ଯାଜପୁର/ସଦର/ବିଂଝାରପୁର/କୋରେଇ: ଯାଜପୁର ଜିଲ୍ଲାରେ ଦୁଇଟି ପର୍ଯ୍ୟାୟ ଭୋଟବେଳେ ଯେଭଳି ହିଂସା ହୋଇଥିଲା, ତୃତୀୟ ପର୍ଯ୍ୟାୟ ତାକୁ ବଳିଗଲା। ଦୁର୍ବୃତ୍ତମାନେ ସାମ୍ବାଦିକ, ପୁଲିସ ଓ ବିଡିଓଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛେଇଲେ ନାହିଁ। ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ୍ରେ ବୁଥ୍ ଜବରଦଖଲ, ଆକ୍ରମଣ, ବିଶୃଙ୍ଖଳା ଚରମସୀମାରେ ପହଞ୍ଚିଥିଲା। ବିଂଝାରପୁର ବ୍ଲକ୍ ବାଛୋଳ ପଞ୍ଚାୟତରେ ସାମ୍ବାଦିକମାନଙ୍କ ଉପରେ ଦୁର୍ବୃତ୍ତମାନଙ୍କର ମରଣାନ୍ତକ ଆକ୍ରମଣର ଭିଡିଓ ଭାଇରାଲ ହେବା ପରେ ନିର୍ବାଚନ କମିସନଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ଦୃଢ଼ ନିନ୍ଦା କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ବାଛୋଳ ଗ୍ରାମ ପୁଲିସ ଛାଉଣିରେ ପରିଣତ ହୋଇଛି। ଶତାଧିକ ପୁଲିସ ଫୋର୍ସ ଗାଁକୁ ଘେରି ରହିଛନ୍ତି। ଆକ୍ରମଣକାରୀମାନଙ୍କୁ ଖୋଜି ଉଠାଇ ନେଉଛନ୍ତି। ବିଂଝାରପୁର ବ୍ଲକ୍ ବାଛୋଳ ପଞ୍ଚାୟତର ୨ ଓ ୪ ନମ୍ବର ବୁଥ୍ରେ ପଶି ଦୁର୍ବୃତ୍ତମାନେ ଭୋଟବାକ୍ସ ଛଡ଼ାଇ ନେଇ ପଳାଇଥିଲେ। ଖବରପାଇ କନକ ନ୍ୟୁଜର ସାମ୍ବାଦିକ ବିଜୟ ସାହୁ, କଳିଙ୍ଗ ଟିଭିର ଦେବାଶିଷ ସାହୁ, ଅର୍ଗସ ଟିଭିର ଗୁଲସନ ନବାଜ ଅଲ୍ଲି ଖାଁ ଓ ଅନ୍ୟ ଜଣେ ସେଠାକୁ ଯାଇଥିଲେ। ଦୁର୍ବୃତ୍ତମାନେ ଭୋଟବାକ୍ସକୁ ପୋଖରୀରେ ଫିଙ୍ଗୁଥିବା ବେଳେ ଅର୍ଗସ ଟିଭିର ପ୍ରତିନିଧି ଗୁଲସନ ଅଲ୍ଲି ଏହାର ଭିଡିଓ ଉତ୍ତୋଳନ କରୁଥିଲେ। ଫଳରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଅନ୍ୟ ସହଯୋଗୀ ସାମ୍ବାଦିକ ଉଦ୍ୟମ କରି ଆକ୍ରମଣର ଶିକାର ହୋଇଥିଲେ। ଦୁର୍ବୃତ୍ତମାନେ ସାମ୍ବାଦିକଙ୍କ କାର ଭାଙ୍ଗି ଦେଇଥିବା ବେଳେ ମହିଳାମାନେ ଗୋବର ଫୋପାଡି ଥିଲେ। ଆକ୍ରମଣ ଖବର ପାଇ ସୁକିନ୍ଦା ଥାନାଧିକାରୀ ଶିବ ଚରଣ ମାଝି ପହଞ୍ଚି ଯିବାକୁ ଆକ୍ରମଣକାରୀ ଛତ୍ରଭଙ୍ଗ ଦେଇଥିଲେ। ଜିଲ୍ଲାପାଳ ଓ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ସ୍ବତନ୍ତ୍ର ପୁଲିସ ଟିମ୍ ପହଞ୍ଚି ସେଠାରେ ଥିବା ପୁଲିଂ ଅଧିକାରୀ ଓ ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲେ।
ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ: ଏସ୍ପି
ଏନେଇ ସାମ୍ବାଦିକମାନଙ୍କ ପକ୍ଷରୁ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଆକ୍ରମଣକାରୀ କଳିଙ୍ଗଟିଭି ପ୍ରତିନିଧିଙ୍କ ସୁନା ଚେନ୍ ସହ ଅର୍ଗସ ପ୍ରତିନିଧିଙ୍କ ୨ଟି ମୋବାଇଲ ଛଡାଇ ନେଇଛନ୍ତି। ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ,ଏସ୍ପି ରାହୁଲ ପିଆର ବିଂଝାରପୁର ଥାନାରେ ପହଞ୍ଚି ମାଡ଼ ଖାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଘଟଣାକୁ ନେଇ ବିଭିନ୍ନ ଗଣାମଧ୍ୟମର ସଂପାଦକମାନେ ରାଜ୍ୟ ନିର୍ବାଚନ କମିସନରଙ୍କୁ ଭେଟି ସୁରକ୍ଷା ଦାବି କରିଛନ୍ତି। ଘଟଣାସ୍ଥଳରେ ୨ଜଣ ଏସ୍ଡିପିଓଙ୍କ ନେତୃତ୍ବରେ ୮ ଥାନାର ଥାନାଧିକାରୀ ଓ ଶତାଧିକ ପୁଲିସ କର୍ମଚାରୀ ପହଞ୍ଚିଛନ୍ତି। ଅନେକ ଆକ୍ରମଣକାରୀଙ୍କ ସହିତ କେତେକ ଗ୍ରାମବାସୀଙ୍କୁ ପୁଲିସ ଥାନାକୁ ଉଠାଇ ନେଇଛି। ବାଛୋଳ ପଞ୍ଚାୟତର ବାମଦେବପୁର ଗାଁ ଏକପ୍ରକାର ପୁରୁଷ ଶୂନ୍ୟ ହୋଇଛି। ଆଜି ବାଛୋଳ ପଞ୍ଚାୟତର ୨,୪,୬,୭ ଏବଂ ୮ ନମ୍ବର ବୁଥ୍ରେ ବିଶୃଙ୍ଖଳା ହୋଇଥିବାରୁ ଏଠାରେ ସାନିମତଦାନ ହେବାର ସମ୍ଭାବନା ରହିଛି।
ସେହିପରି ଆଜି ବିଂଝାରପୁର ବ୍ଲକ୍ ଅଳକୁଣ୍ଡର ୧୨ ନମ୍ବର ବୁଥ୍ର ଭୋଟ ବାକ୍ସଙ୍କୁ ଜଣେ ଛଡ଼ାଇ ନେଇଯାଇଥିଲେ। ତେବେ ପୁଲିସ ଏବଂ ଅନ୍ୟକିଛି ଲୋକ ଭୋଟବାକ୍ସକୁ ଉଦ୍ଧାର କରିଥିଲେ। ଜରି ପଞ୍ଚାୟତର ୧୩ ଓ ୧୪ ନମ୍ବର ବୁଥ୍ରେ ଆଜି ପୁଲିସ ଉପରେ ଆକ୍ରମଣ ହୋଇଛି। ବିତିନାରେ ବିଶୃଙ୍ଖଳା ପାଇଁ ଭୋଟ ବନ୍ଦ ହୋଇଯାଇଥିଲା। ଅପରପକ୍ଷରେ କୋରେଇ ବ୍ଲକ୍ର ଗୋଳେଇପୁର ପଞ୍ଚାୟତର ୪ଟି ବୁଥ୍ରେ ରିଗିଂ ଅଭିଯୋଗ ଆସିଛି। ସୋତି ୟୁଜିଏମ୍ଇ ସ୍କୁଲ ଭୋଟଗ୍ରହଣ କେନ୍ଦ୍ରରେ ରିଗିଂ ହେଉଥିବା ଖବରପାଇ ବିଡିଓ ରଂଜନ କୁମାର ପରିଡ଼ା ପହଞ୍ଚିଥିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ଧକ୍କା ମାରି ଆକ୍ରମଣ କରିଥିଲେ।