ଯାଜପୁର: ସାରା ରାଜ୍ୟରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ ଡାଉନ କଟକଣା ରହିଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନର ଘୋଷଣା ପରେ ଆଜିଠାରୁ ଏଠାକାର ବହି ଓ ପାଠ୍ୟ ଉପକରଣ, ଗ୍ୟାରେଜ , ବିଦ୍ୟୁତ ଉପକରଣ ଓ ମରାମତି ଦୋକାନ ଖୋଲିଛି। ଏଠାରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି।
ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜି ଠାରୁ ବହି ଓ ପାଠ୍ୟ ଉପକରଣ, ଗ୍ୟାରେଜ , ବିଦ୍ୟୁତ ଉପକରଣ ଓ ମରାମତି ଦୋକାନ ଖୋଲିବାକୁ ଜିଲ୍ଲାପାଳ ଅନୁମତି ଦେଇଥିଲେ। ସରକାର ଜୁନ୍ ୧୭ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରିଥିବାରୁ ଏହି ସମୟରେ ଘରେ ରହୁଥିବା ଛାତ୍ରଛାତ୍ରୀ ପାଠପଢ଼ାରେ ସମସ୍ୟାରେ ପଡୁଛନ୍ତି। ସମସ୍ତଙ୍କ ପାଖରେ ଆବଶ୍ୟକୀୟ ପାଠ୍ୟ ଉପକରଣ ନଥିବାରୁ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି। ତେଣୁ ବାରମ୍ବାର ଅଭିଭାବକମାନଙ୍କର ଦାବିକୁ ବିଚାର କରି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏପରି ନିଷ୍ପତ୍ତି ନେଇଥିଲେ।
/sambad/media/post_attachments/wp-content/uploads/2020/04/jaj-1-300x146.jpg)
ଏଥି ସହିତ ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ଗାଡ଼ିଗୁଡ଼ିକ ଅନେକ ସମୟରେ ଯାନ୍ତ୍ରିକ ତ୍ରୁଟିରେ ପଡିଲେ ମଧ୍ୟ ମରାମତି ପାଇଁ ଦୋକାନ ଖୋଲା ରହୁନଥିଲା। ସେହି ଦୃଷ୍ଟିରୁ ଜିଲ୍ଲାପାଳ ଗ୍ୟାରେଜକୁ ଖୋଲିବାକୁ ଅନୁମତି ଦେଇଥିଲେ। ଖରାଦିନ ଥିବାରୁ ଲୋକମାନଙ୍କ ବିଦ୍ୟୁତ୍ ଉପକରଣ ଖରାପ ହେବାର ସମ୍ଭାବନା ରହିଥାଏ। ତେବେ ତାହାର ମରାମତି ସହ ନୂଆ ଉପକରଣ କିଣିବାକୁ ପ୍ରଶାସନ ବିଦ୍ୟୁତ୍ ଉପକରଣ ଓ ମରାମତି ଦୋକାନଗୁଡିକ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା ପରେ ଆଜି ଜିଲ୍ଲାର ବିଭିନ୍ନ ବହି ଦୋକାନରେ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା। ଦୋକାନୀମାନେ ସାମାଜିକ ଦୂରତା ବଜାୟ ରଖି ବେପାର କରୁଥିବା ବେଳେ ସାଧାରଣ ଲୋକ ମଧ୍ୟ ଏହାକୁ ସମର୍ଥନ ଦେବା ସହ ପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/jaj9.jpg)