ବାହାନଗା ରେଳ ଦୁର୍ଘଟଣା: କ୍ଷତିପୂରଣ ହଡ଼ପ ପାଇଁ ମାତିଲେଣି ଜାଲିଆ

ସଂପର୍କୀୟ କହି ଶବ ମାଗୁଥିଲେ, ଧରାଇଦେଲା ମୋବାଇଲ୍‌

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସରକାରୀ ସହାୟତା ମିଳିବା ନେଇ ଘୋଷଣା ପରେ ଏବେ ଜାଲିଆତି ଆରମ୍ଭ ହୋଇଯାଇଛି। ନିଜକୁ ଶବର ସଂପର୍କୀୟ ପରିଚୟ ଦେଇ କିଛି ଅସାଧୁ ଲୋକ କ୍ଷତିପୂରଣ ରାଶିକୁ ଚଳୁ କରିବାକୁ ଉଦ୍ୟମ କରୁଛନ୍ତି। ଗତକାଲି ବାଲେଶ୍ବର ହସ୍ପିଟାଲରୁ ଏପରି ଏକ ଚିତ୍ର ଆସିଥିବା ବେଳେ ଆଜି କ୍ୟାପିଟାଲ ହସ୍ପିଟାଲରେ ସମାନ ଧରଣର ଘଟଣା ଘଟିଛି।

ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ବିହାରର ଜଣେ ଯୁବକ କ୍ୟାପିଟାଲ ହସ୍ପିଟାଲକୁ ଆସି ନିଜକୁ ଏକ ଶବର ସଂପର୍କୀୟ ବୋଲି ପରିଚୟ ଦେଇଥିଲା। ଏକ ଫଟୋ ଓ ଆଧାରକାର୍ଡ ଦେଖାଇ ତାହା ମୃତ ବ୍ୟକ୍ତିଙ୍କର ବୋଲି କହିଥିଲା। ତେବେ ଶବର ମୁହଁ ଚିହ୍ନି ହେଉନଥିବାରୁ ଦାୟିତ୍ବରେ ଥିବା ଅଧିକାରୀମାନେ ତା’ କଥାକୁ ସତ ମାନି ନେଇଥିଲେ ଏବଂ ଶବ ଓ ୧୦ ଲକ୍ଷର ସହାୟତା ରାଶି ଦେବାକୁ ରାଜି ହୋଇଯାଇଥିଲେ। ପରେ ଶବକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ସେତିକିବେଳେ ଶବର ପ୍ୟାଣ୍ଟ ପକେଟ୍‌ରୁ ଡାକ୍ତରଙ୍କୁ ଏକ ମୋବାଇଲ ମିଳିଥିଲା। ଏହା ଦେଖି ଶବକୁ ନିଜର ସଂପର୍କୀୟ ବୋଲି ଦାବି କରୁଥିବା ଲୋକର ହାବଭାବ ବଦଳି ଯାଇଥିଲା।

ଡାକ୍ତର ଓ କର୍ମଚାରୀଙ୍କ ସନ୍ଦ‌େହ ହେବାରୁ ମୋବାଇଲକୁ ଚାର୍ଜ କରି ଅନ୍‌ କରିବା ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ସେ‌ତିକିବେଳେ ଯୁବକଜଣଙ୍କ କାଇଦା କରି ସେଠାରୁ ଖସି ଆସିଥିଲା। ମୋବାଇଲ୍‌ ଖୋଲିବା ପରେ ମୃତଦେହର ଅସଲ ପରିଚୟ ଜଣାପଡ଼ିଥିଲା। ମୃତକଙ୍କ ଘର ବିହାର ନୁ‌‌ହେଁ, ଝାଡ଼ଖଣ୍ଡ ବୋଲି ଜଣାପଡ଼ିଥିଲା। ଏ ବାବଦରେ ତାଙ୍କ ପରିବାରକୁ ସୂଚନା ଦିଆଯାଇଛି। ସେମାନେ ଆସି ମୃତଦେହ ନେବେ ବୋଲି ଜଣାପଡ଼ିଛି।

ଏନେଇ କ୍ୟାପିଟାଲ ହସ୍ପିଟାଲ‌ରେ ନିୟୋଜିତ ଥିବା ରେଳ କର୍ମଚାରୀ କହିଛନ୍ତି ଯେ ବିଭିନ୍ନ ସରକାରୀ ୱ‌େବସାଇଟ୍‌ରେ ମୃତ ବ୍ୟକ୍ତିଙ୍କ ଫଟୋ ରହିଛି। ଏହାସହ ମୃତଦେହ କେଉଁଠି ରହିଛି, ଟ୍ୟାଗ୍‌ ନମ୍ବର କେତେ ଆଦି ସୂଚନା ରହିଛି। ଏହି ସୂଚନାକୁ ଆଧାର କରି କିଛି ଠକ ଏବେ ସରକାରୀ କ୍ଷତିପୂରଣ ରାଶି ହଡ଼ପ କରିବାକୁ ଯୋଜନା ଚଳାଇଛନ୍ତି। ଯେଉଁ ମୃତବ୍ୟକ୍ତିଙ୍କ ମୁହଁ ଚିହ୍ନି ହେଉନି, ସେମାନଙ୍କୁ ନିଜର ସଂପର୍କୀୟ ବୋଲି ଦାବି କରୁଛନ୍ତି। ଏଥିପାଇଁ ସେମା‌ନେ ବିଭିନ୍ନ ଜାଲ୍‌ ପ୍ରମାଣପତ୍ର ଯୋଗାଡ଼ କରିଦେଉଛନ୍ତି।

ତେବେ ଗତକାଲିଠାରୁ ଏପରି ୨ଟି ଜାଲିଆତି ଘଟଣା ପଦାକୁ ଆସିବା ପରେ ପ୍ରକୃତ ସଂପର୍କୀୟମାନଙ୍କ ପାଇଁ ଅସୁବିଧା ଆହୁରି ବଢ଼ିଯାଇଛି। ପ୍ରକୃତ ଦାବିଦାର ହୋଇଥିଲେ ବି ସେମାନଙ୍କୁ ବିଭିନ୍ନ ପ୍ରମାଣପତ୍ର ମଗାଯିବା ସହ ପ୍ରଶ୍ନ କରାଯାଉଛି। କେବଳ ମୃତବ୍ୟକ୍ତିଙ୍କ ଆଧାରକାର୍ଡ ସହ ପରିବାରଲୋକ ଶବ ନେବାକୁ ଆସିଲେ ହିଁ ସେମାନଙ୍କୁ ଶବ ହସ୍ତାନ୍ତର ଓ କ୍ଷତିପୂରଣ ଦିଆଯାଉଛି। ଅନ୍ୟ କେଉଁ ସଂପର୍କୀୟଙ୍କୁ ଦେବାକୁ ଅଧିକାରୀମାନେ ଅମଙ୍ଗ ହେଉଛନ୍ତି।

ସମ୍ବନ୍ଧିତ ଖବର