ରାଜ୍ୟର ୫୬ତମ କରୋନା ପଜିଟିଭ ଯାଜପୁର ଜିଲ୍ଲାର, ଚିହ୍ନଟ ପରେ ୨ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଯାଜପୁର: ଆଜି ସକାଳେ କରୋନା କରୋନା ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଏହା ଯାଜପୁର ଜିଲ୍ଲାରେ ଦ୍ବିତୀୟ କରୋନା ପଜିଟିଭ୍ ମାମଲା ବୋଲି ଜଣାଯାଇଛି। ରାଜ୍ୟର ୫୬ତମ ଓ  ଯାଜପୁରର  ଦ୍ବିତୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାର ସାନିତ୍ରିଲୋଚନପୁର ଓ ସଇପୁରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଦୁଇ ଗାଁକୁ ୭ ଦିନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଜିଲ୍ଲାର ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ଘର ସାନତ୍ରିଲୋଚନପୁର ଅଞ୍ଚଳରେ। ତାଙ୍କର ବୟସ ୬୬ ବର୍ଷ। ସେ ଗତ ମାସ ୨୮ ତାରିଖରେ କୋଲକାତାରୁ ଫେରି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ଗତକାଲି ତାଙ୍କର ନମୁନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ତାଙ୍କୁ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ନେଇ  ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳେ ଏହି ନୂଆ କରୋନା କରୋନା ପଜିଟିଭଙ୍କ ଚିହ୍ନଟ ହୋଇଥିଲା। ଏହାଫଳରେ ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୫୬ରେ ପହଞ୍ଚିଲା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ବେବସାଇଟରୁ ସୂଚନା ମିଳିଥିଲା। ତେବେ ସେ କେଉଁ ଅଞ୍ଚଳର ତାହା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା  ଦିଆଯାଇ ନଥିଲା।

ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଉ ୫ ଜଣ ଗତକାଲି ସୁସ୍ଥ ହୋଇଥିଲେ। ଏମାନେ ସମସ୍ତେ ରାଜଧାନୀର। ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ରୋଗୀମାନଙ୍କର ନମୁନା ଗତକାଲି ନେଗେଟିଭ୍ ଆସିଥିଲା। ତେଣୁ ସେମାନଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ସଂକ୍ରମିତଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବାବେଳେ ଗତକାଲି ଏହି ସଂଖ୍ୟା ୧୮ରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର