ବସ୍ତା: ଉପର ମୁଣ୍ତରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ଫଳରେ ନଦୀର ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ବରେ ରହିଛି |ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକରେ ଲୋକେ ଏଥିନେଇ ଆଶଙ୍କିତ ଥିବା କୁହାଯାଉଛି।
ଜଳସେଚନ ବିଭାଗ ସୂତ୍ରରୁ ପ୍ରକାଶ ଯେ ବିପଦ ସଂକେତ ୫.୫ମିଟର ଥିବାବେଳେ ଅପରାହ୍ନରେ ୬.୪ମିଟର ରହିଛି | ଦୀର୍ଘ ୩ଘଣ୍ଟା ଧରି ଜଳସ୍ତର ଏହି ପରିମାଣରେ ପ୍ରବାହିତ ହେଉଥିବା ବେଳେ ସାମାନ୍ୟ ବୃଦ୍ଧି ହୋଇପାରେ ବୋଲି ବିଭାଗୀୟ ପକ୍ଷରୁ କୁହାଯାଇଛି |
ତେବେ ଜଳସେଚନ ବିଭାଗ ଏସ ଡି ଓ ନିର୍ମଳକାନ୍ତି ଜେନା ସୂଚନା ଦେଇ କହିଛନ୍ତି ଯେ.ଆବାହମାନ କାଳରୁ ଜଳକାନଦୀ ବିପଦ ସଂକେତ ୫,୫ମିଟର ରହିଆସୁଛି ଏହାର ବିପଦ ସଂକେତ ୭ ମିଟରରେ ରଖିବା ପାଇଁ ସରକାରଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ ତାହା ପରିବର୍ତ୍ତନ ହୋଇନାହିଁ |
ହେଲେ ବିପଦ ସଂକେତ ୧୦ମିଟର ଉର୍ଦ୍ଧ୍ବରେ ରହିଲେ ବିପର୍ଯ୍ୟୟ ହେବାର ସମ୍ଭାବନା ରହିବ, କିନ୍ତୁ ୫.୫ମିଟର ଜଳସ୍ତର ରୁ ୬.୪ମିଟର ରେ ଜଳ ପ୍ରବାହିତ ହେଲେ ଅଞ୍ଚଳ ବାସୀ ଭୟଭୀତ ହେବାର ନାହିଁ ବୋଲି ପ୍ରକାଶ କରିଛନ୍ତି | ତେବେ ନଦୀର ଦୁଇପଟରେ ଭେଡି ବନ୍ଧ ସ୍ଥାୟୀ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି |
ଉଲ୍ଲେଖଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ବାଲେଶ୍ବର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରିରହିଛି। ତେବେ ଉତ୍ତର ବାଲେଶ୍ବର ଅଞ୍ଚଳରେ ଅଧିକ ବର୍ଷା ହୋଇଥିବା ବେଳେ ବାଲେଶ୍ବର ସଦର, ସୋର, ବାହାନଗା, ସିମୁଳିଆ, ଖଇରା ନୀଳଗିରି, ଔପଦା ଓ ରେମୁଣା ଅଞ୍ଚଳରେ କମ୍ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଅନ୍ୟପକ୍ଷରେ ଜଳକାନଦୀରେ ବିପଦସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗରେ ଜଳସ୍ତର ସ୍ବାଭାବିକ ରହିଥିବା ସୂଚନା ଦିଆଯାଇଛି।