ହୋ ଛାତ୍ର ସଂଘର ବିଧାୟକ ପ୍ରାର୍ଥୀ ଜଲେନଙ୍କୁ ସମର୍ଥନ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବିଧାନସଭା ଆସନର ବିଜେପି ବିଧାୟକ ପ୍ରାର୍ଥୀ ଜଲେନ୍ ବାର୍ଦାଙ୍କୁ ହୋ ଛାତ୍ର ସଂଘ ତରଫରୁ ସମର୍ଥନ ଘୋଷଣା କରିଛନ୍ତି। ରାଇରଙ୍ଗପୁରସ୍ଥିତ କଲ୍ୟାଣ ମଣ୍ଡପଠାରେ ମଙ୍ଗଳବାର ବିଧାୟକ ପ୍ରାର୍ଥୀ ଜଲେନ ବାରଦାଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ଓ ସମର୍ଥନ ସମାରୋହ ନାଁରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହୋ ଛାତ୍ର ସଂଘ ରାଇରଙ୍ଗପୁର ଶାଖା ସଭାପତି ସୁନୀଲ କୁମାର ସୁଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମାରୋହରେ ବିଧାୟକ ପ୍ରାର୍ଥୀ ଜଲେନ୍ ବାର୍ଦା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ହୋ ସମାଜର ବରି ସଙ୍ଗଠକ ତଥା ସାମାଜିକ କର୍ମୀ ମନୋରଞ୍ଜନ ତିରିଆ, ଆଇନ୍‌ଜୀବୀ ବିର୍ସା କଣ୍ଡାଂକେଲ ଓ ଟିକୁନ୍ ଜେରାଇ, ଛାତ୍ର ସଂଘର ଉପଦେଷ୍ଟା ରବିକୁମାର ସୋୟ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ସାମାଜିକ କର୍ମୀ ମନୋରଞ୍ଜନ ତିରିଆ ଅତୀତରେ କିପରି ରାଇରଙ୍ଗପୁର ଆସନରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ନିର୍ବାଚନରେ ହୋ ସମାଜର ବ୍ୟକ୍ତିବିଶେଷ ବିଧାୟକ ହେବାର ଗୌରବ ଅର୍ଜନ କରିଥିଲେ। ଏକଦା ଏହି ଆସନରେ ଭାରତର ମହାମହିମ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଥର ବିଧାୟକ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ।
ରାଇରଙ୍ଗପୁର ବିଧାନସଭା ଆସନ ସମେତ ମୟୂରଭଞ୍ଜ ଜିଲ୍ଲାରେ ଜାତୀୟ ଦଳ ବିଜେପିର ସଙ୍ଗଠନ ମଜବୁତ୍ ରହିଛି। ଛାତ୍ର ଓ ଯୁବ ସମାଜ ଜଲେନଙ୍କୁ ଜିତାଇବା ପାଇଁ କଠିନ୍ ପରିଶ୍ରମ କରିବାକୁ ଆହ୍ୱାନ କରିଥିଲେ। ବିଧାୟକ ପ୍ରାର୍ଥୀ ଜଲେନ୍ ବାର୍ଦା ତାଙ୍କରି ବକ୍ତବ୍ୟରେ ବର୍ତ୍ତମାନର ଯୁବଛାତ୍ର ସମାଜ ଦେଶର ଭବିଷ୍ୟତ। ସେମାନଙ୍କ ମଧ୍ୟରୁ କେତେକଙ୍କର ନିକଟ ଭବିଷ୍ୟତରେ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ ହେବାର ସମ୍ଭାବନା ରହିଛି । ନିଜ ସମାଜର ଲୋକ ପ୍ରତିନିଧି ରହିଲେ ଯାଇ ସାମାଜିକ ଓ ରାଜନୈତିକ ବିକାଶ ହୋଇ ପାରିବ। ନିଜ ଅଞ୍ଚଳର ସ୍ୱରକୁ ଦୃଢ଼ ଉପସ୍ଥାପନ ସହିତ ଅନ୍ୟାୟ, ଅତ୍ୟାଚାର ବିରୋଧରେ ସଂଗ୍ରାମ କରିବାକୁ ପାଇଁ ତାଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ। ଏଥିରେ ରାଇରଙ୍ଗପୁର, ତିରିଂ, ଜାମଦା, ବହଳଦା ବ୍ଳକ୍ ଅଞ୍ଚଳରୁ ବହୁ ସଂଖ୍ୟାରେ ହୋ ସମାଜର ଯୁବ, ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ହୋ ଛାତ୍ର ସଙ୍ଗଠନର ସମ୍ପାଦକ ଦୁର୍ଗାଚରଣ କଣ୍ଡାଂକେଲ, ସକ୍ରିୟ ସଦସ୍ୟ ମୁକ୍ତା କଣ୍ଡାଂକେଲ, ଉର୍ମିଳା କଣ୍ଡାଂକେଲ, ଲକ୍ଷ୍ମୀପ୍ରିୟା କଣ୍ଡାଂକେଲ, ସଞ୍ଜନା ଲେୟାଙ୍ଗୀ, ସିଲା ସାୟାଁ, ପୂଜା ସିର୍କା ପ୍ରମୁଖ କାର୍ଯକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ସମ୍ବନ୍ଧିତ ଖବର