କାଶ୍ମୀର ପ୍ରସଙ୍ଗରେ ବିଜୁଙ୍କ ଅବଦାନକୁ ମନେ ପକାଇଲେ ପିନାକୀ, ଦାବି କଲେ ଭାରତରତ୍ନ

ଭୁବନେଶ୍ୱର: ଲୋକସଭାରେ ଉଠିଲା କାଶ୍ମୀରର ‘ବିଜୁ’ କାହାଣୀ । ଜମ୍ମୁ କଶ୍ମୀର ପୁର୍ନଗଠନ ବିଲ୍‌ ଉପରେ ଲୋକସଭାରେ ସରଗରମ ଆଲୋଚନା ହୋଇଛି । ବିଜୁ ଜନତା ଦଳର ପୁରୀ ସାଂସଦ ପିନାକୀ ମିଶ୍ର କଶ୍ମୀର ସ୍ୱାଧୀନତା ଓ ଭାରତ ମିଶ୍ରଣ ସମୟରେ ବିଜୁ ପଟ୍ଟନାୟକଙ୍କ ଭୂମିକା ନେଇ ଲୋକସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି ।

ପିନାକୀ କହିଛନ୍ତି କି, ୧୯୪୭ ମସିହାରେ ଅକ୍ଟୋବର ୨୭ରେ ଯେତେବେଳେ ପାକିସ୍ତାନ ସୈନ୍ୟ ଜମ୍ମୁ-କାଶ୍ମୀର ବାନ୍ଦିିପୁର ଓ ବାରମୁଳା ଦେଇ ମାଡ଼ି ଆସୁଥିଲେ ସେତେବେଳେ ମହାରାଜ ହରି ସିଂ ଶ୍ରୀନଗର ଛାଡ଼ି ସାରିଥିଲେ। ଆଉ ଏ ସମୟରେ ଲେପ୍ଟଟାଣ୍ଟ ଜେନେରାଲ ଦିୱାନ ରଞ୍ଜିତ ରାୟଙ୍କ ନେତୃତ୍ୱରେ ଫାଷ୍ଟ ଶିଖ୍‌ ରେଜିମେଣ୍ଟର ୧୭ ଜଣ ସୈନ୍ୟ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀନଗର ଏୟାପୋର୍ଟରେ ପହଞ୍ଚିଥିଲେ, ବିମାନବନ୍ଦର ଉପରେ ଉଡ଼ି ବୁଲିବା ସମୟରେ ସେମାନଙ୍କୁ ଜଣା ନ ଥିଲା ଯେ ବିମାନବନ୍ଦର ଭାରତ କବଜାରେ ଅଛି ନା ପାକିସ୍ତାନ କବଜାରେ। ହେଲେ ସାହସିକତାର ନିଷ୍ପତ୍ତି ନେଇ ପାଇଲଟ ବିମାନକୁ ସେଠାରେ ଅବତରଣ କରାଇଥିଲେ । ଆଉ ଏହି ପାଇଲଟ ବୀର ସାହାସୀ ଓଡ଼ିଆ ପୁଅ ବିଜୁ ପଟ୍ଟନାୟକ ଥିଲେ।

ଅବତରଣ ପରେ ଜେନେରାଲ ରଞ୍ଜିତ ରାୟଙ୍କ ଟିମ୍‌ ଘମାଘୋଟ ଲଢ଼େଇ କରି ପାକିସ୍ତାନ ସୈନ୍ୟଙ୍କୁ ପଛକୁ ହଟାଇବାରେ ସକ୍ଷମ ହୋଇଥିଲେ । କେବଳ ଏହି ଗୋଟିଏ ଉଡ଼ାଣ ନୁହେଁ ସେ ସମୟରେ ଦିଲ୍ଲୀରୁ ଭାରତୀୟ ସୈନ୍ୟଙ୍କୁ ନେଇ ଶ୍ରୀନଗରକୁ ଅନେକ ଥର ଉଡ଼ାଣ ଭରିଥିଲେ ବିଜୁ ପଟ୍ଟନାୟକ । ତେବେ କଶ୍ମୀର ସ୍ୱାଧୀନତା ଓ ଭାରତ ମିଶ୍ରଣରେ ବିଜୁ ପଟ୍ଟନାୟକଙ୍କ ଅବଦାନ କଥା ଆଜି ଲୋକସଭାରେ ଉଠିବା ସହ ତାଙ୍କୁ ଭାରତ ରତ୍ନ ସମ୍ମାନ ଦିଆଯିବା ପାଇଁ ପୁଣି ଥରେ ବିଜେଡ଼ି ଦାବି ଉଠାଇଛି।

ସମ୍ବନ୍ଧିତ ଖବର