ନିଲମ୍ବିତ ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କ ମାମଲାର ତଦନ୍ତ କରୁଛି ଏସଟିଏ ଟିମ୍

ଭୁବନେଶ୍ବର/ଜଳେଶ୍ବର : ବାଲେଶ୍ବରରେ ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ପ୍ରସଙ୍ଗରେ ନିଲମ୍ବିତ ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କ ମାମଲାର ଯାଞ୍ଚ ଲାଗି କ୍ରାଇମ୍ ବ୍ରାଞ୍ଚର ଏସଟିଏ ଟିମ୍ ଜଳେଶ୍ବରରେ ପହଞ୍ଚିଥିବା ଜଣାଯାଇଛି।  ଏନେଇ କ୍ରାଇମ୍ ବ୍ରାଞ୍ଚର ଏସଟିଏ ଟିମ୍ ଧନେଶ୍ବର ସାହୁଙ୍କ ନାମରେ ଥିବା ଏନଡିପିଏସ୍ ଓ ମାରପିଟ୍ ମାମଲାର ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ ଗତ ୧୫ ତାରିଖରେ ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କ ବିରୁଦ୍ଧରେ ପୁଲିସ୍ ଡିଜି ଅଭୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କୁ ପୁଲିସ ଡିଜି ଅଭୟ ନିଲମ୍ବନ କରିଥିଲେ। ଏ ନେଇ ଟୁଇଟ୍‌ କରି ସୂଚନା ଦେଇଥିଲେଡିଜିପି ।
ପୂର୍ବରୁ ବାଲେଶ୍ବର ଏସ୍‌ପିଙ୍କୁ ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାର ତଦନ୍ତ ନିର୍ଦେଶ ଦେଇଥିଲେ ଆଇଜି ଦୀପ୍ତେଶ ପଟ୍ଟନାୟକ। ଏହାପରେ ଡିଜିପି ଅଭୟ ଏହି କାର୍ଯାନୁଷ୍ଠାନ ଗ୍ରହଣ କରିଥିଲେ।
ସୂଚନା ଅନୁସାରେ, ନିଶା କାରବାରରେ ଧରାପଡ଼ି ଜାମିନରେ ବାହାରିବା ପରେ ମାଫିଆ ଜଣକ ଜବତ ଗାଡ଼ିକୁ ଛଡ଼ାଇବା ପାଇଁ ପୁଲିସ ଅଧିକାରୀଙ୍କ ସହ ମୁଲଚାଲ କରୁଥିବାର ଅଡ଼ିଓ ସାମ୍ନାକୁ ଆସିଥିଲା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସିଛି ଏପରି ସାଂଘାତିକ ଅଭିଯୋଗ ଏବଂ ଭାଇରାଲ ଅଡିଓରେ ନିଶା ବେପାରୀ ସହ କଥା ହେଉଥିବା ବାବୁ ଜଣକ ଜଲେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁ ବୋଲି ଚର୍ଚ୍ଚା ହୋଇଥିଲା । ସେପଟେ ପୁଲିସ ଓ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଥିଲେ ଜଣେ ଓକିଲ ।
ଅଭିଯୋଗ ଅନୁସାରେ ଫୋନର ଗୋଟିଏ ପଟେ ଅଛନ୍ତି ଡ୍ରଗ୍ସ ମାଫିଆ ଓ ଆଉ ଗୋଟିଏ ପଟେ ଅଛନ୍ତି ଜଳେଶ୍ୱର ଥାନାର ଆଇଆଇସି ଧନେଶ୍ୱର ସାହୁ । ଡ୍ରଗ୍ସ ମାଫିଆଜଣକ ବ୍ରାଉନସୁଗାର କାରବାର କରି ଧରାପଡ଼ିବା ପରେ ଏବେ ଜାମିନରେ ଅଛି। କିନ୍ତୁ ତାର ଜବତ ଗାଡ଼ି ଜଳେଶ୍ୱର ଥାନା ଆଇଆଇସିଙ୍କ କବଜାରେ ଅଛି । ଉକ୍ତ ଗାଡ଼ିକୁ ଛଡ଼ାଇବା ପାଇଁ ମାଫିଆ ଜଣକ ପୁଲିସ ଆଇଆଇସିଙ୍କୁ ୨ଲକ୍ଷ ଟଙ୍କା ଦେଇଥିବା କଥା କହୁଥିବା ସ୍ପଷ୍ଟ ଶୁଣାଯାଉଛି।

ସମ୍ବନ୍ଧିତ ଖବର