ଯାଜପୁର: ଯାଜପୁର ତହସିଲ ୪କୋଟି ୯୫ଲକ୍ଷ ଟଙ୍କା ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଭିଜିଲାନ୍ସ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ରଜତ ୬ ବର୍ଷ ହେଲା ଫେରାର ଥିଲେ। ସେ ବାରମ୍ବାର ମୋବାଇଲ ନମ୍ବର ବଦଳାଇବା ସହ ଘର ସହିତ ଯୋଗାଯୋଗ ରଖିନଥିଲେ। ଏପରିକି ନାମ ପରିବର୍ତ୍ତନ କରି ରଜତ ମହାପାତ୍ର ନାମରେ ଦ୍ବିତୀୟ ପତ୍ନୀଙ୍କ ସହିତ କଟକ ସିଡିଏରେ ଆତ୍ମଗୋପନ କରିଥିଲେ। ଭିଜିଲାନ୍ସ ଟିମ୍ ବାରମ୍ବାର ଉଦ୍ୟମ କରି ମଧ୍ୟ ରଜତଙ୍କ ପତ୍ତା ପାଉନଥିଲେ। ରଜତଙ୍କୁ ଧରିବାପାଇଁ ଭିଜିଲାନ୍ସର ସତନ୍ତ୍ର ଟିମ୍ ଗଠନ ହୋଇଥିଲା। ଗତ ୭ତାରିଖ ଭୋର ସମୟରେ ରଜତ ରହୁଥିବା ସିଡିଏର ଭଡ଼ାଘରେ ଚଢ଼ାଉ କରାଯାଇଥିଲା। ମାତ୍ର, ଅନ୍ଧାର ସୁଯୋଗରେ ଖସିଯିବାକୁ ବସିଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ ବୋଲି କୁହାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ୨୦୦୬ ରୁ ୨୦୧୬ ମଧ୍ୟରେ ଯାଜପୁର ତହସିଲ‌ରେ ବିଭିନ୍ନ ବିଭାଗରୁ ଆଦାୟ ହୋଇଥିବା ରାଜସ୍ବରୁ ୪କୋଟି ୯୫ଲକ୍ଷ ଟଙ୍କା ହଡ଼ପ ‌ହୋଇଥିଲା। ଏହି ମାମଲାରେ ଯାଜପୁର ତହସିଲର ୩ଜଣ ପୂର୍ବତନ ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଗୌରହରି ବେହେରା, ମମତା ବାରିକ, ପୂର୍ବତନ ନାଜିର ଶରତ ଚନ୍ଦ୍ର ବାରିକ ଏବଂ ଅନ୍ୟମାନେ ସଂପୃକ୍ତ ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।