ଯାଜପୁରରେ ମହିଳା ଶିଳ୍ପପତିଙ୍କୁ ତାଲା: ୧୦ ମାସର ଦରମା ଓ ୨ ବର୍ଷର ବୋନସ ଦାବିରେ ୨ଦିନ ହେଲା ଗେଷ୍ଟହାଉସରେ ବନ୍ଦ ରଖିଛନ୍ତି କର୍ମଚାରୀ

ଯାଜପୁର: ମହିଳା ଶିଳ୍ପପତିଙ୍କୁ ତାଲା ପକାଇଲେ କର୍ମଚାରୀ। ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁରରେ। ଦଶମାସର ଦରମା ଓ ୨ବର୍ଷର ବୋନସ ଦାବିରେ କାରଖାନାର ମାଲିକାଣୀଙ୍କୁ ଘେରାଉ କରିଛନ୍ତି କର୍ମଚାରୀ। ଯାଜପୁର ମଇଥାନ ଇସ୍ପାତ କାରଖାନାର କର୍ମଚାରୀମାନେ ଦୀର୍ଘଦିନ ହେବ ଦରମା ନମିଳିବାରୁ ମାଲିକାଣୀଙ୍କ ଗେଷ୍ଟହାଉସ ସମ୍ମୁଖରେ ଥିବା ଗେଟ ଆଗରେ ଧାରଣା ଦେଇଛନ୍ତି।

ଫଳରେ ଗେଷ୍ଟ ହାଉସ ଭିତରେ ମାଲିକାଣୀ ଗତକାଲି ଠାରୁ ବାହାରକୁ ବାହରି ପାରି ନଥିଲେ। ଏବେ ସୁୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼େଇଙ୍କ ସହିତ କିଛି ପ୍ରତିନିଧି ଗେଷ୍ଟହାଉସ ମଧ୍ୟକୁ ଆଲୋଚନା ପାଇଁ ଯାଇଛନ୍ତି। ଆଜି ଆନ୍ଦୋଳନସ୍ଥଳରେ ଜଣେ ଯୁବକ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାଙ୍କୁ ହେପାଜତକୁ ନେଇଛି। କଳିଙ୍ଗନଗର ଅତିରିକ୍ତ ଏସପି ଉପସ୍ଥିତ ରହି ଘଟଣାକୁ ନିୟନ୍ତ୍ରଣ କରୁଛନ୍ତି। ତେବେ ଏ ନେଇ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧିତ ଖବର