ହୀରାକୁଦରେ ହେବ ଜଳ ମହୋତ୍ସବ : ଜଳଭଣ୍ଡାରରେ ଚାଲିବ ଜେଟ୍ସ୍କି
ସେପ୍ଟେମ୍ବର ସୁଦ୍ଧା ଦୁଇ ମିନାର ମଧ୍ୟରେ ରୋପ୍ଓ୍ଵ, ଇକୋ ଟୁରିଜିମ୍କୁ ବି ଦିଆଯିବ ଗୁରୁତ୍ୱ
ସମ୍ବଲପୁର : ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ଜଳ ମହୋତ୍ସବ। ଅକ୍ଟୋବର ମାସରେ ହୀରାକୁଦ ଜଳଭଣ୍ଡାରରେ ଏହାର ଆୟୋଜନ ହେବ। ଏଥିରେ ଦୁଃସାହସିକ କ୍ରୀଡ଼ା ସ୍ଥାନିତ ହେବ। ଏଥିପାଇଁ ସ୍ଥାନ ଚୟନ ପାଇଁ ରାଜସ୍ୱ ବିଭାଗକୁ ନିର୍ଦେଶ ଦିଆଯାଇଛି। ହୋଟେଲ ଶିଳ୍ପ ମଧ୍ୟ ଏହାର ଲାଭ ନେଇ ପାରିବ। ହୀରାକୁଦ ଜଳଭଣ୍ଡାରରେ ଏହି ଜଳକ୍ରୀଡ଼ା ପାଇଁ ଜେଟ୍ସ୍କି ମଧ୍ୟ ଅଣାଯିବ। ଏହା କହିଛନ୍ତି ପର୍ଯ୍ୟଟନ ବିଭାଗ ନିର୍ଦେଶକ ନିତିନ ଭାନୁଦାସ ଜାୱଲେ। ପୂର୍ବରୁ କେବଳ ମଧ୍ୟପ୍ରଦେଶରେ ଏଭଳି ଜଳ ମହୋତ୍ସବ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ନେଇ ହୋଟେଲ ଏବଂ ରେସ୍ତୋରା ଆସୋସିଏସନ ପକ୍ଷରୁ ଆୟୋଜିତ କର୍ମଶାଳାରେ ସେ ଏହା କହିଛନ୍ତି। ଏଥିରେ ପର୍ଯ୍ୟଟନ ବିଭାଗ ନିର୍ଦେଶକ ଶ୍ରୀ ଜାଓ୍ଵଲେ କହିଛନ୍ତି, ଓଡ଼ିଶା ପର୍ଯ୍ୟଟନ ପ୍ରଚାର-ପ୍ରସାର କେବଳ ଭୁବନେଶ୍ୱର-ପୁରୀ-କୋଣାର୍କ ମଧ୍ୟରେ କେନ୍ଦ୍ରୀଭୂତ ହୋଇ ଆସିଛି। ବର୍ତ୍ତମାନ ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ପ୍ରଚାର-ପ୍ରସାର ପାଇଁ ଯୋଜନା ପ୍ରସ୍ତୁତି ହେଉଛି। ଏହାର ଲାଭ ସମ୍ବଲପୁରକୁ ମିଳିବ। ଜଙ୍ଗଲ ବିଭାଗ ସହାୟତାରେ ଇକୋ ଟୁରିଜମକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏଠାରେ ମହିଳା ଶୌଚାଳୟ ସମସ୍ୟା ରହିଛି। ଏହାର ସମାଧାନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁଠି ପର୍ଯ୍ୟଟନ ବିଭାଗର ସମ୍ପତ୍ତି ରହିଛି ସେଠାରେ ରହଣି କେନ୍ଦ୍ରମାନ କରାଯାଉଛି।
ଆରଡିସି ଡିଭି ସ୍ୱାମୀ କହିଛନ୍ତି, ପର୍ଯ୍ୟଟନର ବିକାଶ ନେଇ ହୋଟେଲ ଶିଳ୍ପ ଜମି ଆବଶ୍ୟକ କରୁଥିଲେ ଏଥିପାଇଁ ୧୦ ଦିନ ମଧ୍ୟରେ ପ୍ରସ୍ତାବ ରିପୋର୍ଟ ଦିଅନ୍ତୁ। ମହାନଦୀ ମହୋତ୍ସବ ଏବଂ ଧନୁଯାତ୍ରାକୁ ପ୍ୟାକେଜ କରି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ ପାଇଁ ଚେଷ୍ଟା କରାଯିବ। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପର୍ଯ୍ୟଟନ ଓ ଗାଇଡ୍ ସମ୍ପର୍କିତ ପାଠ୍ୟକ୍ରମ ଖୋଲିବାର ଆବଶ୍ୟକତା ରହିଛି। ହସ୍ତତନ୍ତ ଓ ଗ୍ରାମ୍ୟଶିଳ୍ପର ବିକାଶ ନେଇ ବିପିୟୁଟି ସହିତ ଆଲୋଚନା କରାଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ସେପ୍ଟେମ୍ବର ମାସ ସୁଦ୍ଧା ଗାନ୍ଧୀ ମୀନାରରୁ ନେହେରୁ ମୀନାର ମଧ୍ୟରେ ରୋପେଓ୍ଵ ଉଦଘାଟିତ ହେବ।