ତାଳଚେରରେ ବନ୍ଦ ପାଳନ

ତାଳଚେର : ତାଳଚେରକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା କରାଯିବା ଦାବିରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୁଧବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।

ତାଳଚେରକୁ ଜିଲ୍ଲା ଘୋଷଣା ଦାବିରେ ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ମାସ ହେଲା ଧାରଣା ଜାରି ରହିଛି। ରାଜ୍ୟ ସରକାରଙ୍କୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଛି ତାଳଚେର ଉପଖଣ୍ଡ। ରାଜ୍ୟ ସରକାର ଏହାକୁ ଜିଲ୍ଲା ଘୋଷଣା କରିବା ପାଇଁ ବହୁବର୍ଷ ପୂର୍ବରୁ ତାଳଚେରବାସୀ ଦାବି କରିଆସୁଛନ୍ତି। ଏଥିପାଇଁ ତାଳଚେରବାସୀ ବହୁଥର ଆନ୍ଦୋଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ତାଳଚେର ଓ ପାଳଲହଡ଼ା ଉପଖଣ୍ଡକୁ ନେଇ ତାଳଚେର ଜିଲ୍ଲା ଘୋଷଣା କରାଯିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଳଚେରକୁ ଜିଲ୍ଲା ଘୋଷଣା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶାରେ ନୂଆ ଜିଲ୍ଲା ଘୋଷଣା ହେଲେ ତାଳଚେରକୁ ୩୧ ନମ୍ବର ଜିଲ୍ଲା କରାଯିବ ବୋଲି କହିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇପାରିନାହିଁ। ସରକାରଙ୍କ ଏଭଳି ବୈମାତୃକ ମନୋଭାବ ପ୍ରତିବାଦରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ତାଳଚେରରେ ବନ୍ଦ ପାଳନ କରାଯିବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା।

ତାଳଚେରର ୯୦ ପ୍ରତିଶତ ବ୍ୟବସାୟୀ, ଶତପ୍ରତିଶତ ଜନସାଧାରଣ ଏବଂ ବିଭିନ୍ନ ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ ଦେଇଥିବା ଜଣାପଡ଼ିଛି। ବନ୍ଦ ପାଳନ ଯୋଗୁଁ ତାଳଚେର ଅଞ୍ଚଳରେ ଥିବା ଏମ୍‌ସିଏଲ୍‌ର ସମସ୍ତ କୋଇଲା ଖଣିରୁ କୋଇଲା ପରିବହନ ବନ୍ଦ ରହିଥିଲା। ଅଞ୍ଚଳର ଦୋକାନ ବଜାର ବନ୍ଦ ରହିଥିଲା। ତାଳଚେର କୋଇଲା ଖଣିରୁ ଟ୍ରେନ୍‌ ଦ୍ବାରା କୋଇଲା ପରିବହନ ମଧ୍ୟ ବନ୍ଦ ରହିଥିଲା। ଆନ୍ଦୋଳନ ଯୋଗୁଁ ତାଳଚେର‌ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ବହ୍ଲର ଛକ ଓ ଗୋଡ଼ିବନ୍ଧ ଛକଠାରେ ହଜାର ହଜାର କୋଇଲା ବୋଝେଇ ଟ୍ରକ୍‌, ଅନ୍ୟ ଭାରୀଯାନ, ବସ୍‌ ଅଟକି ରହିଥିଲା।

ସମ୍ବନ୍ଧିତ ଖବର