ଜମ୍ମୁ-କଶ୍ମୀର ଓ ଲଦାଖର ବିକାଶ ପାଇଁ ରାସ୍ତା ଖୋଲିଛି: ବିଜେପି

ଭୁବନେଶ୍ବର: ଧାରା ୩୭୦ ଉଚ୍ଛେଦ କରିବାକୁ ନେଇ ସାରା ଦେଶ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଏହି ବ୍ୟବସ୍ଥା ଜମ୍ମୁ-କଶ୍ମୀର ଓ ଲଦାଖର ଭାଇ-ଭଉଣୀମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଥିଲା। ଏହା ସେମାନଙ୍କ ବିକାଶରେ ବଡ଼ ବାଧକ ଥିଲା। ଏବେ ସେମାନଙ୍କ ବିକାଶ ପାଇଁ ବାଟ ପରିଷ୍କାର ହୋଇଛି। ଦେଶର କୋଟି କୋଟି ଲୋକଙ୍କ ସ୍ବପ୍ନ ମଧ୍ୟ ପୂରଣ ହୋଇଛି ବୋଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଲେ, ଜମ୍ମୁ-କଶ୍ମୀର ଓ ଲଦାଖରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ଏବେ ଦେଶର ସମସ୍ତ ନାଗରିକଙ୍କ ଅଧିକାର ସମାନ ଓ ଦାୟିତ୍ବ ମଧ୍ୟ ସମାନ। ଧାରା ୩୭୦ ଏବଂ ୩୫-ଏ ଜମ୍ମୁ-କଶ୍ମୀରକୁ ବିଚ୍ଛିନ୍ନତାବାଦ, ଆତଙ୍କବାଦ, ପରିବାରବାଦ ଓ ବ୍ୟବସ୍ଥାରେ ବ୍ୟାପକ ପରିମାଣରେ ବ୍ୟାପିଥିବା ଭ୍ରଷ୍ଟାଚାର ବାଦ୍ କିଛି ଦେଇ ନାହିଁ। ଏହି ଦୁଇଟି ଅନୁଚ୍ଛେଦକୁ ଦେଶ ବିରୋଧରେ କିଛି ଲୋକଙ୍କ ଭାବନାକୁ ଉତ୍ତେଜିତ କରିବା ପାଇଁ ପାକିସ୍ତାନ ପକ୍ଷରୁ ଏକ ଅସ୍ତ୍ର ଭାବେ ଉପଯୋଗ କରାଯାଉଥିଲା। ଏହି କାରଣରୁ ଗତ ତିନି ଦଶନ୍ଧି ମଧ୍ୟ‌େର ପ୍ରାୟ ୪୨ ହଜାର ନୀରିହ ଲୋକଙ୍କୁ ଜୀବନ ହରାଇବାକୁ ପଡ଼ିଛି। ଯେଉଁ ଆଇନ ଦେଶର ସମସ୍ତ ନାଗରିକଙ୍କ ପାଇଁ ତିଆରି ହୋଇଥାଏ, ତାହାରି ଲାଭରୁ ଜମ୍ମୁ-କଶ୍ମୀରର ଦେଢ଼ କୋଟିରୁ ଅଧିକ ଲୋକ ବଞ୍ଚିତ ହୋଇଥା’ନ୍ତି। କିନ୍ତୁ ଏବେ ଏହି ପାତର ଅନ୍ତର ବନ୍ଦ ହେଲା। ଦେଶର ସମସ୍ତ ନାଗରିକ ଯେଉଁ ଅଧିକାର ପାଉଛନ୍ତି, କଶ୍ମିରୀବାସୀ ମଧ୍ୟ ସେହି ସୁବିଧା ପାଇବେ।

ଶ୍ରୀମତୀ ଷଡ଼ଙ୍ଗୀ ଆହୁରି କହିଲେ, ଖୁବ୍ ଶୀଘ୍ର ଜମ୍ମୁ-କଶ୍ମିରୀ ଓ ଲଦାଖରେ ଖାଲି ଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ପଦବି ପୂରଣ କରିବାର ପ୍ରକ୍ରିୟା ଆରମ୍ଭ କରାଯିବ। ଏଥିରୁ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ଉପଲବ୍ଧ ହେବ। ଏହା ସହ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଓ ଘରୋଇ କ୍ଷେତ୍ରର ବଡ଼ କମ୍ପାନିଗୁଡ଼ିକୁ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଇବା ପାଇଁ ପ୍ରୋତ୍ସାହନ କରାଯିବ। ଜମ୍ମୁ-କଶ୍ମିରୀ ଓ ଲଦାଖକୁ ବଡ଼ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯିବ। ସବୁ କ୍ଷେତ୍ରରେ ଏହି ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ବଦ୍ଧ ପରିକର ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ଭୁବନେଶ୍ବର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର