ଯାଜପୁରରେ ଜଳଛାୟା ପ୍ରକଳ୍ପରେ ଦୁର୍ନୀତି : ଅଧା କାମ କରି ପୂରା ଟଙ୍କା ନେଇଗଲେ!

କାଳିଆପାଣି : ପଞ୍ଚାୟତିରାଜ ବିଭାଗର ଜଳଛାୟା ପ୍ରକଳ୍ପରେ ବ୍ୟାପକ ଅନିୟମିତତାର ଫର୍ଦ୍ଦ ଖୋଲିବାରେ ଲାଗିଛି। ଗରିବ କୃଷକ ନାଁରେ ଆସୁଥିବା ସରକାରୀ ଅନୁଦାନର ସିଂହଭାଗକୁ ବିଭାଗୀୟ କର୍ତ୍ତୃପକ୍ଷ ମିଳିମିଶି ହରିଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଯେଉଁ ଜମି‌ରେ ଚାଷ କରି ଦିନେ ଗରିବ କୃଷକଟି ଆଶାନୁରୂପ ରୋଜଗାର କରୁଥିଲା, ସେ ଏବେ ମୁଣ୍ଡରେ ହାତଦେଇ ବସିଛି। ପୋଖରୀ ଖୋଳାଇ ମାଛଚାଷ ଓ ସଘନ କୃଷି ମାଧ୍ୟମରେ ଭଲ ଦି’ପଇସା ରୋଜଗାରର ସ୍ବପ୍ନ ଦେଖାଇ ଅର୍ଥ ହରିଲୁଟ୍‌ କରାଯାଉଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ବେଣାଗାଡ଼ିଆ ଗାଁରେ ଏହାର ବିକଳ ଚିତ୍ର ଦେଖିବାକୁ ମିଳିଛି।

ଜଳଛାୟା ମିସନ ପକ୍ଷରୁ ପ୍ରଧାନମନ୍ତ୍ରୀ କୃଷି ସହାୟକ ଯୋଜନା(ପିଏମକେଏସୱାଇ)ରେ ଉତ୍ସାହୀ ଗରିବ ଚାଷୀଙ୍କ ଜମିରେ ପୋଖରୀ ଖୋଳାଇ ମାଛଚାଷ ଓ ଏହାର ହୁଡ଼ାରେ ସଘନ କୃଷି ଲକ୍ଷ୍ୟ ରଖାଯାଇଥିଲା। ରଗଦା କାଞ୍ଜିଆଗୋଡ଼ା ନାଳ ଜଳ ବିଭାଜିକା କମିଟି ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ପୋଖରୀ ପିଛା ୩ ଲକ୍ଷ ୫୧ ହଜାର ଟଙ୍କା ଲେଖାଏଁ ମଞ୍ଜୁର ହୋଇଥିଲା। ସୂଚାରୁ ରୂପେ କାମ ହୋଇଥିଲେ ଉନ୍ନତ ଭିତ୍ତିଭୂମି ଥିବା ଉକ୍ତ ଜମିରୁ ଚାଷୀ ସ୍ବାବଲମ୍ବୀ ହୋଇପାରିଥାନ୍ତା। ହେଲେ ଚାଷୀଙ୍କ ଦୁର୍ଭାଗ୍ୟ ଯେ, ପ୍ରକଳ୍ପ କାର୍ଯ୍ୟକାରୀ ହେବା ଆଗରୁ ତିନିଭାଗ ଅନୁଦାନ ହରିଲୁଟ୍‌ ହୋଇଗଲା। ଉକ୍ତ ଅନୁଦାନରୁ ଜଣେ ଚାଷୀ କୃଷ୍ଣଚନ୍ଦ୍ର ବିରୁଆ(୪୧)ଙ୍କ ଜମାଖାତାକୁ ଗତବର୍ଷ ମାର୍ଚ ୧୧ ତାରିଖରେ ୧୮ ହଜାର ଟଙ୍କା ଓ ମେ ମାସ ୧୭ ତାରିଖରେ ୫୧ ହଜାର ଟଙ୍କା ଆସିଥିଲା। କମିଟି ସଭାପତି ବେଣାଗାଡ଼ିଆ ଗାଁର ଘନଶ୍ୟାମ ମହାନ୍ତଙ୍କ ତତ୍ତ୍ବାବଧାନରେ ମେସିନ ଯୋଗେ ଶହେ ଫୁଟ ଲମ୍ବ, ୭୦ ଫୁଟ ଓସାର ଓ ୭ ଫୁଟ ଗଭୀରତା ବିଶିଷ୍ଟ ଏକ ପୋଖରୀ ଖୋଳାଗଲା। ଉକ୍ତ ମାଟିକୁ ପୋଖରୀରେ ହୁଡ଼ା ଦିଆଗଲା। ଉକ୍ତ କାମ ପାଇଁ ସଭାପତି ଶ୍ରୀ ମହାନ୍ତଙ୍କୁ ଦୁଇ କିସ୍ତିରେ ସେ ୬୭ ହଜାର ଟଙ୍କା ଦେଇଥିବା ନେଇ ଶ୍ରୀ ବିରୁଆ କହନ୍ତି।

ପୋଖରୀ ଖୋଳା ହେଲା ପରେ କିନ୍ତୁ ଏହା ମଧ୍ୟକୁ ଜଳ ପ୍ରବେଶ ଓ ନିଷ୍କାସନ ଦିଗକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି। ତିନି ତିନିଟି କଂକ୍ରିଟ୍‌ ହ୍ୟୁମ୍‌ ପାଇପ୍‌ କେବଳ ପୋଖରୀ ହୁଡ଼ାରେ ଥୋଇ ଦିଆଯାଇଛି। ଅନ୍ୟ ଗୋଟିଏ ପାଇପ୍‌ ପୋଖରୀ ଭିତରକୁ ପଡ଼ିଯାଇ ପୋତି ହୋଇଯାଇଛି। ମୃତ୍ତିକା ସଂରକ୍ଷଣ ପାଇଁ ପୋଖରୀ ମୁହଁ‌ ଓ ନିଷ୍କାସନ ପଥକୁ ସିମେଣ୍ଟ କଂକ୍ରିଟ୍‌ ଓ ଇଟା ସହାୟତାରେ ପକ୍କା କାନ୍ଥ କରାଯିବା ନିୟମ ଥିଲେ ମଧ୍ୟ ଏଯାବତ୍ ଏଠାରେ ଉକ୍ତ କାମ ଆରମ୍ଭ ହୋଇନି। ଏଣୁ ବର୍ଷାଦିନେ ପୋଖରୀ ପୋତି ହୋଇଯିବା ଆଶଂକା ପ୍ରକାଶ ପାଇଛି। ସବୁ ପରିଶ୍ରମ ଓ ଅର୍ଥ ବରବାଦ୍‌ ହୋଇଯିବା ଜଳଜଳ ଦିଶୁଛି। ଅନ୍ୟ ପକ୍ଷରେ ପୋଖରୀ ନାଁରେ ୩ ଲକ୍ଷ ୫୧ ହଜାର ଟଙ୍କା ଅନୁଦାନ ମିଳିଥିବା କଥା ଏହା ସଂଲଗ୍ନ ସୂଚନା ଫଳରେ ଉଲ୍ଲେଖ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟାଦେଶ କିମ୍ବା କୌଣସି ନଥିପତ୍ର ତାଙ୍କୁ ଦିଆଯାଇନି ବୋଲି ଶ୍ରୀ ବିରୁଆ ଅଭିଯୋଗ କରନ୍ତି। ବଳକା ୨ ଲକ୍ଷ ୮୧ ହଜାର ଟଙ୍କାର ଅନୁଦାନ ସଂପର୍କରେ ସେ କିଛି ବି ଜାଣନ୍ତିନି ବୋଲି ଶ୍ରୀ ବିରୁଆ ମତ ଦିଅନ୍ତି। ପିଆଇଏ(ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟିଂ ଏଜେନ୍ସି)ଙ୍କ ପାଖରେ ଏ ସଂପର୍କିତ ସବୁ କାଗଜାଦ୍ ରହିଥିବା ଜଣାପଡ଼ିଛି। ତେବେ, ଶ୍ରୀ ବିରୁଆଙ୍କଠୁ ଟଙ୍କା ଗ୍ରହଣ କଥାକୁ ସଭାପତି ଶ୍ରୀ ମହାନ୍ତ ଅସ୍ବୀକାର କରିଛନ୍ତି। ଜଳଛାୟା ମିଶନ ପ୍ରକଳ୍ପ ନିର୍ଦେଶକ ରଣଜିତ ଦାଶଙ୍କୁ ଯୋଗାଯୋଗ କରିବାରେ ‌ସେ ଏହାର ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

କୃଷ୍ଣଚନ୍ଦ୍ର ବିରୁଆଙ୍କ ବଡ଼ଭାଇ ଗୁରୁ ଚରଣ ବିରୁଆ ଓ ଆହୁରି ବହୁ ଗରିବ କୃଷକ ଅନୁରୂପ ଭାବେ ଜଳଛାୟା ପ୍ରକଳ୍ପ କରି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ୨୦୧୬ ମସିହାରେ ଏହି ସରକାରୀ ସଂସ୍ଥା ଦ୍ବାରା ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ବଡ଼ଖମଣ ଗାଁରେ ମାଧ୍ୟାକର୍ଷଣ ଶକ୍ତି ସହାୟତାରେ ଗାଁକୁ ପାନୀୟ ଜଳ ଯୋଗାଣ, ଜଳାଶୟ ପ୍ରତିଷ୍ଠା ଓ ଗାଁ ଜମି ଜଳସେଚନ ପାଇଁ ଆରମ୍ଭ ହୋଇଥିବା ପ୍ରକଳ୍ପ ଏବେସୁଦ୍ଧା ଦରଖଣ୍ଡିଆ ହୋଇ ପଡ଼ିରହିଛି। ଗତବର୍ଷ ଡିସେମ୍ବର ମାସରେ କାଳିଆପାଣି ପଞ୍ଚାୟତ ଅନ୍ତର୍ଗତ ଗୁରୁଜଙ୍ଗପାଳ ଓ ସୁକୁରଙ୍ଗି ଗାଁର ୧୩୦ ଜଣ ଗରିବ ଚାଷୀଙ୍କ ପାଇଁ ଉଦ୍ୟାନ କୃଷି ଓ ବାଡ଼ି ବଗିଚା ସହାୟତା ପାଇଁ ଜଣପିଛା ୨୪ ହଜାର ଟଙ୍କା ଲେଖାଏଁ ସରକାରୀ ଅନୁଦାନ ଆସିଥିଲେ ମଧ୍ୟ ଏସବୁକୁ ବିଭାଗୀୟ ବଡ଼ପଣ୍ଡାମାନେ ଭାଗ ବାଣ୍ଟି ଚଳୁ କରିଦେଇଥିବା ଧରାପଡ଼ିଛି। କେବଳ ଏହି ପଂଚାୟତ କାହିଁକି, ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହିଭଳି ଦୁର୍ନୀତି ହୋଇଥିବା ଜଣାପଡ଼ିଛି ଏବଂ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର