ତି ଏବେ ମାସିକ ହଜାର ଟଙ୍କାରେ ଲିଜ ସୂତ୍ରରେ ଠିକାଦାରଙ୍କ ହାତରେ। ସିମେଣ୍ଟ ଇଟା ତିଆରି ପାଇଁ ଏହାକୁ ଲିଜ୍ ନିଆଯାଇଥିବା ବେଳେ କିନ୍ତୁ ସବୁ ଆଇନକୁ ଉଲ୍ଲଂଘନ କରି ଏଠାରେ ଚାଲିଛି ରାଜୁତି।

ଜନୈକ ଠିକାଦାର ଏଠାରେ ନିଜର ଗାଡି,ବାଲି, ଚିପସ ଓ ନିର୍ମାଣ ସାମଗ୍ରୀ ରଖୁଥିବା ବେଳେ ଗୋଟିଏ ଗୃହକୁ ସିମେଣ୍ଟ ଗୋଦାମ କରାଯାଇଛି। ଏହାରି ଭିତରେ ଲିଜ ନିୟମକୁ ଉଲ୍ଲଂଘନ କରାଯାଇ ନୂତନ ନିର୍ମାଣ ସହ ପୁରୁଣା ପାଚେରି ଭାଙ୍ଗି ଦିଆଯାଇଛି।

ଖାଲି ଏତିକି ନୁହେଁ, ଏହି ସମିତିର ମୁଖ୍ୟ ଅଧିକାରୀ ସମିତି ପରିଚାଳନା ଓ ରକ୍ଷଣାବେକ୍ଷଣରେ ବ୍ୟାପକ ଅନିୟମିତତା କରିଥିବା ସୂଚନା ଅଧିକାର ତଥ୍ୟରୁ ସ୍ପଷ୍ଟ ହୋଇଛି, ଯାହାକୁ ନେଇ ସହରର ସାମାଜିକ କର୍ମୀ ସୁଦୀପ କର ଗତ ଅଗଷ୍ଟ ୨୬ ତାରିଖରେ ସମସ୍ତ ପ୍ରମାଣ ସହ ୫ଟି ସଚିବ, ଜିଏମ୍ କଳିଙ୍ଗନଗର, ଏମଏସଏମଇ ନିର୍ଦ୍ଦେଶକ, ଭିଜିଲାନସ, ଯାଜପୁର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ତେବେ ଗତ ମାସ ୧୪ ତାରିଖରେ ବିଭାଗୀୟ ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା ୬୨୮୬/୪/୯/୨୦ରେ ଏହାର ତଦନ୍ତ କରାଯାଇଥିଲା। କିନ୍ତୁ ଗୋଟିଏ ସପ୍ତାହ ଭିତରେ ଦାଖଲ ହେବାକୁ ଥିବା ତଦନ୍ତ ରିପୋର୍ଟ ଏଯାବତ୍ ବିଭାଗ ପାଖରେ ନପହଞ୍ଚିବାକୁ ଅଭିଯୋଗକାରୀ ଗ୍ରହଣ କରିପାରୁନାହାନ୍ତି। ଅନ୍ୟ ପଟେ ତ୍ରୁଟିପୂର୍ଣ୍ଣ ଲିଜ୍ ବାତିଲ, ସରକାରୀ ମୂଲ୍ୟ ସମ୍ପତ୍ତିକୁ ଜବରଦଖଲ ମୁକ୍ତ, ନିଯୁକ୍ତ ଅଧିକାରୀଙ୍କର ବହିଷ୍କାର ଆଦି ଦାବି କରିଛନ୍ତି ଅଭିଯୋଗକାରୀ। ଏନେଇ ନୂତନ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଅବଗତ ଥିବା ବେଳେ ଜିଲ୍ଲାସ୍ତରୀୟ ବିଭାଗୀୟ ମୁଖ୍ୟ ପ୍ରଭାକର ରାଓଙ୍କ ମତାମତ ମିଳିପାରିନାହିଁ।

 

ସମ୍ବନ୍ଧିତ ଖବର