ସୁନ୍ଦରଗଡ଼/ହେମଗିର: ୪ ତାରିଖ ଗୁରୁବାର ସକାଳେ ହେମଗିରିସ୍ଥ ଜାମକାନି କୋଇଲାଖଣି ପ୍ରକଳ୍ପରେ ପୁଲିସ-ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ୨୦ ଦିନ ଧରି ଖଣିବନ୍ଦ ଆନ୍ଦୋଳନ କରୁଥିବା ବିସ୍ଥାପିତଙ୍କୁ ପୁଲିସ ଜୋର୍ କରି ଉଠାଇନେଲାବେଳେ ଉତ୍ତେଜନା ସୃଷ୍ଟିହୋଇଛି। ପୁଲିସ ଦମନକୁ ଖାତିର ନକରି ଧାରଣା ଜାରିରଖିଛନ୍ତି ବିସ୍ଥାପିତ। କୋଇଲା ଟ୍ରକ୍‌କୁ ଖଣି ଭିତରକୁ ପଶିବାକୁ ଦେଇ ନାହାନ୍ତି ଧାରଣାକାରୀ।

Advertisment

ପୁନର୍ବାସ ଓ ଥଇଥାନ ଦାବିନେଇ ୨୦ ଦିନ ହେଲା ଆନ୍ଦୋଳନରେ ଥିଲେ ଖଣି ପ୍ରଭାବିତ ୪ ଗାଁ ଜାମକାନି, ଗିରିସୀମା, ଝାରପଲମ ଓ ମେଣ୍ଡ୍ରା ବିସ୍ଥାପିତ। ଆନ୍ଦୋଳନ ଯୋଗୁ ବନ୍ଦଥିଲା ଖଣି ଉତ୍ତୋଳନ ଓ ପରିବହନ। ବିସ୍ଥାପିତ ପରିବାରର ଯୁବକ,ଯୁବତୀଙ୍କୁ କମ୍ପାନିରେ ନିଯୁକ୍ତି, ନଚେତ ଚାକିରି ବାବଦକୁ ଏକକାଳୀନ ୧୭.୫ ଲକ୍ଷ ପ୍ରଦାନ, ନୂଆଘରକୁ ସର୍ବେକ୍ଷଣରେ ସ୍ଥାନଦେଇ କ୍ଷତିପୂରଣ ଦେବା, ଭୂମିହୀନଙ୍କୁ ଚିହ୍ନଟକରି ଉପଯୁକ୍ତ ଥଇଥାନ ସୁବିଧା ଆଦି ବିଭିନ୍ନ ଦାବିରେ ଗତ ୧୪ରୁ ଜାମକାନି, ଗିରିସୀମା, ଝାରପଲମ ଓ ମେଣ୍ଡ୍ରା ବିସ୍ଥାପିତ ଖଣିବନ୍ଦ ଆନ୍ଦୋଳନ ଚଲାଇଥିଲେ। ଗତ ୨୫ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ତ୍ରିପାକ୍ଷିକ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରିପାରି ନଥିଲା। ବିସ୍ଥାପିତମାନେ ଆନ୍ଦୋଳନ ଜାରି ରଖିଥିଲେ। ଗୁରୁବାର ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ, ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ ଓ ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରାଙ୍କ ନେତୃତ୍ବରେ ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ଖଣି ଅଞ୍ଚଳରେ ପହଞ୍ଚି କୋଇଲା ପରିବହନ କାର୍ଯ୍ୟ ଆରମ୍ଭ କରାଇବାକୁ ଜୋର୍ ଲଗାଇଥିଲେ। ଯାହାକୁ ଆନ୍ଦୋଳନକାରୀ ବିରୋଧ କରିଥିଲେ। ପୁଲିସ ସହାୟତାରେ ଖଣି ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ଟ୍ରକ୍‌ ଆଗରେ ମହିଳାମାନେ ଶୋଇଗଲେ। ସେମାନଙ୍କୁ ଉଠାଇ ନେଇଥିଲା ପୁଲିସ। ଏହି ସମୟରେ ମହିଳା ଆନ୍ଦୋଳନକାରୀଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ହକ୍ ଦାବିରେ ଗୋବର ଖାଇଲେ ଯୁବକ

ହେମଗିର: ଖଣି ବନ୍ଦ ଆନ୍ଦୋଳନକୁ ନେଇ ଜାମକାନି କୋଇଲାଖଣିରେ ପୁଲିସ ଓ ବିସ୍ଥାପିତ ମୁହାଁମୁହିଁ ହୋଇଥିଲେ। ବିସ୍ଥାପିତଙ୍କୁ ପୁଲିସ ଉଠାଇ ନେଇଥିଲା। ଏହି ସମୟରେ ଆନ୍ଦୋଳନସ୍ଥଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଆନ୍ଦୋଳନରେ ସାମିଲ ଜାମକାନି ଗାଁର ଜଣେ ଯୁବକ ଜୀବର୍ଦ୍ଧନ ପ୍ରଧାନ ହଠାତ୍‌ ଆଗକୁ ଆସି କମ୍ପାନି ଓ ପ୍ରଶାସନ ବିରୋଧରେ ନାରାବାଜି କରି ପୁଲିସ, ଅଧିକାରୀଙ୍କ ସାମ୍ନାରେ ଏକ ପ୍ଲେଟ୍‌ରେ ମେଞ୍ଚାଏ ଗୋବର ଆଣି ଖାଇଥିଲେ। ହକ୍ ପାଇଁ ଆନ୍ଦୋଳନ କରୁଥିବା ବିସ୍ଥାପିତଙ୍କୁ ସେମାନଙ୍କ ନ୍ୟାଯ୍ୟ ହକ୍ ନ ଦେଇ ପୁଲିସ, ପ୍ରଶାସନ ଜୋର୍ କରି ଖଣିକାର୍ଯ୍ୟ ଚଲାଇବାକୁ ଉଦ୍ୟମ କରୁଥିବା ଓ ୨୫ ଜଣ ମହିଳାଙ୍କୁ ଉଠାଇ ନେଇଥିବାରୁ ଯୁବକ ଏହାର ପ୍ରତିବାଦ କରି ଗୋବର ଖାଇଥିବା ପ୍ରକାଶ କରିଛନ୍ତି।