ଯାଜପୁର ଜଳସେଚନ ଡିଭିଜନ୍ କେଳେଙ୍କାରୀ : ଡବଲ ବିଲ୍‌ରେ ୫୦ ଲକ୍ଷ ଟଙ୍କା ହଡ଼ପ, ୩ଟି ନଦୀବନ୍ଧ ସ୍ଲୋପ୍ ନାମରେ ହରିଲୁଟ୍

ଯାଜପୁର/ଦଶରଥପୁର : ଯାଜପୁର ଜଳସେଚନ ଡିଭିଜନରେ ଖୋଲା ଟେଣ୍ଡର ଓ ଗୁପ୍ତ ଟେଣ୍ଡରରେ ଶହ ଶହ କୋଟି ଟଙ୍କାର କାମ ଚାଲିଛି। ନଦୀବନ୍ଧ ମରାମତି ଓ ନିର୍ମାଣ ଆଳରେ କୋଟି କୋଟି ଟଙ୍କା ହେରାଫେରି କରାଯାଇଥିବା ଅଭିଯୋଗ ହେଉଛି। ବାଏଁ ବାଏଁ ୫୦ଲକ୍ଷ ଟଙ୍କା ପକେଟକୁ ନେଇଯାଇଛନ୍ତି ଅଧିକାରୀ। ଗୋଟିଏ ଗୋଟିଏ କାମର ଡବଲ ବିଲ୍ କରି ୫୦ଲକ୍ଷ ଟଙ୍କା ଲୁଟିଛନ୍ତି ଅଧିକାରୀ।

ମିଳିଥିବା ସୂଚନା ଅନୁଯାୟୀ ଦଶରଥପୁର ବ୍ଲକ୍ ବୈତରଣୀ ନଦୀର ଡାହାଣରେ ଥିବା ୩ଟି ଗାଁକୁ ଗଡ଼ାଣି ତିଆରି କରିବା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଯାଜପୁର ଜଳସେଚନ ଡିଭିଜନର ଅଧିକାରୀ ଦର୍ଶାଇଛନ୍ତି। ନୂଆପାଟଣା, ଧରମପୁର ଓ ବାଲିପାଟଣାରେ ଏଭଳି କାମ କରାଯାଇ ସରକାରୀ ଅନୁଦାନ ହଡ଼ପ କରାଯାଇଛି। ଆର୍ଥିକ ବର୍ଷ ୨୦୧୭–୧୮ରେ ଯାଜପୁର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୧୭୩୫ ଏବଂ ଏଗ୍ରିମେଣ୍ଟ ନମ୍ବର ୧୨ପି ୱାନ(ଇଇ)ରେ ପ୍ରକଳ୍ପ ସ୍ଲୋପ ପ୍ରୋଟେକ୍ସନ୍ ବାଲିପାଟଣା ବୈତରଣୀ ନଦୀର ଡାହାଣ ପାର୍ଶ୍ବରେ କାମ କରାଯାଇଛି। ଏହି କାମ ପାଇଁ ବିଭାଗ ପକ୍ଷରୁ ୧୧ ଲକ୍ଷ ୨୯ ହଜାର ୯୬୭ ଟଙ୍କା ବ୍ୟୟ କରାଯାଇଛି। ୨୦୧୮ ଫେବ୍ରୁଆରି ୨୭ରୁ ଆରମ୍ଭ ହୋଇ ଅଗଷ୍ଟ୨୬ ତାରିଖରେ ଶେଷ ହୋଇଛି। ଏହି କାମ ଠିକାଦାର ଦିବ୍ୟସିଂ ମାଝି କରିଛନ୍ତି।

ଏହାପରେ ଚିଠି ସଂଖ୍ୟା ୧୮୯୧ରେ ଏଗ୍ରିମେଣ୍ଟ ନମ୍ବର ୪୪ପି ୱାନ୍(ଇଇ) ୨୦୧୭–୧୮ରେ ବୈତରଣୀର ଡାହାଣ ପାର୍ଶ୍ବରେ ଧରମପୁର ଠାରେ ସ୍ଲୋପ ପ୍ରୋଟେକ୍ସନ କାମ ୨୦୧୮–୧୯ରେ କରାଯାଇଛି। ଏହି କାମଟି ମଧ୍ୟ ୨୭/୨/୨୦୧୮ରେ ଆରମ୍ଭ ହୋଇ ୨୬/୨/୨୦୧୮ରେ ଶେଷ ହୋଇଥିବା ଦର୍ଶାଯାଇଛି। ଡିଭିଜନ ପକ୍ଷରୁ ୨୨ ଲକ୍ଷ ୫୫ ହଜାର ୧୭୯ ଟଙ୍କା ବ୍ୟୟ କରାଯାଇଛି। ଠିକାଦାର ବିନୟ କୁମାର ନାଥ ଏହାକୁ କରିଛନ୍ତି। ଅନ୍ୟ ଏକ ଚିଠି ସଂଖ୍ୟା ୧୯୮୩ରେ ଏଗ୍ରିମେଣ୍ଟ ନମ୍ବର ୮୧ ପିୱାନ (ଇଇ) ୨୦୧୭–୧୮ରେ ବୈତରଣୀ ନଦୀ ଡାହାଣ ପାର୍ଶ୍ବରେ ନୂଆପାଟଣା ଠାରେ ସ୍ଲୋପ୍ ପ୍ରୋଟେକ୍ସନ କାର୍ଯ୍ୟ ୨୦୧୮–୧୯ରେ କରାଯାଇଛି। ଏହି କାମ ମଧ୍ୟ ସେହି ୨୭/୨/୨୦୧୮ରୁ ଆରମ୍ଭ ହୋଇ ୨୬/୮/୨୦୧୮ରେ ଶେଷ ହୋଇଛି। ଏଥି ପାଇଁ ବିଭାଗ ପକ୍ଷରୁ ୧୮ ଲକ୍ଷ ୮୧ ହଜାର ୩୫୮ ଖର୍ଚ୍ଚ କରାଯାଇଛି। ଠିକାଦାର ଧୀରେନ୍ଦ୍ର କୁମାର ପରିଡା କାର୍ଯ୍ୟ କରିଛନ୍ତି। ମାତ୍ର ଏହି ୩ଟି ଗଡାଣି (ସ୍ଲୋପ) ନିର୍ମାଣକୁ ପୂର୍ବରୁ ନଦୀବନ୍ଧ ନିର୍ମାଣ ସମୟରେ ଓସିସି କରିଥିଲା। ଏହାକୁ ଡିଭିଜନ କାର୍ଯ୍ୟାଳୟ ପକ୍ଷରୁ ଡବଲ ଟେଣ୍ତର କରାଯାଇଛି।

ଓସିସି ଜେଇ କହୁଛନ୍ତି ଯେ ଏହି ୩ଟି ଗଡ଼ାଣି(ସ୍ଲୋପ) କାମ ତାଙ୍କ ଟେଣ୍ଡରରେ ବ୍ୟବସ୍ଥା ରହିଛି। ସେମାନେ କରିଛନ୍ତି। ଅଥଚ ଡିଭିଜନର ଯନ୍ତ୍ରୀ ଓ ଠିକାଦାର ଅସାଧୁମେଣ୍ଟ ଗୁପ୍ତରେ ଟେଣ୍ଡର କରି ଓସିସିର କାମକୁ ଦର୍ଶାଇ ୫୦ଲକ୍ଷ ଟଙ୍କା ସିଧାସଳଖ ହଡ଼ପ କରିଛନ୍ତି ବୋଲି ଅଭିଯୋଗ ହେଉଛି। ଏଥିନେଇ ଯାଜପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଅଧିକାରୀ ଧନେଶ୍ବର ସାମଲଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହି କାର୍ଯ୍ୟ ତାଙ୍କ ବିଭାଗ କରିନାହିଁ। ତେବେ କାଗଜପତ୍ର ତନଖି କରିବା ପରେ ସବିଶେଷ ତଥ୍ୟ ପ୍ରଦାନ କରିବେ ବୋଲି କହିଛନ୍ତି। ମାତ୍ର ଏହି କାର୍ଯ୍ୟକୁ ଜଳସେଚନ ବିଭାଗ କରିଥିବା ତଥ୍ୟରୁ ଜଣାପଡ଼ିଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କଲେ ଓସିସି ନା ଯାଜପୁର ଡିଭିଜନର ଯନ୍ତ୍ରୀ ଓ ଠିକାଦର କିଏ ସରକାରୀ ଅନୁଦାନକୁ ହଡ଼ପ କରିଛନ୍ତି, ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର