ଟୁରିଷ୍ଟ ବସକୁ ଅଟକାଇ ଯାତ୍ରୀମାନଙ୍କୁ ଆକ୍ରମଣ କରିବା ଅଭିଯୋଗରେ ୫ ଅସାମାଜିକ ଯୁବକ ଅଟକ

ଜଳେଶ୍ୱର :ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ଅନେକ ସମୟରେ ଟୁରିଷ୍ଟ ବସକୁ ଅଟକାଇ କିଛି ଅସାମାଜିକ ଯୁବକ ଯାତ୍ରୀମାନଙ୍କଠାରୁ ଲୁଟିଥାନ୍ତି। ଆଜି ଭୋର ସମୟରେ ବି ସେଭଳି କାଣ୍ଡ ଘଟାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତ ୫ ଜଣ ଅସାମାଜିକ ଯୁବକ। ମିଳିଥିବା ସୂଚନା ଅନୁସାରେ ଏକ ବସ ବିହାରରୁ ତୀର୍ଥଯାତ୍ରୀଙ୍କୁ ନେଇ ଓଡ଼ିଶା ଅଭିମୁଖେ ଆସୁଥିଲା ।

ସେହି ସମୟରେ ଜଳେଶ୍ୱର ନିକଟବର୍ତ୍ତୀ ଲୋକନାଥ ଟୋଲଗେଟ୍ ନିକଟରେ କିଛି ଯୁବକ ବସକୁ ଅଟକାଇଥିଲେ । ଏପରିକି ସେମାନେ ନିଜକୁ ଏମଭିଆଇ ପରିଚୟ ଦେଇ ଗାଡିର ଚେକିଂ ବାହାନାରେ ଡ୍ରାଇଭରଙ୍କୁ ଚାନ୍ଦା ମାଗିଥିଲେ । ଏଥିରେ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ଯୁବକମାନେ ଚାନ୍ଦା ନ ପାଇବାରୁ ଡ୍ରାଇଭରଙ୍କୁ ପିଟିବା ସହ ବସ ଯାତ୍ରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ । କେତେକ ଯାତ୍ରୀ ଏହି ଘଟଣାର ମୋବାଇଲରେ ଭିଡିଓ ରେକର୍ଡିଂ କରୁଥିବା ବେଳେ ଉକ୍ତ ଯୁବକମାନେ ସେମାନଙ୍କଠାରୁ ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଇଥିବା ଜଣାଯାଇଛି। ଏଥିରେ ଡ୍ରାଇଭରଙ୍କ ସମେତ ୨ଜଣ ମହିଳା ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି ।

ଏହି ଘଟଣାରେ ପୁଲିସ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର