ଜଳ ଘଟେଇ : ସ୍ୱତନ୍ତ୍ର ଖାଦ୍ୟ, ନିଆରା ସ୍ୱାଦ

ବାରିପଦା : ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ସଂସ୍କୃତି, ପରମ୍ପରା ଓ ଚଳଣିରେ ଯେମିତି ସ୍ୱତନ୍ତ୍ରତା ଭରି ରହିଛି ଠିକ୍ ସେମିତି ଖାଦ୍ୟପେୟରେ ମଧ୍ୟ ସ୍ୱତନ୍ତ୍ର ରୁଚି ରହିଛି । ସେହିପରି ଖାଦ୍ୟ ରାନ୍ଧିିବା ପ୍ରଣାଳି ବା ଶୈଳିରେ ମଧ୍ୟ ସ୍ୱତନ୍ତ୍ରତା ପରିଲକ୍ଷିତ ହୋଇଥାଏ । ଏହାମଧ୍ୟରେ ପୋଖରୀ, ନାଳ ଓ ବିଲରେ ଦେଖିବାକୁ ମିଳୁଥିବା ଏକ ପ୍ରଜାତିର ଛୋଟ ଛୋଟ ଗେଣ୍ଡା ବା ଜଳଘଟେଇ(ଏକ ପ୍ରଜାତିର ଗେଣ୍ଡା)ରୁ ପ୍ରସ୍ତୁତ ସ୍ୱତନ୍ତ୍ର ବ୍ୟଞ୍ଜନର ନିଆରା ସ୍ୱାଦ ଭରି ରହିଛି । ବିଶେଷ କରି ଏଥିରୁ ପ୍ରସ୍ତୁତ ପତୁଆ ବେଶ ସ୍ୱାଦିଷ୍ଟ ହୋଇଥାଏ ।

ଉକ୍ତ ଜଳଘଟେଇ ବା ଗେଣ୍ଡାରୁ ବାହାରୁଥିବା ମାଂସରୁ ପ୍ରସ୍ତୁତ ତରକାରୀରେ ନିଆରା ସ୍ୱାଦ ରହିଥିବା ସମୟରେ ଔଷଧୀୟ ଗୁଣ ସହ ପ୍ରୋଟିନ ଓ ଆଇରନରେ ପରିପୂର୍ଣ୍ଣ ଥିବାର ଜଣାପଡ଼ିଛି । ଅର୍ଥ ରୋଜଗାର ନିମନ୍ତେ କେତେକ ଜନସାଧାରଣ ମୟୂରଭଞ୍ଜ ଜିଲ୍ଲା ସହ ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାର ଗ୍ରାମାଞ୍ଚଳକୁ ଯାଇ ଲୋକମାନଙ୍କ ପୋଖରୀ ପାଣି ଭିତରୁ ଜଳ ଘଟେଇ ସଂଗ୍ରହ କରି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାର ବିଭିନ୍ନ ହାଟ ବଜାରରେ ବିକ୍ରି କରିଥାନ୍ତି ।

ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ- ଏହାକୁ ସଠିକ୍ ଢ଼ଙ୍ଗରେ ରାନ୍ଧି ପାରିଲେ ଏହା ଖାଇବାକୁ ବେଶ ସ୍ୱାଦିଷ୍ଟ ହୋଇଥାଏ । ପ୍ରଥମେ ଜଳ ଘଟେଇ ଉପରେ ଥିବା ଶକ୍ତ ଆବରଣକୁ ଭାଙ୍ଗି ସେଥିରୁ ମାଂସ ବାହାର କରାଯାଇଥାଏ । ଅଥବା କେହି କେହି ଗରମ ପାଣିରେ ସିଝାଇବା ପରେ ତାକୁ ଭାଙ୍ଗି ଥାନ୍ତି । ଏହାଫଳରେ ଭିତରେ ଥିବା ମାଂସକୁ ବାହାର କରିବା ସହଜ ହୋଇଥାଏ । ଏହାପରେ ୪ରୁ ୫ ଥର ଭଲ ଭାବରେ ଧୋଇ ସେଥିରେ ଥିବା ଲାଳ ଅଂଶକୁ ବାହାର କରିଦିଆଯାଏ ଏବଂ ସେଥିରେ ହଳଦୀ, ଲୁଣ, ତେଲ ଓ ଅନ୍ୟାନ୍ୟ ମସଲା ଗୋଳାଇ କଞ୍ଚା କଦଳୀପତ୍ରରେ ବାନ୍ଧି ନିଆଁରେ ପୋଡ଼ି ପତୁଆ ପ୍ରସ୍ତୁତ କରାଯାଏ । ପୁଣି ଗେଣ୍ଡାର ଆଇଁଶିଆ ଗୁଣକୁ କଟାଇବା ନିମନ୍ତେ ତାର ମାଂସକୁ ସିଝାଇ ପାଣିରୁ ଅଲଗା କରିବା ପରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ, ପିଆଜ, ଆଦା, ରସୁଣ ଆଦି ମସଲା ସହ ତେଲରେ କଷି ମାଂସ ରାନ୍ଧିବା ଭଳି ରୋଷେଇ କରାଯାଏ।

କୁନି ସିଂ, ମଧୁବନ ତଳସାହି, ବାରିପଦା : ଆଜକୁ ୮ ବର୍ଷ ଧରି ବାରିପଦାରେ ଗେଣ୍ଡା ବିକ୍ରି କରିଆସୁଛି । ଜଳେଶ୍ୱର, ବାଲିଆପାଳ, ଭଦ୍ରଖ, ମାର୍କୋଣା, ବସ୍ତା, ରୁପ୍ସା ଆଦି ଆଞ୍ଚଳରୁ ଜନସାଧାରଣଙ୍କ ପୋଖରୀ ପାଣିରୁ ଗେଣ୍ଡା ସଂଗ୍ରହ କରିଥାନ୍ତି। ପରବର୍ତ୍ତି ଦିନ ବଜାରରେ ପ୍ରତି କିଲୋଗ୍ରାମ ୩୦ ଟଙ୍କା ମୂଲ୍ୟରେ ବିକ୍ରି କରିଥାନ୍ତି । ବଡ଼ବଡ଼ିଆଠାରୁ ଆରମ୍ଭ କରି ଖଟିଖିଆ ପର୍ଯ୍ୟନ୍ତ ସମାଜର ପ୍ରାୟ ସମସ୍ତ ବର୍ଗର ଜନସାଧାରଣ ତାଙ୍କ ନିକଟରୁ କିଣିଥାନ୍ତି । ଏହାକୁ ଖାଇବା ଦ୍ୱାରା ଆର୍ଶରୋଗ ଭଲ ହୋଇଥାଏ, ଦୃଷ୍ଟିଶକ୍ତି ବୃଦ୍ଧି ସହ ଚକ୍ଷୁ ଜନିତ ରୋଗ, ଆଣଣ୍ଠୁଗଣ୍ଠି ବ୍ୟଥା ଭଲ ହୋଇଥାଏ । ଦୈନିକ ୨୫ ରୁ ୩୦କିଲୋଗ୍ରାମ ଗେଣ୍ଡା ବିକ୍ରି କରି ଯାହା ଆୟ ଉପାର୍ଜନ ହୋଇଥାଏ ସେଥିରେ ପରିବାର ଚଳାଇଥାନ୍ତି ବୋଲି କହିଥିଲେ ।

ମଙ୍ଗଲ ସିଂ, ମଧୁବନ : କରୋନା ମହାମାରୀ ଆୟ ଉପାର୍ଜନ ଛଡ଼ାଇ ନେଇଥିବା ସମୟରେ ଗେଣ୍ଡା ବିକ୍ରି କରି ପରିବାର ଚଳାଉଛନ୍ତି । ଅଟୋ ଭଡ଼ା କରି ପ୍ରତ୍ୟେକ ଦିନ ସକାଳୁ ବାହାରି ମୟୂରଭଞ୍ଜ ସହ ବାଲେଶ୍ୱର ଭଦ୍ରକ ଆଦି ଜିଲ୍ଲାର ଗାଁଗଣ୍ଡାର ପୋଖରୀରୁ ଗେଣ୍ଡା ସଂଗ୍ରହ କରି ରାତିରେ ଘରେ ପହଁଞ୍ଚି ଥାଉ । ପରବର୍ତ୍ତି ଦିନ ବଜାରରେ ବିକ୍ରି କରି ଅଟୋଭଡ଼ା ବାଦ ଦେଇ ପ୍ରାୟ ୨ ଶହରୁ ୩ ଶହ ଟଙ୍କା ବାହାରି ଥାଏ । ବଜାରରେ ଗେଣ୍ଡାର ବେଶ ଚାହିଦା ରହିଛି, କିନ୍ତୁ ଚାହିଦା ଅନୁସାରେ ଯୋଗାଇ ହେଉ ନାହିଁ ବୋଲି କହିଥିଲେ ।

ହାରୁ ସିଂ, ପୋଡ଼ାଅସ୍ତିଆ : ଗେଣ୍ଡାରେ ପ୍ରୋଟିନ, ଆଇରନ, କ୍ୟାଲସିୟମ ଆଦି ଭରି ରହିଛି । ଏହାର ମାଂସ ଖାଇବା ଦ୍ୱାରା ରକ୍ତ ବୃଦ୍ଧି ହେବା ସହ ଦୃଷ୍ଟି ଶକ୍ତିବୃଦ୍ଧି, ଚକ୍ଷୁ ସମସ୍ୟା ଦୂର, ହାଡ଼ ଶକ୍ତ ହେବା, ଆଣ୍ଠୁଗଣ୍ଠି ବ୍ୟଥା ଆଦି ବିଭିନ୍ନ ରୋଗ ଦୂର ହୋଇଥାଏ । ଗ୍ରାମାଞ୍ଚଳର ବିଭିନ୍ନ ହାଟରେ ଏହା କଠା ମାପରେ ବିକ୍ରି ହୋଇଥାଏ । ଗେଣ୍ଡା ଖାଇବା ଦ୍ୱାରା ନିଜେ ସୁସ୍ଥ ସବଳ ରହିବା ସହ ପରିବାରର ସଦସ୍ୟମାନେ ମଧ୍ୟ ସୁସ୍ଥ ସବଳ ରହୁଛନ୍ତି । କିନ୍ତୁ ରାନ୍ଧିବାର ଶୈଳି ବା ପ୍ରଣାଳୀ ଜାଣିଥିଲେ ଏହାର ସ୍ୱାଦ ବଜାରରେ ମିଳୁଥିବା ମାଛ ଓ ମାଂସଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହାର ବ୍ୟବହାର କୌଣସି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ଅଥବା ଜାତି ମଧ୍ୟରେ ସିମୀତ ନୁହେଁ । ଔଷଧୀୟ ଗୁଣରେ ପରିପୂର୍ଣ୍ଣ ରହିଥିବାରୁ ସମାଜରେ ଧନୀ ଓ ଗରୀବ ଉଭୟ ବର୍ଗରେ ଏହାର ଚାହିଦା ରହିଛି । ଥରେ ଏହାର ସ୍ୱାଦ ଜିଭରେ ଲାଗିଲେ ବାରମ୍ବାର ଖାଇବା ନିମନ୍ତେ ଆଗ୍ରହ ହେବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର