ଲଗାଣ ବର୍ଷାରେ ଘର ଭିତରେ ଆଣ୍ଠୁଏ ପାଣି, ବିଭିନ୍ନ ୱାର୍ଡରେ ସ୍ଥିତି ବେହାଲ୍‌

ଜଳେଶ୍ବର: ଲଘୁଚାପ ପ୍ରଭାବରେ ଜଳେଶ୍ବର ପୌରପାଳିକା ଅଞ୍ଚଳରେ ୫୨ ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜଳ ନିଷ୍କାସନ ପଥଗୁଡ଼ିକ ଅବରୋଧ ହୋଇଥିବା ବେଳେ ବିଭିନ୍ନ ୱାର୍ଡରେ ସ୍ଥିତି ବେହାଲ୍‌ ହୋଇପଡ଼ିଛି। ଜଳେଶ୍ବର ପୌରପାଳିକା ଅଧୀନ ୬ ନମ୍ବର ୱାର୍ଡ ଦେଉଳିପଞ୍ଚୁଘଣ୍ଟା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ଘର ଭିତରେ ଗତ ୯ ତାରିଖ ରାତିରେ ଉଦ୍‌ବୃତ୍ତ ବର୍ଷା ପାଣି ପ୍ରବେଶ କରିବା ଆରମ୍ଭ କରିଥିଲା। ସେହି ପାଣି ଆଜି ଯାଏ ଛାଡ଼ିନାହିଁ। ଘର ଭିତରେ ଏବେ ବି ଆଣ୍ଠୁଏ ଲେଖା ପାଣି ଜମିଛି। ଫଳରେ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଦୟନୀୟ ଅବସ୍ଥାରେ ରହିଛନ୍ତି।

ପାଣିରେ ବିଷଧର ସାପ ଖେଳୁଥିବା ବେଳେ ପିଲାଛୁଆ ଓ ବୟସ୍କମାନେ ଖଟପଲଙ୍କରେ ଭୋକ ଉପାସରେ ବସି ରହିଛନ୍ତି। ଗତକାଲିଠାରୁ ଘରେ ଚୁଲି ଜଳି ନାହିଁ। କେବଳ ପୂର୍ଣ୍ଣଚନ୍ଦ୍ର ଏକା ନୁହନ୍ତି, ଗାଁ’ର ପୁରେନ୍ଦ୍ର ଦଳାଇ, ଦୀନେଶ ପାତ୍ର, ରବୀନ୍ଦ୍ର ରଣା ପ୍ରମୁଖଙ୍କ ଘରେ ମଧ୍ୟ ପାଣି ପଶି ସମାନ ଅବସ୍ଥା ହୋଇଛି। ପୂର୍ବତନ କାଉନ୍‌ସିଲର ରବୀନ୍ଦ୍ର ପାତ୍ର, ବିଦ୍ୟାପତି ଦେ, ବିନୟ ନନ୍ଦୀଙ୍କ ଘର ସମ୍ମୁଖରେ ପ୍ରଖର ପାଣିର ସୁଅ ଚାଲିଥିବାରୁ ପରିବାର ଲୋକ ଏକପ୍ରକାର ପାଣିଘେରରେ ରହିଛନ୍ତି। ଭବାନୀ ପାତ୍ରଙ୍କ ଘରଠାରୁ ବିନୟ ନନ୍ଦୀଙ୍କ ଘର ଯାଏ ରାସ୍ତା ପାଣିରେ ବୁଡ଼ି ରହିଛି। ରାସ୍ତା ଉପରେ ୨/୩ ଫୁଟ୍‌ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି। କେବଳ ୬ ନମ୍ବର ୱାର୍ଡ ନୁହେଁ, ଅନ୍ୟ କିଛି ୱାର୍ଡରେ ମଧ୍ୟ ବର୍ଷା ପାଣି ଜମି ରହିବା ସହ ଲୋକମାନେ ନାହିଁନଥିବା ହଇରାଣ ହରକତ ହେଉଛନ୍ତି।

ସମ୍ବନ୍ଧିତ ଖବର