ଜଳ ବିଭାଜିକା ୪୨ଲକ୍ଷ ଠକେଇ : ଖୋଲିଲା ଦଲାଲ୍‌ ମୁଖା

ଫେରାଇଲେ ଚାଷୀଙ୍କ ଟଙ୍କା, ଟଙ୍କା ଉଠାଣ କଥା ମାନିଲେ

ପର୍ଜଙ୍ଗ : ଜଳ ବିଭାଜିକାରେ ସାଙ୍ଘାତିକ ଠକେଇ। ଗାଈ, ଛେଳି ଓ ପନିପରିବା ଚାଷ ନାଁରେ ୪୨ଲକ୍ଷ ଟଙ୍କା ଭୂତାଯାଇଛି ଚାଷୀଙ୍କୁ। ଏ ସମ୍ପର୍କିତ ଖବର ଗତକାଲି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ବସୋଇ ପଞ୍ଚାୟତ ରାହାବେରେଣୀ ଗାଁରେ ଖେଳିଯାଇଛି ଆଲୋଡ଼ନ। ଅଭିଯୋଗ ଯାଇ ଜିଲ୍ଲାପାଳଙ୍କ କାନରେ ବି ପଡ଼ିଛି। ଧରପଗଡ଼ ଭୟରେ ଚାଷୀଙ୍କୁ ଭୂତାଇଥିବା ଦଲାଲ୍‌ଙ୍କ ଭିତରେ ହୃତ୍‌କମ୍ପନ ସୃଷ୍ଟି ହେଲାଣି। ଆଜି ଗାଁର ମହିଳା ଚାଷୀ ରୀନା ବେହେରା ଓ ମାନସୀ ସାହୁ ନିଜ ହଡ଼ପ ଟଙ୍କା ଫେରସ୍ତ ପାଇଛନ୍ତି। ଦଲାଲ୍‌ଙ୍କ ଟଙ୍କା ଫେରସ୍ତ ଘଟଣା ଜଳ ବିଭାଜିକା ଦୁର୍ନୀତି ଅଭିଯୋଗକୁ କେବଳ ପ୍ରମାଣିତ କରିନାହିଁ, ବରଂ କେଉଁମାନେ ଦଲାଲି କରିଥିଲେ ସେମାନଙ୍କ ମୁଖା ବି ଖୋଲିଯାଇଛି।

ଗାଁର ମହିଳା ଚାଷୀ ରୀନା ବିଶ୍ବାଳଙ୍କ କହିବା ମୁତାବକ, ଜଳ ବିଭାଜିକା ପକ୍ଷରୁ ଦୁଇ ମାସ ତଳେ କୁକୁଡ଼ା ପାଳନ ପାଇଁ ୧୨ହଜାର ୫ଶହ ଏବଂ ପନିପରିବା ଚାଷ ପାଇଁ ୫ହଜାର ସରକାରୀ ସହାୟତା ତାଙ୍କ ଏକାଉଣ୍ଟ୍‌କୁ ଆସିଥିଲା। କିନ୍ତୁ ଏ ସମ୍ପର୍କରେ ସେ କିଛି ଜାଣି ନ ଥିଲେ। ଟଙ୍କା କାରବାର ହେବା ପୂର୍ବରୁ ତାଙ୍କୁ ଭୂଆଁ ବୁଲାଇ ଖାଲି ଚେକ୍‌ରେ ଦସ୍ତଖତ କରି ନିଆଗଲା। ତା’ ପରେ ଦେଖିଲା ବେଳକୁ ୧୭ହଜାର ୫ଶହ ଟଙ୍କା ଖାତାରୁ ଉଠାଣ ହୋଇଛି। ଘଟଣା ଜଣାପଡ଼ିବା ପରେ ଆଜି ଗାଁର ଦିଲୀପ ସାହୁ ତାଙ୍କୁ ୧୭ହଜାର ୫ଶହ ଟଙ୍କା ଜୋର୍‌ ଜବରଦସ୍ତ ଫେରାଇ ଦେଇ ଯାଇଛନ୍ତି। କେବଳ ରୀନା ନୁହଁନ୍ତି, ମାନସୀ ସାହୁ ମଧ୍ୟ ଶ୍ରୀ ସାହୁଙ୍କଠାରୁ ଟଙ୍କା ଫେରସ୍ତ ପାଇଥିବା କହିଛନ୍ତି।

ଟଙ୍କା ଫେରସ୍ତ ବେଳେ ଆମର ଫଟୋ ଓ ଭିଡ଼ିଓ ମଧ୍ୟ କରାଯାଇଛି ବୋଲି ମାନସୀ କହିଛନ୍ତି। ଦଲାଲଙ୍କ ଟଙ୍କା ଫେରସ୍ତ ଘଟଣା କେବଳ ଦୁର୍ନୀତିକୁ ପର୍ଦାଫାଶ କରୁ ନାହିଁ, ବରଂ ନିଜେ ସେଥିରୁ ବଞ୍ଚିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ କରାଯାଉଛି ବୋଲି ଗାଁ ମହିଳା ଗୋଷ୍ଠୀ ମଣ୍ଡଳ ସଭାନେତ୍ରୀ ଜୟନ୍ତୀ ସାହୁ କହିଛନ୍ତି। ଗାଁ ସବୁ ଚାଷୀ ଟଙ୍କା ଫେରସ୍ତ ନ ହେଲେ ଆମେ ଛାଡ଼ିବୁ ନାହିଁ ବୋଲି ଶ୍ରୀମତୀ ସାହୁ ଚେତାବନୀ ଦେଇଛନ୍ତି।

କେବଳ ଦିଲୀପ ନୁହଁନ୍ତି, ଦଲାଲି ପଛରେ ଜଣେ ଶିକ୍ଷକ କେମିତି ନିଜେ ସରକାରୀ ଚାକିରିଆ ହୋଇ ତି ନିଜ ସ୍ତ୍ରୀକୁ ଚାଷୀ ସଜାଇ ଜଳ ବିଭାଜିକା ଟଙ୍କା ହାତେଇଛନ୍ତି ତାହାର ପ୍ରମାଣ ବି ‘ସମ୍ବାଦ’ର ହସ୍ତଗତ ହୋଇଛି।

ଟଙ୍କା ଫେରସ୍ତ ସମ୍ପର୍କରେ ଶ୍ରୀ ସାହୁଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ଗାଈ ଓ ଛେଳି ବାବଦକୁ କିଛି ଲୋକଙ୍କର ଟଙ୍କା ଉଠାଇଥିଲୁ। ସେଥିରୁ କିଛି ଜିନିଷ କିଣିଛୁ ଓ କିଛି ଲୋକଙ୍କର ଫେରସ୍ତ କରିଛୁ। କୁକୁଡ଼ା ଚାଷଙ୍କ ପାଇଁ କିଛି ଲୋକଙ୍କ ପାଇଁ ଆମେ ପିଞ୍ଜରା ତିଆରି କରିଥିଲୁ। କିନ୍ତୁ ଚାଷୀ ନେଲେ ନାହିଁ। ତାକୁ ବିକ୍ରି କରି ଲୋକଙ୍କ ଟଙ୍କା ଲୋକଙ୍କୁ ଫେରସ୍ତ କରିବୁ ବୋଲି ଶ୍ରୀ ସାହୁ ପ୍ରତିକ୍ରିୟାରେ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର