ଜଳେଶ୍ବର : ଏବେ ଭିଜିଲାନ୍ସ ପଞ୍ଝାରେ ଆଇଆଇସି

ଡ୍ରଗ୍ସ ଲିଙ୍କ୍‌ରେ ନିଲମ୍ବିତ ହୋଇଥିଲେ
ଆୟବହିର୍ଭୂତ ସମ୍ପତ୍ତି ସନ୍ଦେହରେ ଚଢ଼ଉ
ସହଯୋଗୀ ଏଏସଆଇ ମଧ୍ୟ ସ୍କାନରରେ

ଜଳେଶ୍ବର : ଡ୍ରଗ୍ସ ମାଫିଆ ଲିଙ୍କରେ ନିଲମ୍ବିତ ହୋଇଥିବା ଜଳେଶ୍ବରର ପୂର୍ବତନ ଆଇଆଇସି ଧନେଶ୍ବର ସାହୁ ଭିଜିଲାନ୍ସ ଜାଲରେ। ଆୟ ବହିର୍ଭୂତ ସମତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଜଳେଶ୍ବର ସରକାରୀ ବାସଭବନ ସମେତ, ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଶେଷ ଖବର ସୁଦ୍ଧା କୋଟିଏ ୧୧ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି। ଏହାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। କେବଳ ଧନେଶ୍ବର ନୁହେଁ, ତାଙ୍କର ଜଣେ ଘନିଷ୍ଠ ଏଏସଆଇ ଓ ଗ୍ରାମରକ୍ଷୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି।

ଧନେଶ୍ବରଙ୍କ ଜଳେଶ୍ବରସ୍ଥିତ ସରକାରୀ ବାସଭବନ ସମେତ, ଭୁବନେଶ୍ବର ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ଫ୍ଲାଟ୍, କଟକ ନରସିଂହପୁର ବଡ଼ଭୂଇଁର ପୈତୃକ ବାସଭବନ, ନରସିଂହପୁର ବନ୍ଧହୁଡାରେ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢ଼ଉ ହୋଇଥିଲା। ସେହିପରି ତାଙ୍କ ସହଯୋଗୀ ଏଏସଆଇଙ୍କ ଜଳେଶ୍ବରସ୍ଥିତ ସରକାରୀ କ୍ବାର୍ଟର, କଟକ ନିମପୁର ଅଞ୍ଚଳର ପୈତୃକ ବାସଭବନ ଓ କଟକ ଇମାମନଗରରେ ଥିବା ତାଙ୍କ ହୋଟେଲ ଆଦିସରେ ମଧ୍ୟ ଚଢ଼ଉ କରିଛି ଭିଜିଲାନ୍ସ। ଜଳେଶ୍ବର ଥାନା ଶିଖରପୁର ପଞ୍ଚାୟତ ସୁଖଦୁଖିଆ ଗ୍ରାମର ଗ୍ରାମରକ୍ଷୀ ଅନନ୍ତ ମଣ୍ଡଳଙ୍କ ବାସଭବନ ଓ ଲକ୍ଷ୍ମଣନାଥସ୍ଥିତ ଭଡ଼ା ଘରେ ମଧ୍ୟ ଚଢ଼ଉ ହୋଇଥିଲା। ବାରିପଦା ଭିଜିଲାନ୍ସ ଡିଏସପି ଶରତ ମହାପାତ୍ର ଓ ବାଲେଶ୍ବର ଭିଜିଲାନ୍ସ ଇନସ୍ପେକ୍ଟର ଲକ୍ଷ୍ମୀଧର ମୁଖୀଙ୍କ ନେତୃତ୍ବରେ ୧୧ଜଣିଆ ଟିମ୍ ଜଳେଶ୍ବରରେ ଚଢ଼ଉ କରିଥିଲେ। ସକାଳ ୫ଟାରୁ ଅପରାହ୍ନ ଯାଏ ଖାନତଲାସୀ ଜାରି ରହିଥିଲା। ଚଢ଼ଉ ପରେ ଧନେଶ୍ବର ଓ ତାଙ୍କ ସହଯୋଗୀ ଏସଆଇଙ୍କ ଘରକୁ ସିଲ୍ କରିଦେଇଛି ଭିଜିଲାନ୍ସ।

ଡ୍ରଗ୍ସ ଲିଙ୍କରେ ଧନେଶ୍ବର ସାହୁ ନିଲମ୍ବିତ ହେବା ପରେ, ତାଙ୍କର ସହଯୋଗୀ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପୂର୍ବରୁ ସମ୍ପୃକ୍ତ ଏଏସଆଇ ଜଣକ ଧନେଶ୍ବରଙ୍କ ସହ ବସ୍ତା ଥାନାରେ ମଧ୍ୟ କାର୍ଯ୍ୟକରୁଥିଲେ। ଉଭୟଙ୍କ ଘର କଟକ ଜିଲ୍ଲାରେ। ଧନେଶ୍ବର ଜଳେଶ୍ବର ଥାନାକୁ ବଦଳି ହୋଇ ଆସିବା ପରେ ସେ ଏଏସଆଇ ମଧ୍ୟ ଏଠାକୁ ଆସିଥିଲେ। ଧନେଶ୍ବର ସାହୁଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲୁଥିବା ବେଳେ ସମ୍ପୃକ୍ତ ଏଏସଆଇ ଗତ ୩୦ ତାରିଖରୁ ଛୁଟିରେ ପଳାଇଛନ୍ତି। ଏବେ ଭିଜିଲାନ୍ସ ତାଙ୍କ ଘରେ ଚଢ଼ାଉ କରିବାକୁ ନେଇ ଜଳେଶ୍ବରରେ ଦିନତମାମ ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧିତ ଖବର