୩୦ ପୋଖରୀର ଚିହ୍ନବର୍ଣ୍ଣ ନାହିଁ

ଜଳଛାୟା ମିସନ୍‌ ମହାକେଳେଙ୍କାରୀ

ଅଧ କୋଟି ଟଙ୍କା ହଡପ୍‌, ଜଳଅମଳ ପ୍ରକଳ୍ପ ଯୋଜନା ଫେଲ୍‌

ଯାଜପୁର/ଯୋକଡ଼ିଆ : ଯାଜପୁର ଜଳଛାୟା ମିସନରେ ମହାକେଳେଙ୍କାରୀ ଏବେ ପଦାକୁ ଆସିଛି। ଯୋଜନାରେ ଖୋଳାଯାଇଥିବା ୩୦ଟି ପୋଖରୀର କୌଣସି ଚିହ୍ନବର୍ଣ୍ଣ ନାହିଁ। ନଦୀନାଳ ଗର୍ଭରେ ଲୀନ ହୋଇଯାଇଛି। ଯୋଜନାରେ ଅଧକୋଟିରୁ ଅଧିକ ଟଙ୍କା ହଡ଼ପ କରାଯାଇଛି। ଜିଲ୍ଲାରେ ଜଳଅମଳ ପ୍ରକଳ୍ପ ଯୋଜନା ସଂପୂର୍ଣ୍ଣ ଫେଲ୍‌ ମାରିଛି। ଅନ୍ୟପଟେ ଯୋଜନାରୁ ଫାଇଦା ଉଠାଇଛନ୍ତି କେତେକ ଅସାଧୁ ଅଧିକାରୀ ଓ ଠିକାଦାର। ଉଭୟ ମାଲେମାଲ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

ଅନୁସନ୍ଧାନରୁ ଜଣାଯାଇଛି ଯେ ଯାଜପୁର-୨ ସମନ୍ଵିତ ଜଳବିଭାଜିକା ପରିଚାଳନା ଯୋଜନା ଅନ୍ତର୍ଗତ ରସୁଲପୁର ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ୨୦୧୧-୧୨ ମସିହାରେ କାର୍ଯ୍ୟ ଆରମ୍ଭ କରିଛି। ଏହି ଯୋଜନାଟି ଚଳିତବର୍ଷ ୨୦୧୮-୧୯ ଆର୍ଥିକବର୍ଷ ମାର୍ଚ୍ଚ ମାସରେ ଶେଷ ହେବା ନିମନ୍ତେ ଅବଧି ସ୍ଥିର ହୋଇଛି। ଏହି ବ୍ଲକ୍‌ ଅଧୀନ ଓଡ଼ିଶୋ, କଲଣ, ନଠୁଆବର, ଶ୍ରୀବନ୍ତପୁର, ଜାବରା, ରସୁଲପୁର, ରାହାମ୍ବା, ଭୋଟକା, ବଡ଼କଇଁଚି, ଟିକରପଡ଼ା, ଗନ୍ଧଣ ଆଦି ମୋଟ୍‌ ୧୧ଟି ପଞ୍ଚାୟତର ୬୫ଟି ଗ୍ରାମକୁ ନେଇ ମୋଟ୍‌ ୯ଟି କ୍ଷୁଦ୍ର ଜଳ ବିଭାଜିକା ପରିଚାଳନା କମିଟି ଗଠନ ହୋଇ କାର୍ଯ୍ୟ କରୁଛି। ଦପାନାଳ କମିଟି, ବଡ଼ନାଳ କମିଟି ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ପାଟନାଳ କମିଟି, ଗୋଡ଼ଭଙ୍ଗା, କୁସୁମେଇଁ ଏବଂ ଦୁଧେଇ ନାଳ କମିଟି-୧,୨,୩ ଆଦି କମିଟି ଶିଥିଳତା ଦେଖାଦେଇଛି। ଏସମସ୍ତ ନଦୀ-ନାଳ ଗର୍ଭରେ ଅନ୍ୟୂନ ୩୦ଟି ପୋଖରୀ ଖୋଳାଯାଇଛି।

ଏହି ଯୋଜନାର ଉଦ୍ଦେଶ୍ୟ ଥିଲା କି ପ୍ରାକୃତିକ ସମ୍ବଳ ଜମି, ଜଳ, ଜୀବ, ଜଙ୍ଗଲ ଓ ଜନବସତିର ସଂରକ୍ଷଣ, ଉନ୍ନୟନ ଓ ସୁପରିଚାଳନା କରି କୃଷି ଉତ୍ପାଦନକୁ ବୃଦ୍ଧି କରିବା ସହ ପରିବେଶର ସନ୍ତୁଳନ ଓ ସୁରକ୍ଷା କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିସହିତ ଏହି ଯୋଜନା ମାଧ୍ୟମରେ ଗରିବ ଭୂମିହୀନ ଲୋକଙ୍କୁ ପ୍ରତ୍ୟହ କାର୍ଯ୍ୟ ମିଳିବା ସହିତ ପରିବାର ପ୍ରତିପୋଷଣ ଆଗକୁ ବଢ଼ିବାରେ ସାହାଯ୍ୟ କରିବା ଥିଲା ଅନ୍ୟତମ ଉଦେଶ୍ୟ ଥିଲା। ମାତ୍ର ପ୍ରକୃତ ଉଦ୍ଦେଶ୍ୟଠାରୁ ଏବେ ଏହା ବହୁଦୂରକୁ ଚାଲିଯାଇଛି। ଅନ୍ୟୂନ ୩୦ଟି ପୋଖରୀ ଖୋଳାରେ ହାତଗଣତି କେତୋଟି ପ୍ରଭାବଶାଳୀ ବ୍ୟକ୍ତି ଅତି କମ୍‌ରେ ଅଧକୋଟିରୁ ଅଧିକ ଟଙ୍କା ପୋଖରୀ ଖୋଳା ଆଳରେ ଲୁଟି ନେଇଛନ୍ତି।

ଏକ ଆକଳନରୁ ଜଣାଯାଇଛି ଯେ ଗୋଟିଏ ପୋଖରୀ ଖୋଳା ବାବଦରେ ସର୍ବନିମ୍ନ ୩.୫ ଲକ୍ଷରୁ ୬ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇଛି। କମିଟିର ହାତଗଣତି କେତେକ ପ୍ରଭାବଶାଳୀ ବ୍ୟକ୍ତି ହିଟାଚି ମେସିନ୍‌ର ଆୱାର୍‌ ମିଟର୍‌କୁ ବ୍ୟବହାର ନ କରି ପୋଖରୀ ଖୋଳି ତାର ୧୦ ଗୁଣା ସମୟ ଖର୍ଚ୍ଚ ହୋଇଥିବା ହିସାବ ଦେଇ ଯୋଜନାରେ ବ୍ୟୟ ଅର୍ଥର ଅଧାରୁ ଅଧିକ ମୁନାଫା କରିଛନ୍ତି। ଗୋଟିଏ ପୋଖରୀରୁ ୨ ଲକ୍ଷରୁ ୩ ଲକ୍ଷ ଟଙ୍କା ମୁନାଫା ହୋଇଥିବା ବେଳେ ମୋଟ୍‌ ୩୦ ଟି ପୋଖରୀରୁ ଅଧକୋଟିଏରୁ ଉଦ୍ଧ୍ଵର୍ ଟଙ୍କା ଜଳବିଭାଜିକା ଯୋଜନାରେ ପୋଖରୀ ଖୋଳାରେ ଲୁଟ୍‌ ହୋଇଛି। ଏହି ପୋଖରୀ ଗୁଡ଼ିକ ଜନବସତି ଓ କୃଷି କ୍ଷେତର ବହୁ ଦୂରରେ ଖୋଳାଯିବା ଫଳରେ ଚାଷୀର କୌଣସି କାମରେ ଲାଗୁନାହିଁ। ଯେଉଁ ଅଞ୍ଚଳରେ ପୋଖରୀ ଖନନ କରାଯାଇଛି ସେହି ଅଞ୍ଚଳରେ କୃଷକଙ୍କର ଚାଷ ଜମି ନାହିଁ। କିମ୍ବା ଫସଲରେ ପାଣି ମାଡ଼ୁନାହିଁ। ଫଳରେ ଏହି ଯୋଜନା ରସୁଲପୁର ବ୍ଲକ୍‌ରେ ଦିଗହରା ହୋଇପଡ଼ିଛି ବୋଲି ଅଭିଯୋଗ ହୋଇଛି। ଗତ ୫ବର୍ଷ ମଧ୍ୟରେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ଯାହାର ସଠିକ ହିସାବ ବିଭାଗ ନିକଟରେ ନାହିଁ। ଏହାର ତଦନ୍ତ କଲେ ବହୁ କୋଟି ଟଙ୍କାର ଦୁର୍ନୀତି ପର୍ଦ୍ଦାଫାସ ହୋଇପାରିବ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର