ଯାଜପୁରର କରୋନା ବିଜୟୀ ବଖାଣିଲେ ସୁସ୍ଥ ହେବାର ଅନୁଭୂତି

ଯାଜପୁର(ଅନିଲ କୁମାର ପଣ୍ଡା): ମହାମାରୀ କରୋନା ସାରା ବିଶ୍ବକୁ ଡରାଇ ସାରିଛି। କିନ୍ତୁ କରୋନା କବଳରୁ ମୁକୁଳି ଏବେ ନିଜର ଅନୁଭୂତି ବଖାଣିଛନ୍ତି ଯାଜପୁରର ଏକ ମାତ୍ର କରୋନା ଆକ୍ରାନ୍ତ। ଦିଲ୍ଲୀର ନିଜାମୁଦ୍ଦିନ୍ ଧର୍ମ ସଭାରୁ ସଂକ୍ରମିତ ହୋଇଥିବା ରୋଗୀ ଏବେ ସୁସ୍ଥ। ଦେହରେ ନାହିଁ କରୋନା ଭୂତାଣୁ। ୭ ଦିନରେ କରୋନା ଯୁଦ୍ଧରେ ବିଜୟୀ ହୋଇଥିବା ବ୍ରହ୍ମବରଦା ଅଞ୍ଚଳର ବ୍ୟକ୍ତି ନିଜର ସୁସ୍ଥତା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପାଖରେ ଋଣୀ ବୋଲି କହିଛନ୍ତି।

ସୂଚନା ଅନୁସାରେ ସାରା ଦେଶରେ କରୋନା ଚିନ୍ତା ଘାରିଥିବା ବେଳେ ଗତ ୩ ତାରିଖରେ ଯାଜପୁର ବ୍ରହ୍ମବରଦା ଅଞ୍ଚଳରୁ କରୋନା ରୋଗୀ ଚିହ୍ନଟ ଜିଲ୍ଲାବାସୀଙ୍କ ନିଦ ହଜାଇ ଦେଇଥିଲା। ପ୍ରଶାସନ ରାତାରାତି ସଂପୃକ୍ତ ଅଞ୍ଚଳ ସିଲ୍ କରିବା ସହ ଆକ୍ରାନ୍ତଙ୍କୁ କଟକର ଅଶ୍ବିନୀ କୋଭିଡ୍ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲା। କିନ୍ତୁ ସେଠାରେ ଡାକ୍ତର ଓ ନର୍ସଙ୍କ ଉପଯୁକ୍ତ ସେବା ହେତୁ ୭ ଦିନରେ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଆକ୍ରାନ୍ତ ଜଣକ ନିଜେ ସ୍ବାସ୍ଥ୍ୟ ବିଭାଗର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଦେହରେ କୌଣସି ଲକ୍ଷଣ ନ ଥାଇ ମଧ୍ୟ ବ୍ୟକ୍ତିଙ୍କ ଶରୀରରୁ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲା। କିନ୍ତୁ ଏହି କଥା ଜାଣିବା ପରେ ଭାଙ୍ଗି ପଡ଼ି ନ ଥିଲେ ସେ। ଭଗବାନଙ୍କ ଉପରେ ବିଶ୍ବାସ ରଖି ସେ ଚିକିତ୍ସାଳୟରେ ଦିନ ପରେ ଦିନ କାଟୁଥିଲେ। ଚିକିତ୍ସାଳୟରେ ୨ଥର ଟେଷ୍ଟ ପଜିଟିଭ୍ ଆସିଥିବା ବେଳେ ୧୦ ତାରିଖ ରାତି ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଆସିଥିଲା। ଚିକିତ୍ସାଳୟରେ ସେବା,ଖାଇବା ,ପିଇବା ଓ ରହିବାରେ ସରକାର କୌଣସି ଅବହେଳା କରିନଥିବା ସେ କହିଛନ୍ତି।

ଚିକିତ୍ସିତ ଅବସ୍ଥାରେ ନିଜର ଆତ୍ମବିଶ୍ବାସ, ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ଓ ସାହସ ଶୀଘ୍ର ଭଲ ହେବାର ଅନ୍ୟ ଏକ ଔଷଧ ବୋଲି କହିଛନ୍ତି ସୁସ୍ଥ କରୋନା ଆକ୍ରାନ୍ତ। ତେବେ କରୋନାର ମୁକାବିଲା ପାଇଁ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ,ଏସପି ଚରଣ ସିଂ ମୀନା, ସ୍ବାସ୍ଥ୍ୟ ପ୍ରଶାସନ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଅଧିକାରୀମାନେ ରାତି ଦିନ ଏକ କରି ଜିଲ୍ଲାବାସୀଙ୍କ ପାଇଁ କଷ୍ଟ କରିବା ସହ ସେମାନଙ୍କ ବଳିଦାନକୁ ସମ୍ମାନ କରିବାର ଆବଶ୍ୟକତା ରହିଛି ।

ଗତକାଲି ରାତିରୁ ଚିକିତ୍ସାଳୟରୁ ଡିସଚାର୍ଜ ହୋଇ ମୁଗୁପାଳ ସ୍ଥିତ ଉପେନ୍ଦ୍ରନାଥ ସାରଳା କଲେଜରେ ହୋଇଥିବା ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୭ ଦିନ କାଟିବାକୁ ଅଛି ‌ବୋଲି ସେ କହିଛନ୍ତି। ପ୍ରଶାସନ ଜାରି କରିଥିବା କଟକଣା ମାନିବା ଜରୁରୀ। କାରଣ ରୋଗର ଭୟାବହତା ଯୋଗୁ ଚାଲି ଯାଉଛି ଜୀବନ। ପ୍ରଶାସନ କହୁଥିବା କଥା ଜାରି କରିଥିବା କଟକଣା ମାନିଲେ ରୋଗ ସଂକ୍ରମଣ‌ ରୋକା ଯାଇପାରିବ। ନିୟମ ମାନିଲେ ବଞ୍ଚିବା। ବଞ୍ଚିଲେ ଜୀବନର ଅବଶିଷ୍ଟ ସମୟକୁ ଉପ‌ଭୋଗ କରିବା । ତେଣୁ କରୋନାକୁ ଭୟ ନକରି ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସମର୍ଥନ ଜରୁରୀ ବୋଲି ଆମ ପ୍ରତିନିଧି ଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ସୂଚନା ଦେଇଛନ୍ତି ବ୍ରହ୍ମବରଦା ଅଞ୍ଚଳର କରୋନା ବିଜୟୀ ।

ସମ୍ବନ୍ଧିତ ଖବର