ରତ୍ନାକର ଭୋଇ
ସମ୍ବଲପୁର: ନିର୍ବାଚନ ଆହୁରି କିଛି ମାସ ବାକି ରହିଛି। ତେବେ, ଏବେଠୁ ବିଜେଡିର ଗଡ଼ ରେଢ଼ାଖୋଲ ବିଧାନସଭା ‌କ୍ଷେତ୍ରରେ ଟିକେଟ ଆଶାୟୀ ଶାସକ ଦଳର ନେତାମାନେ ନିଜ କସରତ ଆରମ୍ଭ କରିଦେଇଛନ୍ତି। ଆଉ ପରସ୍ପର ଉପରକୁ ତେରଛା ବାଣ ମାରିବା ଏଠାକାର ରାଜନୈତିକ ମାହୋଲକୁ ସରଗରମ କରିଛି। କ୍ରମାଗତ ୫ ଥର ହେଲା ରେଢ଼ାଖୋଲରୁ ବିଜେଡି ଜିତି ଆସୁଛି। ସବୁ ବିଧାୟକ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସୌଭାଗ୍ୟ ବି ପାଇଛନ୍ତି। ଅନ୍ୟପଟେ ପୂର୍ବାପେକ୍ଷା ବିଜେପିର ଶକ୍ତିବୃଦ୍ଧି ଘଟିଥିବା ସମୟରେ ‘ଅପାରଗତାର ଟ୍ୟାଗ୍ ଲଗାଇ ମନ୍ତ୍ରିମଣ୍ଡଳରୁ ରୋହିତ ପୂଜାରୀଙ୍କୁ ବିଦା କରିବାର କିଛି ମାସ ପରେ ପୁଣି ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ବସାଇବା ତାଙ୍କ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି। ଇତିମଧ୍ୟରେ ଏଠାକାର ପୂର୍ବତନ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ରେଢ଼ାଖୋଲ ଗସ୍ତ ପୂର୍ବାପେକ୍ଷା ବଢ଼ିଛି। ଗତ ୨ ତାରିଖ ଦିନ ଅଟୋ ୟୁନିୟନର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋ‌ଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଇସାରା ଇସାରାରେ ରୋହିତଙ୍କୁ ତେରଛା ବାଣ ମାରିଥିଲେ। ସେ କହିଥିଲେ, ଆମର ଅସମର୍ଥତା, ଦୁର୍ବଳତା ଓ ଅଯୋଗ୍ୟତା ପାଇଁ ରେଢ଼ାଖୋଲ ଆଜି ଅବହେଳିତ। ନିବାର୍ଚନମଣ୍ଡଳୀର ଯେତିକି ବିକାଶ ହେବା କଥା ହୋଇନାହିଁ। ତେବେ, ଏଥିରେ କେବଳ କମା ପଡ଼ିଛି, ପୂର୍ଣ୍ଣଛେଦ ପଡ଼ିନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। କିନ୍ତୁ, ପ୍ରାର୍ଥୀ ହେବା ସଂକ୍ରାନ୍ତରେ ସାମ୍ବାଦିକମାନଙ୍କ ପ୍ରଶ୍ନକୁ ଚତୁରତାର ସହିତ ଏଡ଼ାଇ ଯାଇଥିଲେ। ରୋହିତ ବି ଚୁପ୍ ରହିବା ନେତା ନୁହନ୍ତି। ପ୍ରସନ୍ନ ବାବୁ ଦଶ ବର୍ଷ ହେଲା ରେଢ଼ାଖୋଲର ବିଧାୟକ ନାହାନ୍ତି, ସେ କେମିତି ଜାଣିବେ ‌ଏଠାକାର ବିକାଶ ହୋଇଛି କି ନାହିଁ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ବିଜେଡି ଜନସଂପର୍କ ପଦଯାତ୍ରା ସମୟରେ ଅନୁଷ୍ଠିତ ସଭାରେ ରୋହିତ ପୁଣି ଅନ୍ୟ ଆଶାୟୀମାନଙ୍କୁ ଟାର୍ଗେଟକରି କହିଥିଲେ, ଆଗକୁ ନିବାର୍ଚନ ଆସୁଛି। ଏହି ନିବାର୍ଚନମଣ୍ତଳୀରେ ଆଶାୟୀଙ୍କ ସଂଖ୍ୟା ଅଧିକରୁ ଅଧିକ ରହିବା ସ୍ବାଭାବିକ। ହେଲେ, କର୍ମୀ ଓ ସାଧାରଣ ଲୋକ ଜାଣିଛନ୍ତି, ସେମାନଙ୍କ ସୁଖଦୁଃଖରେ କିଏ ଅଛି?

Advertisment

ଅନ୍ୟ ପଟେ କେନ୍ଦୁପତ୍ର କଲ୍ୟାଣ ବୋର୍ଡର ଉପଦେଷ୍ଟା ଥିବା ଯୁବନେତା ସଂଜିତ ମହାନ୍ତିଙ୍କ ପୋଷ୍ଟର ଏବେଠୁ ଅଂଚଳର କାନ୍ଥବାଡ଼ରେ ଲାଗିଲାଣି। ସେ ମଧ୍ୟ ପୂରା ଦମ୍‌ରେ ସଭାସମିତି‌ରେ ଯୋଗଦେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ଡ. ପ୍ରମୋଦ ରଥ ମଧ୍ୟ ଏହି ଅଂଚଳରେ ବେଶ୍ ସକ୍ରିୟ ଥିବାବେଳେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରମୋଦ ବେହେରା ନିଆରା ଢଂଗରେ ଗାଁ ଗାଁ ବୁଲି ଜନସଂପର୍କ ସ୍ଥାପନ କରୁଥିବା ଦେଖିବାକୁ ମିଳୁଛି। ରେଢ଼ାଖୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଏବଂ ଯୁଯୁମୁରା ଅଂଚଳର ଯୁବନେତା ବରୁଣ ଦେହୁରୀ ବି ବିଜେଡି ଟିକେଟ ଆଶାୟୀ ତାଲିକାରେ ରହିଛନ୍ତି। ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ ‘ଏକ୍‌ଲା ଚଲୋ ନୀତିରେ ବର୍ଷସାରା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗାଁଗଣ୍ଡା ବୁଲି ନିଜ ତଥା ଦଳୀୟ ପ୍ରଚାରରେ ମାତିଛନ୍ତି। ଗତ ନିର୍ବାଚନର ଦଳୀୟ ପ୍ରାର୍ଥୀ ହୋଇଥିବା ବିଜେପି ନେତା ଦେବେନ୍ଦ୍ର ମହାପାତ୍ର ବି ନିୟମିତ ରେଢ଼ାଖୋଲ ଦୌଡ଼ୁଥିବା ଦେଖିବାକୁ ମିଳୁଛି। ନିକଟରେ ଦୁଇନେତା ନାକଟିଦେଉଳ ବ୍ଲକ ମୁଖ୍ୟାଳୟରେ ନିଜ ନିଜର ଦଳୀୟ କାର୍ଯ୍ୟାଳୟ ଖୋଲିଛନ୍ତି। ଏପଟେ ଗତ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଜେପି ନେତା ପ୍ରତାପ ପ୍ରଧାନ ଏଥର ବି ଟିକଟ ପାଇଁ ଆଶା ରଖିଛନ୍ତି। ଅନ୍ୟ ପଟେ ବିଜେଡିକୁ ଟକ୍କର ଦେଇଆସୁଥିବା ଆଶଫ ଅଲୀ ଖାନଙ୍କ ସହିତ ଯୁବନେତା ଦୁଲାଲ ପ୍ରଧାନ କଂଗ୍ରେସର ଟିକେଟ ଦୌଡ଼ରେ ରହିଛନ୍ତି। ନେତାମାନଙ୍କ ଘନ ଘନ ଗସ୍ତ ଯୋଗୁ ରାଜନୈତିକ ପରିବେଶ ବେଶ୍ ଜମୁଛି।