ଜଳେଶ୍ୱର: ‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଡବ୍ଲୁଓ)ର ଚଢ଼ଉକୁ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ସଚେତନ ନାଗରିକ ମଣ୍ଡଳୀ ଦୃଢ ବିରୋଧ କରିଛି। ଏହା ରାଜନୈତିକ ଅଭିସନ୍ଧି ଓ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ। ଗଣମାଧ୍ୟମର ଏଭଳି କଣ୍ଠରୋଧ ଅତ୍ୟନ୍ତ ହୀନ କାର୍ଯ୍ୟ ଓ ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ମତପ୍ରକାଶ ପାଇଛି।
ଆଜି ଜଳେଶ୍ୱର ବଡ଼ବଜାର ଛକଠାରେ ବିଭିନ୍ନ ସାମାଜିକ ସଙ୍ଗଠନ ଓ ବୁଦ୍ଧିଜୀବୀ ଏକ ପଥପ୍ରାନ୍ତ ସଭାରେ ଏକତ୍ରିତ ହୋଇଥିଲେ। ମନ୍ତ୍ରୀ ବଡ଼ ନା ସଚିବ? ଏ ପ୍ରସଙ୍ଗରେ ସମ୍ପାଦକୀୟ ଆଲେଖ୍ୟରେ ସତ ଲେଖିଥିବା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦମନ କରିବା ଉଦ୍ଦେଶ୍ୟରେ ଯେଭଳି ମିଥ୍ୟାର ସାହାରା ନିଆଯାଇଛି ଓ କ୍ରମାଗତ ୪ ଦିନ ଧରି ‘ସମ୍ବାଦ’ କାର୍ଯ୍ୟାଳୟରେ ଉଦ୍ଦେଶ୍ୟମୂଳକ ଭାବେ ଇଓଡବ୍ଲ୍ୟୁ ଚଢ଼ଉ କରୁଛି, ତାକୁ ତୀବ୍ର ନିନ୍ଦା କରିଥିଲେ। ଚିଟ୍ ଫଣ୍ଡ, ଖଣି, ଜଙ୍ଗଲ, ଜମି, ଜଳ ଲୁଟ୍ ଭଳି ଅନେକ ସମ୍ବେଦନଶୀଳ ମାମଲାରେ ଶାସକ ଦଳର ବହୁ ନେତା ଓ ସରକାରୀ ପଦାଧିକାରୀ ସମ୍ପୃକ୍ତ ଥିବାବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଅଥଚ ସାଧାରଣ ଲୋକଙ୍କ ସ୍ବର ପାଲଟିଥିବା ‘ସମ୍ବାଦ’ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନର ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହେଉଛି। ଏହାକୁ ସାଧାରଣ ଲୋକେ କସ୍ମିନ୍ କାଳେ ବରଦାସ୍ତ କରିବେନି।
ଆଗାମୀ ଦିନରେ ଏହାର ଉଚିତ ଜବାବ ଦିଆଯିବ ବୋଲି କହିଥିଲେ। ପଥପ୍ରାନ୍ତ ସଭାରେ ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବା ବେଳେ କୃଷକ ନେତା ସମୀର ପାତ୍ର, ସୁଦାମ ପାତ୍ର, ବାମପନ୍ଥୀ ନେତା ରବୀନ୍ଦ୍ର ବାରିକ, ଆମ୍ବେଦକର ସମତା ମଞ୍ଚର ସଭାପତି ଅଶୋକ ଜେନା, ସମ୍ପାଦକ ନିରୋଜ ବେହେରା, ପଲ୍ଟୁ ଦାସ, ଯୁବନେତା ଆଶିଷ ଗିରି, ସାମ୍ବାଦିକ ଅଜିତ ସାହୁ, ଦିଲୀପ ଗିରି, ଦୀପ୍ତିମାନ ଆଚାର୍ଯ୍ୟ, କାଉନ୍ସିଲର ଚନ୍ଦନ ଦାସ, ପୂର୍ବତନ କାଉନସିଲର ଅନନ୍ତ କୁମାର ଦାସ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଶାନ୍ତନୁ ପଟ୍ଟନାୟକ, ବିଜେପି ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀ, ପୂର୍ବତନ ବ୍ଲକ୍ ବିଜେଡି ସଭାପତି ସୁଧୀର ପାତ୍ର, ଯୁବନେତା ନନ୍ଦନ ଦତ୍ତ, ସଂଗ୍ରାମ ଜେନା, ବିପ୍ଳବ ପ୍ରଧାନ, ପଦ୍ମଲୋଚନ ବେହେରା, ରାଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।