ଜାମକାନି କୋଇଲା ଖଣି ପ୍ରସଙ୍ଗ: ବିସ୍ଥାପିତଙ୍କ ପିଠିରେ ରୁଟି ସେକିବାକୁ ନେତାଙ୍କ ମସୁଧା

୨୩ ଦିନର ଧାରଣା ପରେ ବି ଫଳ ଶୂନ୍

ସୁନ୍ଦରଗଡ: ଗୋଟିଏ ପଟେ ବିସ୍ଥାପିତଙ୍କ ଅହୋରାତ୍ର ଧାରଣା, ଅନ୍ୟପଟେ କମ୍ପାନିର ଖଣି ଖନନ। ଏହା ମଧ୍ୟରେ ପ୍ରଶାସନର ମଧ୍ୟସ୍ଥତାରେ ବିସ୍ଥାପିତ ଓ କମ୍ପାନିର ଆଲୋଚନା ପରେ ଆଲୋଚନା ଚାଲିଛି । କିନ୍ତୁ ଫଳ ଶୂନ। ଶୀତକାକରରେ ଖଣି ଆଗରେ ପିଲାକବିଲାଙ୍କ ସହ ବିସ୍ଥାପିତ ଜାରି ରଖିଥିବା ପ୍ରତିବାଦକୁ ୨୩ ଦିନ ବିତିଗଲାଣି। ଏଯାଏ ବିସ୍ଥାପିତଙ୍କ ଦାବି ଉପରେ କୌଣସି ନିଷ୍କର୍ଷ ଆସି ପାରିନାହିଁ। ବରଂ ପ୍ରଶାସନ ଓ କମ୍ପାନିର ଦାଓପେଞ୍ଚରେ କୋଣଠେସା ହୋଇ ରହିଛି କହିଲେ ଭୁଲ୍ ହେବ ନାହିଁ। ଏସ୍ଥିତିରେ ଆନ୍ଦୋଳନ ପ୍ରାରମ୍ଭ ଦିନ କମ୍ପାନି ସପକ୍ଷରେ ବାହାର ଜିଲ୍ଲାର ଜଣେ ନେତାଙ୍କ ଇଙ୍ଗିତରେ କିଛି ଟ୍ରାନ୍ସପୋର୍ଟର ଆସି ତୁମ୍ବିତୁଫାନ କରିଥିବା ବେଳେ ପରବର୍ତ୍ତୀ ସମୟରେ ବିସ୍ଥାପିତଙ୍କ ଦାବିକୁ ସମର୍ଥନ କରି ଆନ୍ଦୋଳନସ୍ଥଳକୁ ବହୁ ନେତା ସମେତ ରାଜନୈତିକ ଦଳ ବିଭିନ୍ନ ଦିନରେ ଆସି କମ୍ପାନି ଓ ପ୍ରଶାସନ ବିରୋଧରେ ଗର୍ଜି ଫେରି ଯାଇଛନ୍ତି। କିନ୍ତୁ କେବେ କୌଣସି ନେତା ନିଜକୁ ବିସ୍ଥାପିତଙ୍କ ସହ ଅହୋରାତ୍ର ଧାରଣାରେ ସାମିଲ କରିଥିବା ଦେଖାଯାଇ ନାହିଁ। ଯାହା ସାଧାରଣରେ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି।

ପ୍ରକୃତରେ ବିସ୍ଥାପିତଙ୍କୁ ସମର୍ଥନ ଓ ବିରୋଧ ପଛରେ ଅନେକ ନେତାଙ୍କ କୋଇଲା ବେପାର (ପରିବହନ) ଉପରେ ନଜର ଥିବା ଆଲୋଚନା ହେଉଛି। ଜାମକାନି କୋଇଲା ଖଣି ବିସ୍ଥାପିତ ଜାମକାନି, ଗିରିସୀମା, ଝାରପଲମ ଓ ମେଣ୍ଡ୍ରା ଗାଁ ଲୋକେ ଜମିର ଏକର ପ୍ରତି ୫୦ ଲକ୍ଷ ଅତିରିକ୍ତ କ୍ଷତିପୂରଣ ସହ ଥଇଥାନ, ପୁନର୍ବାସ ଓ ନିଯୁକ୍ତି ଦାବି କରି ଆସୁଛନ୍ତି। ପୁନର୍ବାସ ଓ ଥଇଥାନ ବ୍ୟବସ୍ଥା ନକରି ଖଣି ଖନନ ବେଆଇନ କହି ଲୋକେ ଏହାକୁ ବିରୋଧ କରି ଆସୁଛନ୍ତି। ନିୟମତଃ ଗାଁଲୋକଙ୍କୁ ପୁନର୍ବାସ କଲୋନିରେ ସ୍ଥାନ ଓ ଅନ୍ୟ ଥଇଥାନ ସୁବିଧା ଦେବା ପରେ ଖଣି ଖନନ କରାଯିବା କଥା। ପ୍ରଶାସନ କହିବା ଅନୁସାରେ ଯଦିଓ ଗାଁ ପାଖକୁ ଖଣି ପହଞ୍ଚିବାକୁ ୨ରୁ ୩ ବର୍ଷ ଲାଗିଯିବ, ତଥାପି ଖଣି ଖନନ ଓ କୋଇଲା ପରିବହନଜନିତ ପ୍ରଦୂଷଣରେ ଗାଁ ଅଣନିଃଶ୍ବାସୀ ହେବା ନିଶ୍ଚିତ। ଏହା ଛଡ଼ା ଖଣି ଯୋଗୁଁ ସେମାନଙ୍କ ଜୀବନଜୀବିକା ମଧ୍ୟ ବହୁ ଭାଗରେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ଏ କ୍ଷେତ୍ରରେ ପ୍ରଥମେ ପୁନର୍ବାସ, ଥଇଥାନ ସୁବିଧା ପରେ ଖଣି ଖନନ ପାଇଁ ସ୍ବର ଉଠିଛି। କିନ୍ତୁ ପ୍ରଶାସନ ଓ କମ୍ପାନି ବିସ୍ଥାପିତଙ୍କ ଦାବିକୁ ଅଣଦେଖା କରି ପୁଲିସ ଘେରାବନ୍ଦୀରେ ଖଣି (ଓବି)ଖନନ ଚଲାଇଛି।

ବିସ୍ଥାପିତ ଧାରଣାରେ ବସିଥିବା ସ୍ଥାନକୁ ଛାଡ଼ି ତା’ ପରିପଟେ ଏକର ଏକର ଜମି ଉପରୁ ମାଟି ଉଠାଇ ପାହାଡ଼ ପରିମାଣେ ଗଦା (ଡମ୍ପିଂ) କରିସାରିଲାଣି କମ୍ପାନି। ତେଣୁ ଦାବି ଉପରେ ଆଲୋଚନା ବା କୌଣସି ନିଷ୍ପତ୍ତି ନହେବା ଯାଏ ଖନନ ବନ୍ଦ ରଖିବାକୁ ବିସ୍ଥାପିତ ଦାବି କରିଚାଲିଛି। ଏକ ଶାନ୍ତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ବିସ୍ଥାପିତ ଓ କମ୍ପାନିର ଆଲୋଚନା ପାଇଁ ଏହା ଜରୁରୀ ବୋଲି କୁହାଯାଉଛି। ଏଥିରେ ନେତାଙ୍କ ସ୍ବର ଶାଣିତ ହେଲେ ବିସ୍ଥାପିତଙ୍କ ଦାବି ପୂରଣ ସହଜ ହୋଇଯାଅନ୍ତା। କିନ୍ତୁ ବିସ୍ଥାପିତଙ୍କ ଏହି ସମ୍ବେଦନଶୀଳ ଦାବି ପ୍ରତି ଧାରଣାସ୍ଥଳକୁ ପହଞ୍ଚିଥିବା କୌଣସି ନେତା ଏଯାଏ ଠୋସ୍ ସ୍ବର ଉଠାଇନାହନ୍ତି। ଏପରିକି ଖଣି ଖନନକୁ ନେଇ ଆନ୍ଦୋଳନରତ ବିସ୍ଥାପିତଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିବା ଏବଂ କୌଣସି ମତେ ନିଷ୍ପତ୍ତି ହେବା ଯାଏ ଖନନ ବନ୍ଦ ରଖିବାକୁ ଚାହୁଥିବା ବେଳେ ସେମାନଙ୍କୁ ରୋକା ଯାଉଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ବିସ୍ଥାପିତଙ୍କ ଦୀର୍ଘ ଆନ୍ଦୋଳନ ଆଳରେ ପରୋକ୍ଷ ବା ପ୍ରତ୍ୟକ୍ଷ ପରିବହନ ସହ ସମ୍ପୃକ୍ତ ଅନେକ ନେତା ଏହା ମଧ୍ୟରେ କୋଇଲା ପରିବହନ ପାଇଁ ମୂଲଚାଲ ଆରମ୍ଭ କରି ଦେଇଛନ୍ତି। ଏସ୍ଥିତିରେ ବିସ୍ଥାପିତ ନ୍ୟାୟ ପାଇବେ କି ନାହିଁ, ତାକୁ ନେଇ ଉଠିଛି ପ୍ରଶ୍ନ।

ପ୍ରକାଶଯୋଗ୍ୟ, ପୂର୍ବରୁ ଜାମକାନି କୋଇଲା ଖଣି ପାଇଥିବା ଭୂଷଣ ପାଇଁ ଜମି ଅଧିଗ୍ରହଣ ହୋଇଥିଲା। ପରେ ଖଣି ଆବଣ୍ଟନରେ ଦୁର୍ନୀତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟକୁ ଏହାକୁ ବାତିଲ କରି ଦେଇଥିଲେ। କିନ୍ତୁ ସେତେବେଳେ ସମସ୍ତ ବିସ୍ଥାପିତ ଜମିର କ୍ଷତିପୂରଣ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ଓ ପରେ ୩ ଲକ୍ଷ ପାଇଥିବା ପ୍ରଶାସନ କହିଛି। ଏହା ଛଡ଼ା ମେଣ୍ଡ୍ରା ଗାଁ ଲୋକେ ପୁନର୍ବାସ କଲୋନିକୁ ଉଠି ଯାଇଥିବା ବେଳେ ଚାକିରି ସହାୟତା ମଧ୍ୟ ପାଇ ସାରିଥିବା କୁହାଯାଉଛି। କିନ୍ତୁ ଭୂଷଣ ଖଣି ହରାଇଥିଲେ ମଧ୍ୟ ଜମି ଅଧିଗ୍ରହଣ ସରିଥିବାରୁ ୧୩ ବର୍ଷ କାଳ ୪ ଗାଁର ଲୋକେ ଦୁର୍ଦ୍ଦଶାରେ ସମୟ କାଟିଛନ୍ତି। ଖଣି ଚାଲିଥିଲେ ବିସ୍ଥାପିତ ନିଯୁକ୍ତି, ଥଇଥାନ ଓ ଅନ୍ୟ ସୁବିଧା ପାଇଥାନ୍ତେ। ତାହା ତ ମିଳିଲାନି, ବରଂ ସରକାରଙ୍କ ସମସ୍ତ ପ୍ରକାର ଯୋଜନାରୁ ଗାଁକୁ ବାଦ୍ ଦିଆଗଲା। ଶୋଚନୀୟସ୍ଥିତିକୁ ଜୀବନଜୀବିକା ଚାଲିଯାଇଥିବାବେଳେ ବିସ୍ଥାପିତ ମରି ମରି ବଞ୍ଚିଥିଲେ। ତେଣୁ ୧୩ ବର୍ଷ ଭୋଗିଥିବା ଦୁର୍ଦ୍ଦଶାର କ୍ଷତିପୂରଣ ବାବଦକୁ ୨୦୧୩ ପୁନର୍ବାସ ଓ ଥଇଥାନ ନୀତି ଲାଗୁ ନହେଲେ ଏକର ପ୍ରତି ୫୦ ଲକ୍ଷ ଦେବାକୁ ବିସ୍ଥାପିତ ଦାବି କରିଛନ୍ତି। କିନ୍ତୁ ବିସ୍ଥାପିତଙ୍କୁ ଏକର ପ୍ରତି ୮ ଲକ୍ଷ ଅତିରିକ୍ତ କ୍ଷତିପୂରଣ ରାଶି, ବିସ୍ଥାପିତ ପରିବାରର ୧୮ ବର୍ଷ ପୂରଣ କରିଥିବା ବା ତଦୁର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ନିଯୁକ୍ତି, ପୁନର୍ବାସ କଲୋନିର ପୁନଃନିର୍ମାଣ, ବିସ୍ଥାପିତଙ୍କ ପୁରୁଣା ସହ ନୂଆ ଘରକୁ ମଧ୍ୟ କ୍ଷତିପୂରଣ ଓ ସମସ୍ତ ପରିବାରକୁ ବିସ୍ଥାପିତ ପ୍ରମାଣପତ୍ର ଓ ପଟ୍ଟା ଦିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଅତିରିକ୍ତ କ୍ଷତିପୂରଣ ୫୦ ଲକ୍ଷ ଟଙ୍କା ଦାବି ପାଖରେ ଆଲୋଚନା ଅଟକି ରହିଛି।

ସମ୍ବନ୍ଧିତ ଖବର