ଭୁବନେଶ୍ବରରେ ‘ଜମ୍‌ତରା’ ଗ୍ୟାଙ୍ଗ: ଭିଡିଓ ଜାରି କରି ସତର୍କ କରାଇଲା ପୁଲିସ

ଭିଡିଓରେ ରହିଛି ଠକଙ୍କ କୌଶଳ, ଆକାଉଣ୍ଟ ବନ୍ଦ ହେବାର ଧମକ ଦେଉଛନ୍ତି ‘ସମ୍ବାଦ’ରେ ପ୍ରକାଶ ପାଇଥିଲା ରିପୋର୍ଟ

ଭୁବନେଶ୍ବର: ଓଡ଼ିଶା ସାଇବର ଠକଙ୍କ ଟାର୍ଗେଟ୍‌ରେ ରହି ଆସୁଥିବା ବେଳେ ସାଇବର ଅପରାଧର ପାଠଶାଳା ପାଲଟିଥିବା ଝାଡ଼ଖଣ୍ଡର ‘ଜମ୍‌ତରା’ ଶାଖା ରାଜଧାନୀରେ କାର୍ଯ୍ୟ କରୁଛି। ବେକାର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଜମ୍‌ତରା ପକ୍ଷରୁ ନିଯୁକ୍ତି ମିଳୁଛି ଓ ଆଗକୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାଲ ବିଛାଇ ଠକ ଲୁଟିବା ଯୋଜନା ରହିଥିବା ଜଣା ପଡ଼ିଥିଲା। ଏ ନେଇ ଗତ ନଭେମ୍ବର ୨୫ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିବା ବେଳେ ଏବେ କମିସନରେଟ୍ ପୁଲିସ ପକ୍ଷରୁ ସତର୍କ କରାଯାଇଛି। ଠକଙ୍କ ଅପରେସନର ଏକ ଭିଡିଓ ଜାରି କରିଛି ପୁଲିସ। ଏଭଳି ଢଙ୍ଗରେ ଆସୁଥିବା ଫୋନ କଲ୍‌ଠାରୁ ଦୂରରେ ରହିବା ଉଦ୍ଦେଶ୍ୟରେ ଏହି ଭିଡ଼ିଓ ଜାରି କରାଯାଇଛି।

ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଠକ ନିଜକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କର୍ମଚାରୀ ବୋଲି ପରିଚୟ ଦେଇ ଫୋନରେ ଜଣେ ଗ୍ରାହକଙ୍କ ନିକଟକୁ କଲ୍ କରି ଏଟିଏମ୍ କାର୍ଡରେ ଥିବା ୧୬ ଟିକିଆ ନମ୍ବର ମାଗୁଛି। ସମ୍ପୃକ୍ତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିବା ବେଳେ ଦିଆଯାଇଥିବା ଜନ୍ମ ତାରିଖ ଓ ମାସ ଏବଂ ଏଟିଏମ୍ କାର୍ଡରେ ଥିବା ତଥ୍ୟ ସହ ମେଳ ଖାଉ ନ ଥିବା କହୁଛି ଠକ। ଏଟିଏମ୍ କାର୍ଡରେ ଲେଖାଥିବା ନମ୍ବର ନ ଦେଲେ ଉଭୟ କାର୍ଡ ଓ ଆକାଉଣ୍ଟକୁ ବନ୍ଦ କରି ଦିଆଯିବାର ଧମକ ଦେଉଛି। ଗ୍ରାହକ ଠକ କଥାରେ ସନ୍ଦେହ ପ୍ରକାଶ କରି ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। କିନ୍ତୁ ଠକ ବିଶ୍ବାସ ଜନ୍ମାଇବା ପାଇଁ ନିଜର ଏମ୍ପ୍ଲଇ(କର୍ମଚାରୀ) ଆଇଡି ନମ୍ବର ମଧ୍ୟ ଦେଉଛି। ତଥାପି ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ପ୍ରଶ୍ନ ପଚାରୁ ଥିବାରୁ ଠକ ସ୍ବର ବଦଳାଇ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ କଥା ହେଉଛି ଏବଂ ଆକାଉଣ୍ଟ ବନ୍ଦ ହୋଇଯିବ ବୋଲି ଭୟଭୀତ କରାଉଛି। କିନ୍ତୁ ବ୍ୟକ୍ତିଜଣଙ୍କ କୌଣସି ପ୍ରକାରେ ନିଜ ନମ୍ବର ନ ଦେବାରୁ ଠକ ଫୋନ୍ କାଟି ଦେଉଛି। ଏହି ଭିଡିଓ ଏକ ଉଦାହରଣ ଥିଲା, ଯଦି କେହି ଫୋନ୍ କରି ଏଟିଏମ୍, କ୍ରେଡିଟ୍ କାର୍ଡ କିମ୍ବା ବ୍ୟାଙ୍କର ସମ୍ପୂର୍ଣ୍ଣ ବିବରଣୀ ମାଗୁଛି, ତାହାଲେ କୌଣସି ତଥ୍ୟ ନ ଦେବା ସହ ସତର୍କ ରହିବା ଲାଗି ମଧ୍ୟ କୁହାଯାଇଛି।

ସୂଚନାଯୋଗ୍ୟ, ଗତମାସରେ ଜମତରା ଗ୍ୟାଙ୍ଗ ୫ଟି ରାଜ୍ୟରେ ଶାଖା ଖୋଲୁଥିବା ନେଇ ଏକ ଜାତୀୟସ୍ତରର ଖବରକାଗଜ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟ ଅନୁସାରେ, ଜମ୍‌ତରା ଗ୍ୟାଙ୍ଗ ଓଡ଼ିଶା ସମେତ ୫ଟି ରାଜ୍ୟକୁ ଟାର୍ଗେଟ୍‌ କରିଛନ୍ତି। ଓଡ଼ିଶାର ଭୁବନେଶ୍ବର ଯେ ପଶ୍ଚିମବଙ୍ଗର କୋଲକାତା ଓ ଆସାନସୋଲ, ରାଜସ୍ଥାନର ଅଲଵାର ଓ ଭରତପୁର, ହରିୟାଣାର ମେଵାର ଓ ଗୁରୁଗାଓଁ ଏବଂ ଉତ୍ତରପ୍ରଦେଶର ମଥୁରା, ବାରାଣାସୀ ଓ ଜଲାଲପୁର ଏହି ଗ୍ୟାଙ୍ଗ୍‌ର ଟାର୍ଗେଟ୍‌ରେ ରହିଛି। ଏହି ସବୁ ସହରରେ ବେକାରଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେଣୁ ଏହି ସବୁ ରାଜ୍ୟର ସାଇବର ପୁଲିସକୁ ସତର୍କ ରହିବା ପାଇଁ କୁହାଯାଇଥିଲା। ଜମ୍‌ତରାରେ ସାଇବର ଠକମାନେ ଶହ ଶହ କୋଟି ଟଙ୍କା ରୋଜଗାର କରି ସାରିଲେଣି। ତେଣୁ ସେମାନେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଅନ୍ୟ ରାଜ୍ୟରେ ନିଜର ଶାଖା ଖୋଲିବାକୁ ଚେଷ୍ଟା ଚଳାଇଛନ୍ତି। ଯେଉଁ ସହରମାନଙ୍କରେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ହେଉଛି, ସେହିସବୁ ସ୍ଥାନକୁ ଜମ୍‌ତରା ଗ୍ୟାଙ୍ଗ୍‌ ଲକ୍ଷ୍ୟ ରଖୁଛି। ବିପୁଳ ଅର୍ଥ ରୋଜଗାରର ପ୍ରଲୋଭନ ଦେଖାଇ ବେକାର ଆଇଟି ଇଞ୍ଜିନିୟରମାନଙ୍କୁ ନିଜ ଗ୍ୟାଙ୍ଗ୍‌ରେ ନିଯୁକ୍ତି ଦେବା ପ୍ରକ୍ରିୟା ଚାଲିଥିଲା। ଓଡ଼ିଶାରେ ସାଇବର ଅପରାଧକୁ ଆଉ ରୋକିବା ସମ୍ଭବ ହେବନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏ ନେଇ କୌଣସି ସତର୍କତା କିମ୍ବା ସଚେତନତା ଜାରି କରା ଯାଇ ନ ଥିଲା।

ଉଲ୍ଲେଖଯୋଗ୍ୟ ଯେ ଆଇପିଏସ୍ ଅଫିସର ପ୍ରଣବେନ୍ଦୁ ଆଚାର୍ଯ୍ୟ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଆଇଏଏସ୍ ଅଫିସର ଭିନିଲ କ୍ରିଷ୍ଣା ଓ ରାଜ୍ୟ ସରକାରଙ୍କ ଏକାଧିକ ବରିଷ୍ଠ ପଦାଧିକାରୀ, ଡାକ୍ତର, ଇଞ୍ଜିନିୟରଙ୍କ ଆକାଉଣ୍ଟ ପୂର୍ବରୁ ହ୍ୟାକ୍ ଏବଂ ନକଲ କରାଯାଇଛି। କିଛି ଦିନ ତଳେ ରାଜଧାନୀର ଏକ ଜଣାଶୁଣା ରେସ୍ତୋରାଁ ନାଁରେ ଲୋଭନୀୟ ଅଫର ଦେଇ ବିପୁଳ ପରିମାଣର ଠକେଇ ହୋଇଥିଲା। ଏହି ସବୁ କାଣ୍ଡ ପଛରେ ଜମ୍‌ତରା ଗ୍ୟାଙ୍ଗ୍‌ ନୂଆ ଶାଖାର ହାତ ଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସନ୍ଦେହ କରାଯାଉଛି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟ ଅନୁସାରେ ୨୦୧୮ ତୁଳନାରେ ୨୦୧୯ରେ ଓଡ଼ିଶାରେ ୭୬ ପ୍ରତିଶତ ସାଇବର ଅପରାଧ ବୃଦ୍ଧି ପାଇଥିଲା। ୨୦୧୮ରେ ୮୪୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୧୪୮୫ ଥିଲା। ୨୦୨୦ ସବୁ ରେକର୍ଡକୁ ଟପିଯିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର